ଚଣ୍ଡୀଗଡ଼: ବ୍ୟକ୍ତିଗତ କାରଣ ଦର୍ଶାଇ ପଞ୍ଜାବର ଆଡଭୋକେଟ୍ ଜେନେରାଲ୍ ଅନମୋଲ ରତନ ସିଦ୍ଧୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ନିକଟକୁ ପଠାଇଛନ୍ତି। ଚଳିତ ବର୍ଷ ମାର୍ଚ୍ଚରେ ନୂତନ ସରକାର ଗଠନ ପରେ ତାଙ୍କୁ ରାଜ୍ୟର ଆଡଭୋକେଟ୍ ଜେନେରାଲ୍ ଭାବରେ ନିଯୁକ୍ତ କରାଯାଇଥିଲା। ପୂର୍ବରୁ ଡିଏସ୍ ପାଟୱାଲିଆ ଚନ୍ନି ସରକାରରେ ଆଡଭୋକେଟ୍ ଜେନେରାଲ୍ ଥିଲେ। ଆଉ ମାନ ସରକାର ଆସିବା ପରେ ତାଙ୍କ ସ୍ଥାନରେ ଅନମୋଲ ରତନଙ୍କୁ ନୂତନ ଏଜି ଭାବରେ ନିଯୁକ୍ତ କରାଯାଇଥିଲା | ତେବେ ପଞ୍ଜାବରେ ଆମ୍ ଆଦମୀ ପାର୍ଟି ସରକାର ଗଠନ ହେବାର ଚାରିମାସ ମଧ୍ୟରେ ଅନ୍ୟ ଜଣେ ବରିଷ୍ଠ ଅଧିକାରୀ ଇସ୍ତଫା ଦେଇଛନ୍ତି।
ଏହାପୂର୍ବରୁ ପୁଲିସ ମୁଖ୍ୟ ଭି.କେ ଭବ୍ରା ଇସ୍ତଫା ଦେଇଥିଲେ | ସିଦ୍ଧୁ ମୁସେୱାଲା ହତ୍ୟାରେ ମୁଖ୍ୟ ଅଭିଯୁକ୍ତ ଲରେନ୍ସ ବିଷ୍ଣୋଇଙ୍କୁ ତିହାର ଜେଲରୁ ପଞ୍ଜାବ ପୁଲିସର ହେପାଜତକୁ ଆଣିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସିଦ୍ଧୁ ତାଙ୍କ ଇସ୍ତଫା ନେଇ କୌଣସି କାରଣ ଦେଇନାହାଁନ୍ତି। ତେବେ ସୂତ୍ରରୁ ପ୍ରକାଶ ଯେ କିଛି ଆଇଏଏସ୍ ଅଧିକାରୀଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା, ଯେଉଁଥିପାଇଁ ସେ ଇସ୍ତଫା ଦେଇଛନ୍ତି । ତେବେ କେଉଁ ପ୍ରସଙ୍ଗରେ ଯୁକ୍ତିତର୍କ ହୋଇଥିଲା ତାହା ଜଣାପଡିନାହିଁ।
ଜଣେ ଓକିଲ ଭାବରେ ଅନମୋଲ ରତନ ସିଦ୍ଧୁଙ୍କର ଦୀର୍ଘ ଏବଂ ସଫଳ କ୍ୟାରିୟର ରହିଆସିଛି | ସେ ଭାରତର ଆସିଷ୍ଟାଣ୍ଟ ସଲିସିଟର ଜେନେରାଲ୍ ଓ ପଞ୍ଜାବ ଏବଂ ହରିୟାଣାର ଅତିରିକ୍ତ ଆଡଭୋକେଟ୍ ଜେନେରାଲ୍ ଭାବରେ କାର୍ଯ୍ୟ କରିଛନ୍ତି। ପଞ୍ଜାବର ଆଡଭୋକେଟ୍ ଭାବରେ ନିଯୁକ୍ତ ହେବା ପରେ ସେ ବେତନ ହିସାବରେ ମାତ୍ର ଏକ ଟଙ୍କା ନେବାକୁ ଘୋଷଣା କରିଥିଲେ। ସେ କହିଥିଲେ ଯେ ତାଙ୍କ ବେତନ ଟଙ୍କା ନିଶାଗ୍ରସ୍ତଙ୍କ ଥଇଥାନ ପାଇଁ ବ୍ୟବହୃତ ହେବା ଉଚିତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/zaaa-6.jpg)