ନୂଆଦିଲ୍ଲୀ: ନୂଆବର୍ଷ ଦିନ ସମସ୍ତେ ଭୋଜିଭାତ ନାଚଗୀତରେ ବ୍ୟସ୍ତ ଥିବା ବେଳେ ଅଞ୍ଜଳି ସିଂହ ନାମ୍ନୀ ଜଣେ ୨୦ ବର୍ଷୀୟା ଯୁବତୀଙ୍କ ଅତି ଯନ୍ତ୍ରଣାଦାୟକ ମୃତ୍ୟୁ ହୋଇଥିଲା। ସେ ସ୍କୁଟିରେ ଯାଉଥିବା ବେଳେ ଏକ କାର୍‌ ତାଙ୍କୁ ଧକ୍କା ଦେଇଥିଲା। ଫଳରେ କାର୍‌ ଚକାରେ ତାଙ୍କ ପୋଷାକ ଲାଖିଯିବାରୁ ସେ ଚକା ତଳେ ପ୍ରାୟ ୧୨ କିମି ପର୍ଯ୍ୟନ୍ତ ଘୋଷାଡ଼ି ହୋଇଯାଇଥିଲେ। ଏହି ଘଟଣାକୁ ନେଇ ପ୍ରତିଦିନ ବିଭିନ୍ନ ପ୍ରକାର ଖବର ସାମ୍ନାକୁ ଆସୁଥିବା ବେଳେ  ଫରେନସିକ  ସାଇନ୍ସ ଲ୍ୟାବ(ଏଫଏସଏଲ)ର ରିପୋର୍ଟ ବି ଆସିଛି।

Advertisment

ଏଫଏସଏଲ ରିପୋର୍ଟରୁ ଜଣାପଡ଼ିଛି, ଅଞ୍ଜଳି ଦୁର୍ଘଟଣା ଘଟାଇଥିବା କାରର ବ‌ାମପାର୍ଶ୍ବ ସାମ୍ନା ଚକାରେ ଫସି ଯାଇଥିଲେ। ତେଣୁ କାରର ସାମ୍ନା ଓ ପଛ ଚକାରେ ଅଧିକ ରକ୍ତ ଦାଗ ଲାଗିଥିବା ଦେଖିବାକୁ ମିଳିଥିଲା। ତେବେ କାର ଭିତରେ ଅଞ୍ଜଳି ଥିବା ନେଇ ଯେଉଁ କଥା କୁହାଯାଉଥିଲା ସେନେଇ କୌଣସି ପ୍ରମାଣ ଏଯାଏଁ ମିଳିନାହିଁ। ଏହା ପୂର୍ବରୁ ଗତମଙ୍ଗଳବାର ଆସିଥିବା ଶବବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ଛି କି ଅଞ୍ଜଳିଙ୍କ ସହିତ କୌଣସି ପ୍ରକାର ଦୁଷ୍କର୍ମ ହୋଇନାହିଁ।

ଏହି ମାମଲାରେ ସମ୍ପୃକ୍ତ ଥିବା ୫ ଜଣ ଅଭିଯୁକ୍ତକୁ ପୁଲିସ ଗିରଫ କରି ୩ ଦିନିଆ ରିମାଣ୍ଡରେ ନେଇଛି। ଅଭିଯୁକ୍ତ ଦୀପକ ମଦ ପିଇ ଗାଡ଼ି ଚଲାଉଥିବା ବେଳେ ମନୋଜ ଦୀପକଙ୍କ ପାର୍ଶ୍ବରେ ବସିଥିଲେ। ମନୋଜ ମିତ୍ତଲ ସ୍ଥାନୀୟ ବିଜେପି ନେତା ରହିଥିବା ଜଣାପଡ଼ିଛି। ଏଥିସହିତ ଗାଡ଼ିରେ ଅମିତ, ମିଥୁନ ଓ କୃଷ୍ଣା ପଛରେ ବସିଥିଲେ। ଏହି ଘଟଣା ସମ୍ପର୍କରେ ଖବର ପାଇବା ପରେ ଦୀପକଙ୍କ ଭାଇ ଘରେ ତାଲା ପକାଇ କେଉଁଆଡେ ଫେରାର ହୋଇଯାଇଛନ୍ତି। ଦୀପକଙ୍କ ବାପା ଓ ମା’ଙ୍କ ପୂର୍ବରୁ ମୃତ୍ୟୁ ହୋଇଯାଇଥିଲା।