ଇସଲାମାବାଦ/ନୂଆଦିଲ୍ଲୀ: ରାଜସ୍ଥାନର ବାସିନ୍ଦା ଅଞ୍ଜୁ ତାଙ୍କ ସ୍ୱାମୀ ଅରବିନ୍ଦ ଏବଂ ଦୁଇ ପିଲାଙ୍କୁ ଛାଡ଼ି ଚଳିତବର୍ଷ ଜୁଲାଇରେ ପାକିସ୍ତାନ ଯାଇଥିଲେ। ଅଞ୍ଜୁ ଫେସବୁକରେ ପାକିସ୍ତାନର ନାସରୁଲ୍ଲାଙ୍କ ସହ ବନ୍ଧୁତା କରିଥିଲେ ଏବଂ ତାଙ୍କୁ ଭେଟିବାକୁ ଦେଶ ବାହାରକୁ ଯାଇଥିଲେ। ଏକ ମାସର ଭିସା ନେଇଥିବା ଅଞ୍ଜୁ ପ୍ରାୟ ଚାରି ମାସ ପାକିସ୍ତାନରେ ରହିଲେ। ଏହି ସମୟ ମଧ୍ୟରେ ନାସରୁଲ୍ଲାଙ୍କ ସହ ତାଙ୍କ ବିବାହ ପ୍ରମାଣପତ୍ର ମଧ୍ୟ ସାମ୍ନାକୁ ଆସିଥିଲା।
ଯେଉଁଥିରୁ ଏହା ଜଣାପଡିଥିଲା ଯେ ଅଞ୍ଜୁ ନାମ ପରିବର୍ତ୍ତନ କରି ଫାତିମା ଭାବେ ନାସରୁଲ୍ଲାଙ୍କୁ ବିବାହ କରିଥିଲେ। ବର୍ତ୍ତମାନ ଅଞ୍ଜୁ ଭାରତ ଫେରି ଆସିଥିବାରୁ ତାଙ୍କୁ ପୁଣି ଥରେ ଅରବିନ୍ଦ ଏବଂ ନାସରୁଲ୍ଲା ମଧ୍ୟରେ କାହାକୁ ଜଣକୁ ବାଛିବା ପରି କଠିନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି।
ନିକଟରେ ଏକ ସାକ୍ଷାତକାର ସମୟରେ ଅଞ୍ଜୁଙ୍କୁ ପଚରାଯାଇଥିଲା କି ଯଦି ଅରବିନ୍ଦ ରାଜି ହୁଅନ୍ତି ତେବେ ସେ ଅରବିନ୍ଦ ଏବଂ ପିଲାମାନଙ୍କ ସହିତ ପୁନର୍ବାର ଜୀବନଯାପନ ଆରମ୍ଭ କରିବେ କି? ଅଞ୍ଜୁ ଏହା ଉପରେ କହିଛନ୍ତି ଯେ ପରବର୍ତ୍ତୀ ସମୟରେ କଣ କରିବେ ତାହା ସେ ପିଲାମାନଙ୍କ ସହ କଥାବାର୍ତ୍ତା ପରେ ନିଷ୍ପତ୍ତି ନେବେ। ଏଥିରୁ ସ୍ପଷ୍ଟ ହୋଇଛି ଯେ ପିଲାମାନେ ଚାହିଁଲେ ସେ ଅରବିନ୍ଦଙ୍କ ସହ ପୁଣି ଥରେ ରହିବେ।
ସିଧାସଳଖ ଉତ୍ତର ନଦେଲେ ବି ଏହା କହିଛନ୍ତି ଯେ ଅରବିନ୍ଦଙ୍କ ଇଚ୍ଛା ତାଙ୍କ ପାଇଁ ଗୁରୁତ୍ବ ରଖେ ନାହିଁ। ଅଞ୍ଜୁ ଆହୁରି ବି କହିଛନ୍ତି ଯେ ‘‘ତାଙ୍କ ସହ ମୋର ସମ୍ପର୍କ ଖରାପ ହୋଇସାରିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମୁଁ ଏବଂ ମୋ ପିଲାମାନଙ୍କ ଇଚ୍ଛା।’’