ସୁଭାଷ ଚନ୍ଦ୍ର ବୋଷଙ୍କ ଅସ୍ଥି ଭାରତ ଆଣିବା ପାଇଁ ସରକାରଙ୍କୁ ନିବେଦନ କଲେ ଝିଅ ଅନୀତା

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଅବସରରେ ସମଗ୍ର ଦେଶ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ସ୍ମରଣ କରୁଛି। ଏହି ସମୟରେ ଜର୍ମାନୀରେ ରହୁଥିବା ନେତାଜୀଙ୍କ ଝିଅ ଅନୀତା ବୋଷ ଫାଫ ନେତାଜୀଙ୍କ ଅସ୍ଥି ଭାରତ ଆଣିବାକୁ ସରକାରଙ୍କୁ ନିବେଦନ କରିଛନ୍ତି। ଅନୀତା ବୋଷ ଏହା ମଧ୍ୟ କହିଛନ୍ତି ଯେ, ନେତାଜୀଙ୍କ ପାଇଁ ଦେଶକୁ ସ୍ୱାଧୀନତା ଦେବାଠାରୁ ଅନ୍ୟ କିଛି ଅଧିକ ଗୁରୁତ୍ୱପୂର୍ଣ୍ଣ ନଥିଲା।

ସୂଚନା ମୁତାବକ, ବିମାନ ଦୁର୍ଘଟଣାରେ ସୁଭାଷ ଚନ୍ଦ୍ର ବୋଷଙ୍କର ମୃତ୍ୟୁ ହୋଇଥିବା ନେଇ ଦାବି ହୋଇ ଆସିଛି। ଝିଅ ଅନୀତା ବୋଷଙ୍କ ଅନୁସାରେ,  ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଅସ୍ଥିକୁ ଜାପାନର ଜଣେ ଅଧିକାରୀଙ୍କ ଦ୍ବାରା ସଂଗ୍ରହ କରାଯାଇ ଟୋକିଓର ରେନକୋଜି ମନ୍ଦିରରେ ସଂରକ୍ଷିତ ରଖାଯାଇଛି। ସେବେଠାରୁ ତିନି ପିଢ଼ିର ପୂଜାରୀମାନେ ଏହି ଅସ୍ଥିର ଯତ୍ନ ନେଇ ଆସୁଛନ୍ତି। ସେବେଠାରୁ ସୁଭାଷ ଚନ୍ଦ୍ର ବୋଷଙ୍କ ଅସ୍ତି ଜାପାନରେ ଥିବା ବେଳେ ଏବେ ତାଙ୍କ ୭୯ ବର୍ଷିୟ ଝିଅ ଅନୀତା ବୋଷ ବାପାଙ୍କ ଅସ୍ଥିକୁ ଭାରତ ଫେରାଇ ଆଣିବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି।

ସେ କହିଛନ୍ତି ‌ଯେ, ଜାପାନର ଟୋକିଓରେ ଥିବା ଏକ ମନ୍ଦିରରେ ସଂରକ୍ଷିତ ନେତାଜୀଙ୍କ ଅସ୍ଥିର ଡିଏନଏ ପରୀକ୍ଷା ପାଇଁ ମୁଁ ପ୍ରସ୍ତୁତ ଅଛି। ସେ ଏହା ମଧ୍ୟ କହିଛନ୍ତି ଯେ ମନ୍ଦିରର ପୁରୋହିତ ଏବଂ ଜାପାନ ସରକାର ମଧ୍ୟ ଏହି ଡିଏନଏ ପରୀକ୍ଷାକୁ ନେଇ କୌଣସି ଆପତ୍ତି କରିନାହାନ୍ତି ଏବଂ ସେମାନେ ଅସ୍ଥି ହସ୍ତାନ୍ତର କରିବାକୁ ପ୍ରସ୍ତୁତ ଅଛନ୍ତି।

ଏହା ସହ ‌ସେ ଭାରତ, ପାକିସ୍ଥାନ ଏବଂ ବାଂଲାଦେଶବାସୀଙ୍କୁ ନିବେଦନ କରି କହିଛନ୍ତି ଯେ ନେତାଜୀଙ୍କ ଜୀବନରେ ତାଙ୍କ ଦେଶର ସ୍ବାଧୀନତା ଅପେକ୍ଷା କିଛି ଗୁରୁତ୍ୱପୂର୍ଣ୍ଣ ନଥିଲା। ତେଣୁ ବର୍ତ୍ତମାନ ସମୟ ଆସିଛି ଯେ ଅନ୍ତତଃ ପକ୍ଷେ ତାଙ୍କ ଅସ୍ତିକୁ ଭାରତ ମାଟିକୁ ଫେରାଇ ଅଣାଯାଉ।

ସମ୍ବନ୍ଧିତ ଖବର