ଅଙ୍କିତା ହତ୍ୟା ମାମଲା: ‘ପ୍ରମାଣ ନଷ୍ଟ ପାଇଁ ରିସର୍ଟ ଭାଙ୍ଗିଛନ୍ତି’

ପୋଷ୍ଟମର୍ଟମ ରିପୋର୍ଟ ସାର୍ବଜନୀନ କରିବାକୁ ଦାବି, କଡ଼ା ସୁରକ୍ଷା ଭିତରେ ଶେଷକୃତ୍ୟ ସଂପନ୍ନ

ହରିଦ୍ବାର: ଉତ୍ତରାଖଣ୍ଡର ୧୯ ବର୍ଷୀୟା ଝିଅ ଅଙ୍କିତା ଭଣ୍ଡାରୀଙ୍କୁ ହତ୍ୟା ପ୍ରତିବାଦରେ ଆଜି ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ ହୋଇଛି । ଋଷିକେଶ ଏବଂ ପୌଡ଼ି ଗଡ଼ୱାଲ ଜିଲ୍ଲାର ଶ୍ରୀନଗରରେ ହଜାର ହଜାର ଜନତା ଅଙ୍କିତାଙ୍କ ପାଇଁ ନ୍ୟାୟ ଦାବି କରି ରାସ୍ତାକୁ ଓହ୍ଲାଇଛନ୍ତି। ଅନେକ ସ୍ଥାନରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଛନ୍ତି। ବଦ୍ରିନାଥ-ଋଷିକେଶ ଜାତୀୟ ରାଜପଥ ଅବରୋଧ ଯୋଗୁଁ ଟ୍ରାଫିକ୍‌ ସ୍ଥିତି ଜଟିଳ ହୋଇଛି। ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ପୂର୍ବତନ ବିଜେପି ନେତାଙ୍କ ପୁଅର ରିସର୍ଟକୁ ରାଜ୍ୟ ସରକାର ତରବରିଆ ଭାବେ ଭାଙ୍ଗି ନଷ୍ଟ କରିଦେଇଥିବାରୁ ଏବେ ବିଭିନ୍ନ ମହଲ ଏ ନେଇ ପ୍ରଶ୍ନ ଉଠାଇଛନ୍ତି। ଅଙ୍କିତାଙ୍କ ବାପାଙ୍କ ଅଭିଯୋଗ ଅନୁସାରେ ତାଙ୍କ ଝିଅ ସେଠି କାମ କରୁଥିଲା ଏବଂ ସବୁ ପ୍ରମାଣ ସେଠି ଥିଲା। ତେଣୁ ରିସର୍ଟକୁ କାହିଁକି ନଷ୍ଟ କରାଗଲା ବୋଲି ଅଙ୍କିତାଙ୍କ ବାପା ପ୍ରଶ୍ନ କରିଛନ୍ତି। ପରିବାର ଲୋକେ ଆଜି ଦାବି କରିଥିଲେ ଯେ ଝିଅର ଚୂଡ଼ାନ୍ତ ପୋଷ୍ଟମର୍ଟମ୍ ରିପୋର୍ଟ ପ୍ରଥମେ ପ୍ରଦାନ କରାଗଲେ ହିଁ ସେମାନେ ଝିଅର ଶବଦାହ କରିବେ। ତେବେ ପ୍ରଶାସନର ବୁଝାସୁଝା ପରେ ଶବଦାହ ପାଇଁ ପରିବାର ରାଜି ହୋଇଥିଲେ ଏବଂ କଡ଼ା ସୁରକ୍ଷା ଭିତରେ ଆଜି ସନ୍ଧ୍ୟାରେ ଶେଷକୃତ୍ୟ ସଂପନ୍ନ ହୋଇଛି।

ପୋଷ୍ଟମର୍ଟମ ରିପୋର୍ଟ ସାର୍ବଜନୀନ କରିବାକୁ ଦାବି
କଡ଼ା ସୁରକ୍ଷା ଭିତରେ ଶେଷକୃତ୍ୟ ସଂପନ୍ନ
ନ୍ୟାୟ ଦାବି କରି ଜନତା ରାସ୍ତାରେ, ବଦ୍ରିନାଥ-ଋଷିକେଶ ଜାତୀୟ ରାଜପଥ ଅବରୋଧ

ବର୍ତ୍ତମାନ ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ଘଟଣାର ତଦନ୍ତ କରୁଛି। ଅଙ୍କିତାଙ୍କ ହ୍ବାଟ୍‌ସଆପ୍ ଚାଟ୍ ଯାଞ୍ଚ କରାଯାଉଛି। ସେ କୁଆଡ଼େ ତାଙ୍କର ଜଣେ ସାଙ୍ଗକୁ କହିଥିଲେ ଯେ ରିସର୍ଟରେ ଗ୍ରାହକଙ୍କୁ ‘ସ୍ବତନ୍ତ୍ର ସେବା’ ପାଇଁ ତାଙ୍କୁ ବାଧ୍ୟ କରାଯାଉଥିଲା। କେତେକ ଗ୍ରାହକ ମଦ ନିଶାରେ ତାଙ୍କୁ ଆଲିଙ୍ଗନ କରୁଥିବା ବେଳେ ଅନ୍ୟ କେତେକ ଗ୍ରାହକଙ୍କ ସହ ରାତି କଟାଇବାକୁ କୁହାଯାଉଥିଲା। ଏଥିପାଇଁ ତାଙ୍କୁ ରାତି ପିଛା ୧୦ ହଜାର ଟଙ୍କା ଲେଖାଏଁ ଦେବାକୁ ହୋଟେଲ ମାଲିକ କହିଥିଲେ ଏବଂ ସେ ଏହାକୁ ପ୍ରତ୍ୟାଖ୍ୟାନ କରିବାରୁ ତାଙ୍କୁ ଟାର୍ଗେଟ୍‌ କରାଯାଉଥିବା ଅଙ୍କିତା ତାଙ୍କ ସାଙ୍ଗକୁ ହ୍ବାଟ୍‌ସଆପ୍‌ ବାର୍ତ୍ତାରେ କହିଛନ୍ତି।
ରିସର୍ଟ ମାଲିକ ତଥା ବହିଷ୍କୃତ ବିଜେପି ନେତା ବିନୋଦ ଆର୍ଯ୍ୟଙ୍କ ପୁଅ ପୁଲକିତ ଆର୍ଯ୍ୟ ଏବଂ ତାଙ୍କ ମ୍ୟାନେଜର ଓ ସହକାରୀ ମ୍ୟାନେଜରଙ୍କୁ ଶୁକ୍ରବାର ଗିରଫ କରାଯାଇ ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ପ୍ରୋଭିଜନାଲ ପୋଷ୍ଟମର୍ଟମ୍ ରିପୋର୍ଟରୁ ଜଣାପଡ଼ିଛି ଯେ, ପାଣିରେ ବୁଡ଼ି ଅଙ୍କିତାଙ୍କ ମୃତ୍ୟୁ ହୋଇଛି ଏବଂ ମୃତ୍ୟୁ ପୂର୍ବରୁ ଶରୀରରେ କିଛି କ୍ଷତଚିହ୍ନ ଥିବା ଜଣାପଡ଼ିଛି। ତେଣୁ ତାଙ୍କୁ ନିର୍ଯାତନା ଦେବାପରେ ନଦୀକୁ ଫୋପାଡ଼ି ଦିଆଯାଇଥିବା ଅଭିଯୋଗ ହୋଇଛି। ଅଙ୍କିତାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ବଢ଼ିବାରୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କରସିଂହ ଧାମି ଏହାର ଏସ୍‌ଆଇଟି ତଦନ୍ତ ଆଦେଶ ଦେବା ସହ ଦୋଷୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଶ୍ବାସନା ଦେଇଛନ୍ତି।

ବହିଷ୍କୃତ ବିଜେପି ନେତାଙ୍କ ବୟାନ, ମୋ ପୁଅ ନିରୀହ
ଋଷିକେଶ: ପୂର୍ବତନ ବିଜେପି ନେତା ତଥା ଉତ୍ତରାଖଣ୍ଡ ରିସେପ୍ସନିଷ୍ଟ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ପୁଲକିତ ଆର୍ଯ୍ୟଙ୍କ ବାପା ବିନୋଦ ଆର୍ଯ୍ୟ କହିଛନ୍ତି ଯେ ତାଙ୍କ ପୁଅ ଜଣେ ‘ସିଧା ସାଧା ବାଳକ’। ତାଙ୍କ ପୁଅ ନିରୀହ ଓ ତାଙ୍କ ବିରୋଧରେ ଅଣାଯାଇଥିବା ସବୁ ଅଭିଯୋଗ ମିଥ୍ୟା ବୋଲି ସେ କହିଛନ୍ତି। ବିନୋଦ ଆର୍ଯ୍ୟ କହିଛନ୍ତି ଯେ, ତାଙ୍କ ପୁଅ ଜଣେ ଅତି ସରଳ ପିଲା। ସେ ତା’ ନିଜ କାମରେ ମନ ଦେଇଥାଏ। ସେ ଉଭୟ ତାଙ୍କ ପୁଅ ପୁଲକିତ ଓ ମୃତ ରିସେପ୍ସନିଷ୍ଟ ଅଙ୍କିତା ଭଣ୍ଡାରୀଙ୍କ ପାଇଁ ନ୍ୟାୟ ଚାହାନ୍ତି ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର