ତିରୁପତି: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏକ ଆଶ୍ଚର୍ଯ୍ୟଜନକ ଦାବି କରି କହିଛନ୍ତି ଯେ ୱାଇଏସ୍‌ଆର୍‌ କଂଗ୍ରେସ ଦ୍ୱାରା ପରିଚାଳିତ ପୂର୍ବ ସରକାର ସମୟରେ ତିରୁପତି ଲଡୁ ତିଆରି କରିବା ପାଇଁ ପଶୁ ଚର୍ବି ବ୍ୟବହାର କରାଯାଉଥିଲା। ୱାଇଏସ୍ ଜଗନ ମୋହନ ରେଡ୍ଡୀଙ୍କ ନେତୃତ୍ୱାଧୀନ ଦଳ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ଏହାକୁ ଦୁର୍ଭାଗ୍ୟଜନକ ବୋଲି କହିଛି। ଆନ୍ଧ୍ରପ୍ରଦେଶରେ ଜୁନ୍ ମାସରେ ଜନସେନା ଓ ବିଜେପି ସହ ମେଣ୍ଟ କରି କ୍ଷମତାକୁ ଆସିଥିବା ନାଇଡୁ ବୁଧବାର ଏନ୍‌ଡିଏ ବିଧାୟକ ଦଳ ବୈଠକକୁ ସମ୍ବୋଧିତ କରି କହିଛନ୍ତି ଯେ ଜଗନ ରେଡ୍ଡୀ ସରକାରଙ୍କ ଅମଳରେ ତିରୁପତିର ଶ୍ରୀ ଭେଙ୍କଟେଶ୍ୱର ମନ୍ଦିର ଦ୍ୱାରା ପ୍ରସାଦ ଭାବରେ ଦିଆଯାଉଥିବା ଲଡୁ ତିଆରିରେ ପଶୁଚର୍ବି ବ୍ୟବହାର କରାଯାଉଥିଲା। ବିଗତ ୫ ବର୍ଷ ମଧ୍ୟରେ ୱାଇଏସ୍‌ଆର୍‌ କଂଗ୍ରେସ ଦଳର ନେତାମାନେ ତିରୁମାଲାର ପବିତ୍ରତାକୁ ନଷ୍ଟ କରିଛନ୍ତି। ସେମାନେ ‘ଅନ୍ନଦାନମ୍’ (ମାଗଣା ଭୋଜନ)ର ଗୁଣବତ୍ତା ଉପରେ ବୁଝାମଣା କରିଥିଲେ ଏବଂ ଘିଅ ପରିବର୍ତ୍ତେ ପଶୁ ଚର୍ବି ବ୍ୟବହାର କରି ପବିତ୍ର ତିରୁମାଲା ଲଡୁକୁ ମଧ୍ୟ ଦୂଷିତ କରିଥିଲେ। ଏହି ଖୁଲାସା ଚିନ୍ତାର କାରଣ ପାଲଟିଛି। ତେବେ ଏବେ ଆମେ ଶୁଦ୍ଧ ଘିଅ ବ୍ୟବହାର କରୁଛୁ। ଟିଟିଡିର ପବିତ୍ରତା ରକ୍ଷା ପାଇଁ ଆମେ ପ୍ରୟାସ କରୁଛୁ ବୋଲି  ନାଇଡୁ   କହିଛନ୍ତି।

Advertisment

ୱାଇଏସ୍‌ଆର୍‌ କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ୱାଇଭି ସୁବ୍ବା ରେଡ୍ଡୀ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଚନ୍ଦ୍ରବାବୁ ନାଇଡୁ ତିରୁମାଲାର ପବିତ୍ରତା ଏବଂ କୋଟି କୋଟି ହିନ୍ଦୁଙ୍କ ବିଶ୍ୱାସକୁ ଗଭୀର ଭାବେ କ୍ଷତି ପହଞ୍ଚାଇଛନ୍ତି। ତିରୁମାଲା ପ୍ରସାଦକୁ ନେଇ ତାଙ୍କ ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ରାଜନୈତିକ ଫାଇଦା ପାଇଁ ଚନ୍ଦ୍ରବାବୁ ଯେ କୌଣସି ସ୍ତରକୁ ଖସିଯାଇପାରନ୍ତି, ତାହା ପୁଣି ଥରେ ପ୍ରମାଣିତ ହୋଇଛି ହୋଇଛି ବୋଲି ସେ କହିଛନ୍ତି।