ପ୍ରିୟଙ୍କାଙ୍କୁ ଅନିଲ ଶାସ୍ତ୍ରୀଙ୍କ ଅନୁରୋଧ, କଂଗ୍ରେସ ସଭାପତି ହୁଅନ୍ତୁ

ନୂଆଦିଲ୍ଲୀ: କଂଗ୍ରେସ ଦଳରେ ଏବେ ‌ଯେଉଁ ସଙ୍କଟ ଲାଗି ରହିଛି ସେଥିପାଇଁ ଚିନ୍ତା ପ୍ରକଟ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍‌ ବାହାଦୁର ଶାସ୍ତ୍ରୀଙ୍କ ପୁଅ ଅନିଲ ଶାସ୍ତ୍ରୀ। ତାଙ୍କ ମତରେ କଂଗ୍ରେସ ଦଳର ନେତୃତ୍ବ ନେବାପାଇଁ ଗାନ୍ଧୀ ପରିବାରରୁ ଜଣେ ‌ହେଲେ ସଦସ୍ୟଙ୍କର ଆବଶ୍ୟକତା ରହିଛି। ନଚେତ୍‌ କଂଗ୍ରେସ ଦଳର ଅବସ୍ଥା ଅନ୍ୟ ଆଞ୍ଚଳିକ ଦଳ ଏନ୍‌ସିପି , ଟିଏମ୍‌ସି ଭଳି ହେବ। ରାହୁଲ ଗାନ୍ଧୀ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେବା ସହ ତାଙ୍କ ମା’ ସୋନିଆ ଏବଂ ଭଉଣୀ ପ୍ରିୟଙ୍କା କେହି ମଧ୍ୟ ଏହି ଆସନରେ ରହିପାରିବେନି ବୋଲି ସେ ପୂର୍ବରୁ ସୂଚନା ଦେଇ ସାରିଛନ୍ତି। କିନ୍ତୁ ଶାସ୍ତ୍ରୀ କହିଛନ୍ତି ଯଦି ଗାନ୍ଧୀ ପରିବାର ବାହାରୁ ଅନ୍ୟ କେହି କଂଗ୍ରେସ ସଭାପତି ହୁଅନ୍ତି ତେବେ ଦଳର ଅନେକ ନେତା ତାଙ୍କୁ ସୁପ୍ରିମୋ ଭାବେ ଗ୍ରହଣ କରିବେନି ଏବଂ ଏହାଦ୍ବାରା ମତଭେଦ ଦେଖାଦେବ। ଏ କ୍ଷେତ୍ରରେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ହିଁ ଶତ ପ୍ରତିଶତ ଗ୍ରହଣୀୟ ବୋଲି ଶାସ୍ତ୍ରୀ କହିଛନ୍ତି। ୨୦୧୯ ଲୋକସଭା ନିର୍ବାଚନ ଫଳାଫଳ ଆସିବାର ପ୍ର‌ାୟ ୫୦ ଦିନ ପରେ ରାହୁଲ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଥିଲେ।

ସମ୍ବନ୍ଧିତ ଖବର