ସହରାଞ୍ଚଳ ଏବଂ ଜାତୀୟ ରାଜମାର୍ଗରେ ପଶୁଙ୍କ ଯୋଗୁ ଘଟୁଥିବା ଦୁର୍ଘଟଣା ଉପରେ ଲାଗିବ ଅଙ୍କୁଶ

ନୂଆଦିଲ୍ଲୀ : ସହରାଞ୍ଚଳ ଏବଂ ଜାତୀୟ ରାଜମାର୍ଗରେ ପଶୁମାନଙ୍କ ଯୋଗୁ ଘଟୁଥିବା ଦୁର୍ଘଟଣା ଉପରେ ରୋକ ଲଗାଇବେ କେନ୍ଦ୍ର ସରକାର । ଏ ନେଇ ଖୁବ୍‌ ଶୀଘ୍ର ନୂଆ ମାର୍ଗଦର୍ଶିକ‌ା ଜାରି ହେବ। କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ସମସ୍ତ ଯନ୍ତ୍ରୀମାନଙ୍କ ଠାରୁ ଏ ସମ୍ପର୍କରେ ପରାମର୍ଶ ଲୋଡ଼ିଛି। ଯାହାଦ୍ବାରା ଏକ ପ୍ରଭାବଶାଳୀ କାର୍ଯ୍ୟପନ୍ଥା ପ୍ରସ୍ତୁତ କରାଯାଇପାରିବ। ମନ୍ତ୍ରାଳୟ ନିକଟରେ ଏନ୍‌ଏଚ୍‌ଏଆଇ, ଏନ୍‌ଏଚ୍‌ଆଇଡିସିଏଲ୍‌, ପୂର୍ତ୍ତ ବିଭାଗ ଏବଂ ଆଞ୍ଚଳିକ ଅଧିକାରୀ (ଆର୍‌ଓ)ମାନଙ୍କୁ ମଧ୍ୟ ଆଦେଶ ଜାରି କରିଛନ୍ତି।

ଏଥିରେ ସ୍ପଷ୍ଟ ରୂପେ ଉଲ୍ଲେଖ କରାଯାଇଛି ଯେ ସହରାଞ୍ଚଳ ଓ ଜାତୀୟ ରାଜମାର୍ଗରେ ପଶୁମାନେ ରାସ୍ତା ଅତିକ୍ରମ କରିବା କିମ୍ବା ଠିଆ ହେବା କାରଣରୁ ସଡ଼କ ଦୁର୍ଘଟଣାମାନ ଘଟୁଛି। ଯାହାକୁ କି ନିୟନ୍ତ୍ରଣ କରାଯିବାର ଆବଶ୍ୟକତା ରହିଛି। ଏହି ପ୍ରସଙ୍ଗରେ ପର୍ଯ୍ୟଟନ ଓ ପରିବହନ ମନ୍ତ୍ରାଳୟ ସମ୍ବନ୍ଧିତ ସଂସଦୀୟ ସ୍ଥାୟୀ କମିଟି ଦ୍ବାରା ସର୍ବପ୍ରଥମେ ଚିନ୍ତା ବ୍ୟକ୍ତ କରାଯାଇଥିଲା। କମିଟି ସଂସଦରେ ଉପସ୍ଥାପନ କରିଥିବା ରିପୋର୍ଟରେ କେନ୍ଦ୍ର ସରକାରଙ୍କୁ ଏ ଦିଗରେ କଡ଼ା ପଦକ୍ଷେପ ଗ୍ରହଣ କରିବା ପାଇଁ ସୁପାରିସ କରିଥିଲେ। ଏହି କାରଣରୁ ଅନେକ ସମୟରେ ଭୀଷଣ ଦୁର୍ଘଟଣା ହେଉଛି ଓ ଯାତ୍ରୀଙ୍କ ପ୍ରତି ସର୍ବଦା ବିପଦ ରହୁଛି। ବିଶେଷ କରି ବୟୋଜ୍ୟେଷ୍ଠ ବ୍ୟକ୍ତି, ମହିଳା ଏବଂ ଶିଶୁମାନଙ୍କର ଜୀବନ ପ୍ରତି ଅଧିକ ବିପଦ ରହୁଛି । କମିଟି ଦ୍ବାରା ସମସ୍ୟାର ସମାଧାନ ପାଇଁ ଏକାଧିକ ସୁପାରିସ କରାଯାଇଥିଲା। କମିଟିର ସୁପାରିସ ଆଧାରରେ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ଦ୍ବାରା ତତ୍ପରତା ପ୍ରକାଶ କରାଯାଇ ପଦକ୍ଷେପ ନିଆଯାଇଛି। ସଡ଼କରେ ବୁଲା କୁକୁର, ଗାଈ, ମଇଁଷି, ବିଲେଇ, ମାଙ୍କଡ଼ ଓ ଘୁଷୁରି ଆଦି ପଶୁମାନଙ୍କ ଯୋଗୁ ଦୁର୍ଘଟଣାମାନ ବଢ଼ୁଛି।

ସମ୍ବନ୍ଧିତ ଖବର