ଉତ୍ତରାଖଣ୍ଡରେ ଆଲୋଡ଼ନ: କେନାଲରୁ ମିଳିଲା ଅଙ୍କିତାଙ୍କ ମୃତଦେହ

ଡେରାଡୁନ୍‌ : ଉତ୍ତରାଖଣ୍ଡର ଅଙ୍କିତା ଭଣ୍ଡାରି ହତ୍ୟା ମାମଲାରେ ଗତକାଲି ବିଜେପି ନେତା ବିନୋଦ ଆର୍ଯ୍ୟଙ୍କ ପୁଅ ପୁଲକିତ ଆର୍ଯ୍ୟଙ୍କ ସମେତ ୩ ଜଣ ଗିରଫ ହେବାପରେ ଶନିବାର ଦିନ ଋଷି‌କେଶର ଚିଲ୍ଲା ବ୍ୟାରେଜ୍‌ରୁ ଅଙ୍କିତାଙ୍କ ମୃତଦେହ ଉଦ୍ଧାର ହୋଇଛି। ଅଙ୍କିତାଙ୍କ ଶବ ଏମ୍ସ ଋଷିକେଶକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଉକ୍ତ ଘଟଣାରେ ଏସ୍‌ଆଇଟି (ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌) ଦ୍ବାରା ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଡିଆଇଜି ପି ରେଣୁକା ଦେବୀଙ୍କ ଅଧୀନରେ ମାମଲାର ତଦନ୍ତ ହେବ। ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଇତି ମଧ୍ୟରେ ବିଜେପି ଆଜି ମାମଲାରେ ମୁଖ୍ୟ ଅଭିଯୁକ୍ତ ପୁଲକିତ ଆର୍ଯ୍ୟଙ୍କ ବାପା ବିନୋଦ ଆର୍ଯ୍ୟ ଏବଂ ଭାଇ ଅଙ୍କିତ ଆର୍ଯ୍ୟଙ୍କୁ ଦଳରୁ ବହିଷ୍କାର କରିଛି। ବିନୋଦ ଆର୍ଯ୍ୟ ଉତ୍ତରାଖଣ୍ଡ ହରିଦ୍ବାରର ବିଜେପି ନେତା ଏବଂ ସେ ଜଣେ ପୂର୍ବତନ ମନ୍ତ୍ରୀ। ତାଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଥିଲା। ଅନ୍ୟପକ୍ଷେ ଅଙ୍କିତ ଆର୍ଯ୍ୟ ରାଜ୍ୟ ଓବିସି କମିସନ୍‌ର ଉପସଭାପତି।

ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
ହତ୍ୟାକୁ ବିରୋଧ କରି ତେଜିଲା ଆନ୍ଦୋଳନ
ବିଜେପି ନେତାଙ୍କ ପୁଅର ରିସୋର୍ଟରେ ନିଆଁ ଲଗାଇଦେଲେ ଉତ୍ତ୍ୟକ୍ତ ଜନତା
ବିଜେପି ନେତା ଓ ତାଙ୍କ ଭାଇ ଦଳରୁ ବହିଷ୍କୃତ

ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ୧୮ରୁ ଅଙ୍କିତା ନିଖୋଜ ଥିଲେ। ଅଙ୍କିତା ପୌଡ଼ିରେ ବିଜେପି ନେତାଙ୍କ ପୁଅର ମାଲିକାନାରେ ଥିବା ରିସୋର୍ଟରେ ରିସେପ୍ସନିଷ୍ଟ ଭାବେ କାମ କରୁଥିଲେ। ଉତ୍ତରାଖଣ୍ଡ ପୁଲିସ ମୁଖ୍ୟ ଅଶୋକ କୁମାର କହିଛନ୍ତି, ରିସୋର୍ଟ ମାଲିକ ପୁଲକିତ ଆର୍ଯ୍ୟ ଅଙ୍କିତାଙ୍କୁ ଅତିଥିଙ୍କ ସହ ଅନୈତିକ ସଂପର୍କ ପାଇଁ ବାଧ୍ୟ କରୁଥିଲେ। ରିପୋର୍ଟ ଅନୁଯାୟୀ ପୀଡ଼ିତା ତାଙ୍କ ବନ୍ଧୁଙ୍କୁ ଏକଥା କହିଥିଲେ ଯେ ସେ କାମ କରୁ୍‌ଥିବା ରିସୋର୍ଟର ମାଲିକ ତାଙ୍କୁ ରିସୋର୍ଟର ଗେଷ୍ଟ୍‌ଙ୍କ ସହ ରହିବାକୁ ବାଧ୍ୟ କରୁଥିଲେ। ତାଙ୍କୁ ବେଶ୍ୟାବୃତ୍ତି ପାଇଁ ବାଧ୍ୟ କରାଯାଉଥିବା ସେ କହିଥିଲେ। ଇତି ମଧ୍ୟରେ ପୁଲକିତ ଆର୍ଯ୍ୟ ସ୍ବୀକାର କରିସାରିଛି ଯେ ସେ ଏବଂ ତାଙ୍କର କେତେକ ସହଯୋଗୀ ଅଙ୍କିତାଙ୍କୁ କେନାଲ୍‌କୁ ଠେଲି ହତ୍ୟା କରିଥିଲେ।

ଅଙ୍କିତା ହତ୍ୟା ଘଟଣାକୁ ବିରୋଧ କରି ସ୍ଥାନୀୟ ଲୋକମାନେ ଆଜି ଜୋରଦାର ଆନ୍ଦୋଳନ କରିଛନ୍ତି। ଶୁକ୍ରବାର ରାତିରେ ପ୍ରଶାସନ ଅଭିଯୁକ୍ତ ପୁଲକିତ ଆର୍ଯ୍ୟର ରିସୋର୍ଟକୁ ବୁଲଡୋଜର ଲଗେଇ ଭାଙ୍ଗି ଦେଇଛନ୍ତି। ଅନ୍ୟପକ୍ଷେ ସ୍ଥାନୀୟ ଲୋକମାନେ ରିସୋର୍ଟ ପରିସରରେ ଥିବା ଏକ କୋଠାରେ ଶନିବାର ନିଆଁ ଲଗାଇ ଦେଇଛନ୍ତି। ବିଜେପି ନେତାଙ୍କ ଘର ସମ୍ମୁଖରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ ହୋଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି ବିଜେପି ଶାସନରେ ମହିଳାମାନେ ସୁରକ୍ଷିତ ନାହାନ୍ତି। ସ୍ଥାନୀୟ ଲୋକେ ଆଜି ଯମକେଶ୍ବର ବିଧାୟକ ରେଣୁ ବିସ୍ତଙ୍କ ଗାଡ଼ି ଉପରକୁ ମଧ୍ୟ ଆକ୍ରମଣ କରିଛନ୍ତି। ଆନ୍ଦୋଳନରତ ଜନତା ଅଭିଯୋଗ କରିଛନ୍ତି ଯେ ବିଧାୟକ ଜଣେ ମହିଳା ହୋଇଥିଲେ ସୁଦ୍ଧା ନିଜ ଅଞ୍ଚଳର ଝିଅର ନ୍ୟାୟ ପାଇଁ ଲଢ଼ୁନାହାନ୍ତି ଏବଂ ଅଭିଯୁକ୍ତ ବିରୋଧରେ ମୁହଁ ଖୋଲୁନାହାନ୍ତି।

ସମ୍ବନ୍ଧିତ ଖବର