ଲୋକପାଳ ନିଯୁକ୍ତି ଦାବିରେ ଆନ୍ନା ପୁଣି ଆରମ୍ଭ କଲେ ଆମରଣ ଅନଶନ; ଅଡ଼ୁଆରେ ମୋଦି ସରକାର

ନୂଆଦିଲ୍ଲୀ: ଦୀର୍ଘ ୭ ବର୍ଷର ବ୍ୟବଧାନ ପରେ ବିଶିଷ୍ଟ ଗାନ୍ଧୀବାଦୀ, ସମାଜସେବୀ ତଥା ସମାଜ କର୍ମୀ (ସୋସିଆଲ ଆକ୍ଟିଭିଷ୍ଟ) ଆନ୍ନା ହଜାରେ ଶୁକ୍ରବାର ଆଉଥରେ ଦିଲ୍ଲୀର ଐତିହାସିକ ରାମଲୀଳା ମଇଦାନ ଠାରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଆମରଣ ଅନଶନ ଆରମ୍ଭ କରିଛନ୍ତି। କେନ୍ଦ୍ରରେ ଲୋକପାଳ ନିଯୁକ୍ତି ପାଇଁ ସରକାରଙ୍କ ଉପରେ ଚାପ ପକାଇବା ଉଦ୍ଦେଶ୍ୟରେ, ଦେଶରେ ଦୁର୍ନୀତି ବିରୋଧୀ ଆନ୍ଦୋଳନର ପ୍ରବର୍ତ୍ତକ ଆନ୍ନା ହଜାରେ ଏହି ଆମରଣ ଅନଶନ ଆରମ୍ଭ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଆନ୍ନା ଦୀର୍ଘଦିନ ଧରି ଦୁର୍ନୀତିମୁକ୍ତ ଭାରତ ଗଠନ ଲକ୍ଷ୍ୟରେ କେନ୍ଦ୍ରରେ ଲୋକପାଳଙ୍କୁ ନିଯୁକ୍ତି ଦେବା ସହ ରାଜ୍ୟ ସ୍ତରରେ ଲୋକାୟୁକ୍ତମାନଙ୍କୁ ନିଯୁକ୍ତ କରିବା ଏବଂ ସ୍ୱାମୀନାଥନ କମିଶନଙ୍କ ସୁପାରିସ୍‌କୁ କାର୍ଯ୍ୟକାରୀ କରିବା ପାଇଁ ସରକାରଙ୍କ ନିକଟରେ ଦାବି କରି ଆସୁଛନ୍ତି। ଏହି ଦାବି ନେଇ ଆନ୍ନା ହଜାରେ ଗତ ୨୦୧୧ରେ ମଧ୍ୟ ରାମଲୀଳା ମଇଦାନରେ ଆମରଣ ଅନଶନରେ ବସିଥିଲେ। ସେତେବେଳେ ଆନ୍ନା ନିଜର ଦାବି ସପକ୍ଷରେ କୋକୋଟି ଭାରତୀୟଙ୍କ ସମର୍ଥନ ଲାଭ କରିବା ସହ ତତ୍କାଳୀନ ଉପା ସରକାରକୁ ମଧ୍ୟ ଦୋହଲାଇ ଦେଇଥିଲେ। ସେତେବେଳେ କେନ୍ଦ୍ରରେ କଂଗ୍ରେସର ମନମୋହନ ସିଂହଙ୍କ ନେତୃତ୍ୱାଧୀନ ଉପା ସରକାର ଶାସନରେ ଥିଲା। ଆନ୍ନାଙ୍କ ଆମରଣ ଅନଶନ ଓ ଦାବି ଆଗରେ ମୁଣ୍ଡ ନୁଆଁଇ ତତ୍କାଳୀନ ଉପା ସରକାର ଖୁବ୍‌ ଶୀଘ୍ର ଆନ୍ନାଙ୍କ ଦାବି ପୂରଣ କରିବେ ବୋଲି ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ଦେବା ସହ ଆନ୍ନାଙ୍କୁ ଆମରଣ ଅନଶନରୁ ଉଠାଇ ଦେଇଥିଲେ। ହେଲେ, ଉପା ସରକାର ଶାସନରୁ ଯିବା ପର୍ଯ୍ୟନ୍ତ ସୁଦ୍ଧା ଆନ୍ନାଙ୍କ ଦାବି ପୂରଣ ହୋଇ ପାରି ନଥିଲା।

ପରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ବିଜେପି ନିର୍ବାଚନ ପ୍ରଚାର କାଳରେ ଆନ୍ନାଙ୍କ ଦାବି ପ୍ରତି ସମର୍ଥନ ଜଣାଇବା ସହ କ୍ଷମତାକୁ ଆସିଲେ ସର୍ବପ୍ରଥମେ ଦୁର୍ନୀତିମୁକ୍ତ ଭାରତ ଗଠନ ପାଇଁ ଲୋକପାଳ ଓ ଲୋକାୟୁକ୍ତଙ୍କୁ ନିଯୁକ୍ତ କରିବେ ବୋଲି ଦେଶବାସୀଙ୍କୁ ପ୍ରତିଶ୍ରୁତି ଦେଇ ନିର୍ବାଚନୀ ବୈତରଣୀ ପାର ହେଲେ ଏବଂ କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନ୍‌ଡିଏ ସରକାର ଗଠନ କଲେ। ହେଲେ, ମୋଦି ସରକାର ୪ ବର୍ଷ ଶାସନରେ ରହିସାରିବା ପରେ ଆସନ୍ତା ବର୍ଷ ଆଉ ଏକ ନିର୍ବାଚନକୁ ସାମନା କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ହେଲେ ବିଡ଼ମ୍ବନା ହେଲା, ଲୋକପାଳ ଓ ଲୋକାୟୁକ୍ତଙ୍କ ନିଯୁକ୍ତି ପାଇଁ ଆନ୍ନାଙ୍କ ଦାବି ଏଯାବତ୍‌ ଅପୂରଣୀୟ ହୋଇ ରହଯାଇଛି।

ଏକ ଯୁକ୍ତିଯୁକ୍ତ, ନ୍ୟାୟ ସଂଗତ ତଥା ଆବଶ୍ୟକୀୟ ଦାବି ପୂରଣ ଦିଗରେ ରାଜନେତାମାନଙ୍କର ଏପ୍ରକାର ଉଚ୍ଚାରଣ ଓ ଆଚରଣରେ ଚିଲିକା ଏପାରି ସେପାରିର ଦୂରତ୍ୱ ଗାନ୍ଧୀବାଦୀ ନେତା ଆନ୍ନା ହଜାରେଙ୍କୁ ଗଭୀର ଭାବେ ମର୍ମାହତ କରିଛି। ତେଣୁ, ଏହି ଦୀର୍ଘ ଦିନର ଦାବି ପୂରଣ ଲକ୍ଷ୍ୟରେ ଶେଷଥର ପାଇଁ ଶେଷବିକଳ୍ପ ଭାବେ ଦିଲ୍ଲୀର ଏତିହାସିକ ରାମଲୀଳା ମଇଦାନରେ ଆଉଥରେ ଆମରଣ ଅନଶନରେ ବସିବା ପାଇଁ ବାଧ୍ୟ ହେଲେ ବୋଲି ଅତ୍ୟନ୍ତ କ୍ଷୋଭର ସହ କହିଛନ୍ତି ଆନ୍ନା।

ସମ୍ବନ୍ଧିତ ଖବର