ନୂଆଦିଲ୍ଲୀ: ସିଏ ତାଙ୍କ ପ୍ରେମ ପାଇଁ ଭାରତରେ ନିଜ ସ୍ବାମୀ ଓ ପିଲାଙ୍କୁ ଛାଡ଼ି ଚଳିତ ବର୍ଷ ପାକିସ୍ତାନ ଚାଲି ଯାଇଥିଲେ। ଏବେ ସେ ସ୍ବଦେଶକୁ ଫେରିବା ପରେ ଘରେ ପଶେଇବାକୁ ମନା କରି ଦେଇଛନ୍ତି ଅଞ୍ଜୁଙ୍କ ପିଲା। ଏପରିକି ଅଞ୍ଜୁଙ୍କ ପିଲାମାନେ ତାଙ୍କୁ ସୋସାଇଟିରରେ ବି ପୂରାଇବାକୁ ବାରଣ କରିଛନ୍ତି। ସେଥିପାଇଁ ତାଙ୍କ ସୋସାଇଟିର ସୁରକ୍ଷାକୁ ଆହୁରି ବଢ଼ାଇ ଦିଆଯାଇଛି। ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) ପକ୍ଷରୁ ଅଞ୍ଜୁଙ୍କ ପିଲାମାନଙ୍କୁ ଯୋଗାଯୋଗ କରାଯାଇଥିଲା। ସେମାନେ ନିଜ ମାଆଙ୍କୁ ଘରେ ପୂରାଇ ଦେବାକୁ ସ୍ପଷ୍ଟ ମନା କରି ଦେଇଛନ୍ତି।
ଅଞ୍ଜୁଙ୍କ ବାପାଙ୍କ ସହ ବି ଗଣମାଧ୍ୟମ ସଂସ୍ଥା ‘ଆଜ୍ତକ୍’ କଥା ହୋଇଥିଲା। ସେ ବି ତାଙ୍କ ଝିଅକୁ ଘରେ ପୂରାଇବାକୁ ନାରାଜ। ସେ କହିଛନ୍ତି ଯେ ଅଞ୍ଜୁ କୁଆଡ଼େ ଯିବେ ତାଙ୍କୁ ଜଣାନାହିଁ, ମାତ୍ର ତାଙ୍କ ଘରକୁ ସେ ଯିବାର ପ୍ରଶ୍ନ ଉଠୁନି।
୬ ମାସ ତଳେ ନିଜ ପ୍ରେମିକ ନସରୁଲ୍ଲାଙ୍କ ପାଇଁ ସ୍ବାମୀ ଓ ପିଲାଙ୍କୁ ପର କରି ଭାରତ ଛାଡ଼ି ପାକିସ୍ତାନ ଚାଲି ଯାଇଥିବା ଅଞ୍ଜୁ ବୁଧବାର ନିଜ ଦେଶକୁ ଫେରିଛନ୍ତି। ପ୍ରଥମେ ସେ ୱାଘା ସୀମାରେ ପହଞ୍ଚିଥିଲେ। ସେଠାରେ ଆଇବି ଓ ପୁଲିସ୍ ତାଙ୍କୁ ପଚରାଉଚରା କରିଥିଲା। ଏହାପରେ ଅମୃତସରରୁ ଦିଲ୍ଳୀ ବିମାନବନ୍ଦରରେ ପହଞ୍ଚିଥିଲେ ଅଞ୍ଜୁ।
ଉଲ୍ଲେଖଯୋଗ୍ୟ, ରାଜସ୍ଥାନ ଝିଅ, ପାକିସ୍ତାନୀ ବୋହୂ ଅଞ୍ଜୁଙ୍କ ପ୍ରେମ କାହାଣୀ ବିଷୟରେ ଗଣମାଧ୍ୟମରେ ଢ଼େର ଚର୍ଚ୍ଚା ହୋଇଥିଲା । ସିଏ ତାଙ୍କ ପ୍ରେମ ପାଇଁ ଭାରତରେ ନିଜ ସ୍ବାମୀ ଓ ପିଲାଙ୍କୁ ଛାଡ଼ି ଚଳିତ ବର୍ଷ ପାକିସ୍ତାନ ଚାଲି ଯାଇଥିଲେ। ୨୦୧୯ ମସିହାରେ ସୋସିଆଲ ମିଡିଆ ମାଧ୍ୟମରେ ନସରୁଲ୍ଲାଙ୍କୁ ଜାଣିବା ପରେ ତାଙ୍କ ପ୍ରେମରେ ପଡ଼ିଥିଲେ ଅଞ୍ଜୁ। ତା’ପରେ ପ୍ରେମ ସମ୍ପର୍କ ନିବିଡ଼ ହେବାରୁ ଅଞ୍ଜୁ, ସ୍ୱାମୀ ଏବଂ ଦୁଇ ପିଲାଙ୍କୁ ଛାଡ଼ି ଭିସା ନେଇ ପାକିସ୍ତାନ ପଳାଇଥିଲେ।