ନୂଆଦିଲ୍ଲୀ: ରାଜସ୍ଥାନର ଅଲୱରରେ ପରିବାର ଛାଡ଼ି ପାକିସ୍ତାନରେ ପ୍ରେମିକଙ୍କ ପାଖକୁ ପଳାଇଥିବା ଅଞ୍ଜୁ ଏବେ ଭାରତ ଫେରିଆସିଛନ୍ତି। ଗତରାତିରେ ଅଞ୍ଜୁ ୱାଘା ସୀମା ଦେଇ ଭାରତରେ ପ୍ରବେଶ କରିଥିଲେ। ପାକିସ୍ତାନରେ ପ୍ରେମୀ ନସରୁଲ୍ଲାଙ୍କ ପାଇଁ ଧର୍ମ ପରିବର୍ତ୍ତନ କରି ଫାତିମା ନାମରେ ପରିଚିତ ହୋଇଥିବା ଅଞ୍ଜୁ ପ୍ରାୟ ୫ ମାସ ଧରି ସେଠାରେ ଥିଲେ। ଭାରତରେ ପ୍ରବେଶ କରିବା ପରେ ତାଙ୍କୁ ପ୍ରଥମେ ବିଏସ୍ଏଫ୍ କ୍ୟାମ୍ପ୍କୁ ନିଆଯାଇଥିଲା ଏବଂ ସେଠାରେ ଦୀର୍ଘ ସମୟ ଧରି ପଚରାଉଚରା କରାଯାଇଥିଲା।
ଭାରତ ଫେରିଥିବା ଅଞ୍ଜୁଙ୍କର ପ୍ରଥମ ଫଟୋ ବିଏସ୍ଏଫ୍ କ୍ୟାମ୍ପ୍ରୁ ସାମ୍ନାକୁ ଆସିଛି। ଅଞ୍ଜୁ ଏହି ଫଟୋରେ କଳା ପୋଷାକ ପରିଧାନ କରିଛନ୍ତି ଏବଂ ତାଙ୍କ ଚେହେରାରେ ଉଦାସ ଭାବ ରହିଥିଲା। ଅଞ୍ଜୁଙ୍କୁ ଦିଲ୍ଲୀରେ ମଧ୍ୟ ସୁରକ୍ଷା ଏଜେନ୍ସିଗୁଡ଼ିକ ଜେରା କରିପାରନ୍ତି ବୋଲି କୁହାଯାଉଛି। ପାକିସ୍ତାନରେ ସେ କୌଣସି ପ୍ରକାର ଷଡ଼୍ଯନ୍ତ୍ରର ଅଂଶ ପାଲଟି ଭାରତ ଫେରିଛନ୍ତି କି ନାହିଁ ତାହାର ତଦନ୍ତ ହେବ। ଅଞ୍ଜୁଙ୍କ ବିରୋଧରେ ତାଙ୍କ ସ୍ବାମୀ ଥାନାରେ ମାମଲା ରୁଜୁ କରିଛନ୍ତି ଏବଂ ଏଥିପାଇଁ ତାଙ୍କୁ ଆଇନଗତ ପ୍ରକ୍ରିୟାକୁ ସାମ୍ନା କରିବାକୁ ପଡ଼ିବ।
ଅଞ୍ଜୁ କାହିଁକି ଏବେ ଭାରତ ଫେରିଲେ ସେ ସଂପର୍କରେ ଗଣମାଧ୍ୟମର ସବୁ ପ୍ରଶ୍ନକୁ ଏଡ଼ାଇ ଯାଇଛନ୍ତି। ତେବେ ‘ମୁଁ ଖୁସି ଅଛି’ ବୋଲି ସେ ଏଏନ୍ଆଇକୁ କହିଛନ୍ତି। ଧର୍ମ ପରିବର୍ତ୍ତନ ସହ ନାମ ବଦଳାଇଥିବା ଅଞ୍ଜୁଙ୍କ ଉପରେ ଏବେ ଗୁଇନ୍ଦା ସଂସ୍ଥାଗୁଡ଼ିକର ସତର୍କ ନଜର ରହିଛି। ସୂଚନାଯୋଗ୍ୟ, ଅଞ୍ଜୁଙ୍କୁ ପାକିସ୍ତାନ ସେନା ଓ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇର ସମର୍ଥନ ମିଳିଥିବା ବେଳେ ପାକିସ୍ତାନରେ ତାଙ୍କର ସୁରକ୍ଷା ପାଇଁ ଅହେତୁକ ତତ୍ପରତା ଦେଖିବାକୁ ମିଳିଥିଲା। ତାଙ୍କୁ ସେଠାରେ ଘର, ଜମି ଆଦି ଉପହାର ମିଳିଥିଲା।