ନୂଆଦିଲ୍ଲୀ: ଚାଷୀଙ୍କ ବିଭିନ୍ନ ସମସ୍ୟା, ଲୋକପାଳ ବିଲ ଓ ସ୍ୱଚ୍ଛ ନିର୍ବାଚନ ବ୍ୟବସ୍ଥା ସମ୍ପର୍କିତ ଦାବିରେ ସ୍ଥାନୀୟ ରାମଲୀଳା ମଇଦାନରେ ଆମରଣ ଅନଶନରେ ବସିଥିବା ଗାନ୍ଧୀବାଦୀ ନେତା ଆନ୍ନା ହଜାରେ ଆଜି ସପ୍ତମ ଦିନରେ ଅନଶନ ଭାଙ୍ଗିଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ରେ ଫଡ୍‌ନାଭିସ୍‌ ଓ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ଵତ ଆନ୍ନାଙ୍କ ସହ ଆଲୋଚନା କରି ଦାବି ପୂରଣର ପ୍ରତିଶ୍ରୁତି ଦେଇଥିଲେ। ଫଳରେ ମୁଖ୍ୟମନ୍ତ୍ରୀ ଫଡନାଭିସ୍‌ଙ୍କ ହାତରୁ ଫଳରସ ପିଇ ୮୦ ବର୍ଷୀୟ ଆନ୍ନା ଅନଶନ ଭାଙ୍ଗିଥିଲେ। ମଞ୍ଚ ଉପରେ ଥାଇ କେନ୍ଦ୍ର ସରକାରଙ୍କ ଦ୍ୱାରା ଲିଖିତ ପ୍ରତିଶ୍ରୁତିକୁ ମନ୍ତ୍ରୀ ଶେଖାଓ୍ଵତ ପଢ଼ିିଥିଲେ। ଚାଷୀଙ୍କ ବିଭିନ୍ନ ସମସ୍ୟା, ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, କୃଷିଋଣରୁ ଚକ୍ରବୃଦ୍ଧି ସୁଧ ହାର ହଟାଇବା, ଲୋକାୟୁକ୍ତ ବିଲ୍‌ ଓ ନିର୍ବାଚନ ପଦ୍ଧତିରେ ସଂସ୍କାର ସମ୍ବନ୍ଧୀୟ ମୋଟ ୧୧ଟି ଦାବିରୁ ୮ଟିର ପୂରଣ ପାଇଁ ସରକାର ରାଜି ହୋଇଛନ୍ତି। ଅନ୍ୟ ଦାବିଗୁଡ଼ିକ ଉପରେ ଏବେ ବି ଆଲୋଚନା ଜାରି ରହିଛି ବୋଲି ଶେଖାଓ୍ଵତ କହିଥିଲେ। ଅନଶନ ଭାଙ୍ଗିଲା ପରେ ଆନ୍ନା ଗଣମାଧ୍ୟମକୁ କହିଥିଲେ ଯେ କେନ୍ଦ୍ର ସରକାର ଶୀଘ୍ର ଲୋକପାଳ ନିଯୁକ୍ତି କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ୬ମାସ ମଧ୍ୟରେ ପ୍ରତିଶ୍ରୁତି ପୂରଣ ନହେଲେ ସେ ପୁଣି ଅନଶନରେ ବସିବେ।