ଆସନ୍ତାକାଲିଠାରୁ ଚାଷୀ ଆନ୍ଦୋଳନରେ ସାମିଲ୍‌ ହେବେ ଆନ୍ନା ହଜାରେ

ଅହମ୍ମଦନଗର: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଚାଲିଥିବା ଆନ୍ଦୋଳନରେ ମହାରାଷ୍ଟ୍ରର ଚାଷୀମାନେ ସାମିଲ୍‌ ହେବା ପରେ ଏବେ ସମାଜସେବୀ ଆନ୍ନା ହଜାରେ ମଧ୍ୟ ଏହି ଆନ୍ଦୋଳନରେ ଆସନ୍ତାକାଲିଠାରୁ ସାମିଲ୍‌ ହେବେ ବୋଲି ସୂଚନା ରହିଛି। ସେ ନିଜ ସହର ମହାରାଷ୍ଟ୍ରର ଅହମ୍ମଦନଗରରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅନଶନ କରିବେ। ଏହା ସହ ଆନ୍ନା ନିଜ ସମର୍ଥକଙ୍କୁ ନିଜ ନିଜ ସ୍ଥାନରୁ ଏହି ଆନ୍ଦୋଳନକୁ ସମର୍ଥନ କରି ବିକ୍ଷୋଭ ପ୍ରଦର୍ଶନ କରିବାକୁ କହିଛନ୍ତି।

କୃଷକମାନଙ୍କ ଉଦ୍ଦେଶ୍ୟରେ ଆନ୍ନା କହିଛନ୍ତି, ‘‘ମୁଁ ଗତ ଚାରି ବର୍ଷ ଧରି ଚାଷୀଙ୍କ ଗୁରୁତ୍ୱପୂର୍ଣ୍ଣ ଦାବି ପାଇଁ ଆନ୍ଦୋଳନ କରିଆସୁଛି। କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ୍‌ରୁ ଜଣାପଡୁଛି ଯେ କୃଷିକମା‌ନଙ୍କ ପ୍ରସଙ୍ଗରେ ସରକାର ଠିକ୍ ନିଷ୍ପତ୍ତି ନେଉନାହାଁନ୍ତି। କୃଷକମାନଙ୍କ ପ୍ରତି ସରକାର ସମ୍ବେଦନଶୀଳ ନୁହଁନ୍ତି।’’

ସେ ଆହୁରି ବି କହିଛନ୍ତି କି ‘‘ମୁଁ ଏହି ପ୍ରସଂଗକୁ ନେଇ କେନ୍ଦ୍ର ସରକାରଙ୍କ ନିକଟରେ ବାରମ୍ବାର ଦାବି ରଖିଛି। ଗତ ତିନି ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ଓ କୃଷି ମନ୍ତ୍ରୀଙ୍କ ନିକଟକୁ ୫ ଥର ଚିଠି ଲେଖି ସାରିଲିଣି। ସରକାରଙ୍କ ପ୍ରତିନିଧିମାନେ ଏ ବିଷୟରେ ଆଲୋଚନା କରୁଛନ୍ତି। ମାତ୍ର ଏଯାବତ୍‌ ସେପରି କୌଣସି ସଠିକ ସମାଧାନର ବାଟ ମିଳିନାହିଁ।’’

 

ସମ୍ବନ୍ଧିତ ଖବର