ଲୋକପାଳ ଲଢ଼େଇ L ଆନ୍ନାଙ୍କ ଅନଶନ ଆରମ୍ଭ

ନେତାଙ୍କୁ ସାମିଲ କରାଯିବନି

ମୁମ୍ବାଇ : କେନ୍ଦ୍ରରେ ଲୋକପାଳ ଏବଂ ରାଜ୍ୟମାନଙ୍କରେ ଲୋକାୟୁକ୍ତ ନିଯୁକ୍ତି ଦାବିରେ ସମାଜସେବୀ ଆନ୍ନା ହଜାରେ ଆଜିଠାରୁ ଆମରଣ ଅନଶନ ଆରମ୍ଭ କରିଛନ୍ତି। ମହାରାଷ୍ଟ୍ରର ଅହମଦନଗର ଜିଲ୍ଲା ସ୍ଥିତ ତାଙ୍କ ନିଜ ଗ୍ରାମ ରାଲେଗାଓଁରେ ଆନ୍ନା ଆମରଣ ଅନଶନ ଆରମ୍ଭ କରିଛନ୍ତି। ଦୁର୍ନୀତି ବିରୋଧରେ ଲଢ଼େଇ ଜାରି ରଖିଥିବା ଆନ୍ନା କହିଛନ୍ତି ଯେ ଏହି ଅନଶନରେ କୌଣସି ରାଜନୈତିକ ନେତା ଯୋଗ ଦେବେନାହିଁ। ଯଦି କୌଣସି ବ୍ୟକ୍ତି ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବଳିଷ୍ଠ ପ୍ରମାଣ ଆଣନ୍ତି ‌ତେବେ ଲୋକପାଳ ଦ୍ବାରା ପ୍ରଧାନମନ୍ତ୍ରୀଙ୍କୁ ବି ତଦନ୍ତ ପରିସରଭୁକ୍ତ କରାଯାଇ ପାରିବ ବୋଲି ସେ କହିଛନ୍ତି। ସେହିପରି ଲୋକାୟୁକ୍ତ ଦ୍ବାରା ରାଜ୍ୟମାନଙ୍କରେ ମୁଖ୍ୟମନ୍ତ୍ରୀ, ଅନ୍ୟ ମନ୍ତ୍ରୀ ଏବଂ ବିଧାୟକମାନଙ୍କ ବିରୋଧରେ ମଧ୍ୟ ତଦନ୍ତ କରାଯାଇପାରିବ। ଏଥିପାଇଁ କୌଣସି ଦଳ ଲୋକପାଳ ନିଯୁକ୍ତି ପାଇଁ ଆଗ୍ରହ ଦେଖାଉ ନାହାନ୍ତି ବୋଲି ଆନ୍ନା କହିଥିଲେ। ୨୦୧୩ରେ ଲୋକପାଳ ସଂସଦରେ ଗୃହୀତ ହୋଇଥିଲେ ମଧ୍ୟ ସରକାର ଏଯାବତ୍‌ ଲୋକପାଳ ନିଯୁକ୍ତ କରିନାହାନ୍ତି। ଆନ୍ନା କହିଛନ୍ତି ଯେ ସେ ଏଥର କୌଣସି ଦଳ ଏବଂ ବ୍ୟକ୍ତି ବିଶେଷଙ୍କ ବିରୋଧରେ ଆନ୍ଦୋଳନ କରୁନାହାନ୍ତି । ଏହି ଆନ୍ଦୋଳନ ଦେଶର କଲ୍ୟାଣ ପାଇଁ ବୋଲି ସେ କହିଛନ୍ତି। ଲୋକପାଳ- ଲୋକାୟୁକ୍ତ ଆଇନ ବାସ୍ତବ ରୂପ ନନେ‌ବା ପର୍ଯ୍ୟନ୍ତ ସେ ଅନଶନରୁ ଉଠିବେ ନାହିଁ ବୋଲି କହିଛନ୍ତି।

ଲୋକପାଳ: ଆନ୍ଦୋଳନରୁ ଆଇନ ପର୍ଯ୍ୟନ୍ତ

ସମାଜସେବୀ ଆନ୍ନା ହଜାରେଙ୍କ ବିଶାଳ ଗଣ ଆନ୍ଦୋଳନ ପରେ ୨୦୧୩ରେ ଲୋକପାଳ ଏବଂ ଲୋକାୟୁକ୍ତ ବିଲ୍‌ ସଂସଦରେ ଗୃହୀତ ହୋଇଥିଲା। କିନ୍ତୁ ଏ ପର୍ଯ୍ୟନ୍ତ ନିଯୁକ୍ତି ପ୍ରକ୍ରିୟା ସଂପୂର୍ଣ୍ଣ ହୋଇପାରି ନାହିଁ। ୨୦୧୯ ଲୋକସଭା ନିର୍ବାଚନ ପରେ ନୂଆ ସରକାର ଏ ଦିଗରେ କେତେଦୂର ଅଗ୍ରସର ହୋଇପାରିବେ ସେ ନେଇ ମଧ୍ୟ ଅନିଶ୍ଚିତତା ଲାଗି ରହିଛି।

ଏପ୍ରିଲ ୨୦୧୧: ଦେଶରେ ଦୁର୍ନୀତିକୁ ରେକିବା ପାଇଁ ଲୋକପାଳ-ଲୋକାୟୁକ୍ତି ନିଯୁକ୍ତି ଦାବି କରି ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଭେଟିବା ପରେ ସମାଜସେବୀ ଆନ୍ନା ହଜାରେ ଦିଲ୍ଲୀର ଜନ୍ତର-ମନ୍ତରରେ ଆମରଣ ଅନଶନ ଆରମ୍ଭ କରିଥିଲେ।

ଜୁନ୍‌ ୨୦୧୧: ସରକାର ଏବଂ ଆନ୍ନାଙ୍କ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ କଥାବାର୍ତ୍ତା ସତ୍ତ୍ବେ ଲୋକପାଳଙ୍କ ନିଯୁକ୍ତି ଏବଂ କ୍ଷମତା ପରିସର ନେଇ ମତଭେଦ ତୀବ୍ର ହୋଇଥିଲା। ଜୁନ୍‌ ୩୦ ତାରିଖରେ ସରକାର ଏକ ଚିଠା ବିଲ୍‌ କ୍ୟାବିନେଟ୍‌ରେ ଉପସ୍ଥାପନ କରିଥିଲେ। ଯୋଗଗୁରୁ ବାବା ରାମଦେବ ମଧ୍ୟ ଏ ସଂକ୍ରାନ୍ତ ଦାବି ନେଇ ତାଙ୍କର ଆନ୍ଦୋଳନ କରିଥିଲେ।

ଜୁଲାଇ ୨୦୧୧: ଲୋକପାଳ ଚିଠା ବିଲ୍‌କୁ କ୍ୟାବିନେଟ୍‌ ଅନୁମୋଦନ ମିଳିଲା ଏବଂ ଏହା ପ୍ରଧାନମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରିପାରିବ ନାହିଁ ବୋଲି କୁହାଯାଇଥିଲା।

ଅଗଷ୍ଟ ୪, ୨୦୧୧: ଲୋକସଭାରେ ଲୋକପାଳ ବିଲ୍‌ ଆଗତ ହେଲା।

ଅଗଷ୍ଟ ୧୬, ୨୦୧୧: ଆନ୍ନାଙ୍କୁ ଗିରଫ କରି ତିହାର ଜେଲ୍‌ ପଠାଗଲା।

ଅଗଷ୍ଟ ୧୯, ୨୦୧୧: ଆନ୍ନାଙ୍କୁ ଖଲାସ କରାଗଲା ଏବଂ ଆନ୍ନା ସେଠାରୁ ରାମଲୀଳା ମୈଦାନକୁ ଯାଇ ଅନଶନ ଆରମ୍ଭ କଲେ।

ଅଗଷ୍ଟ, ୨୯, ୨୦୧୧: ଆନ୍ନା ତାଙ୍କର ୧୩ ଦିନିଆ ଅନଶନ ଶେଷ କଲେ।

ଡିସେମ୍ବର, ୨୦୧୩: ୧୩ ଡିସେମ୍ବରରେ ଲୋକପାଳ ବିଲ୍‌ ରାଜ୍ୟସଭାରେ ଆଗତ କରାଗଲା ଏବଂ ୧୭ ଡିସେମ୍ବରେ ଏହା ଗୃହୀତ ହୋଇଥିଲା। ୧୮ ଡିସେମ୍ବରରେ ଏହି ବିଲ୍‌ ଲୋକସଭାରେ ଗୃହୀତ ହୋଇଥିଲା

ଜାନୁଆରି ୪, ୨୦୧୯: ଲୋକପାଳ ଚନୟ କମିଟି ସଂପର୍କରେ ସମସ୍ତ ଅଗ୍ରଗତି ନେଇ ସତ୍ୟପାଠ ଦାଖଲ ପାଇଁ କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶ।

ସମ୍ବନ୍ଧିତ ଖବର