ମାର୍ଚ୍ଚ ୩୧ରେ ପୁଣି ଆନ୍ଦୋଳନକୁ ଓହ୍ଲାଇବେ ଆନ୍ନା

ରାଲେଗାଁଓ ସିଦ୍ଧି : ଦେଶରୁ ଦୁର୍ନୀତି ବିଲୋପ, ଚାଷୀ ଆତ୍ମହତ୍ୟା, ନିର୍ବାଚନୀ ସଂସ୍କାର ଆଦି ପ୍ରସଙ୍ଗକୁ ନେଇ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇବେ ବିଶିଷ୍ଟ ସମାଜସେବୀ ତଥା ଗାନ୍ଧିବାଦୀ ନେତା ଆନ୍ନା ହଜାରେ । ଆସନ୍ତା ମାର୍ଚ୍ଚ ୩୧ ତାରିଖରେ ଏହି ଆନ୍ଦୋଳନ ଆରମ୍ଭ କରିବେ ଆନ୍ନା । ମାର୍ଚ୍ଚ ୩୧ ହେଉଛି ଭାରତୀୟ ମୁକ୍ତି ସଂଗ୍ରାମର ମହାନ ବିପ୍ଲବୀ ସହିଦ ଭଗତ ସିଂ, ଶୁକଦେବ ଓ ରାଜଗୁରୁଙ୍କ ବଳିଦାନ ଦିବସ । ଏହି ଦିନ ଏହି ତିନିଜଣ ମହାନ ସଂଗ୍ରାମୀଙ୍କୁ ବ୍ରିଟିସ ସରକାର ଫାଶି ଦେଇଥିଲେ ।

ଏହି ସତ୍ୟାଗ୍ରହ ଦେଶରୁ ଦୁର୍ନୀତି ବିଲୋପ, ଚାଷୀ ଆତ୍ମହତ୍ୟା, ନିର୍ବାଚନୀ ସଂସ୍କାର ପାଇଁ କରାଯିବ । କେନ୍ଦ୍ରର ମୋଦି ସରକାର ଦେଶର ଦୁର୍ନୀତି ବିଲୋପ ପାଇଁ କୌଣସି ପଦକ୍ଷେପ ନେଉ ନାହାନ୍ତି । ଜନଲୋକପାଳ ଆଇନ ଏ ପର୍ଯ୍ୟନ୍ତ ଲଟକି ରହିଛି । ଏହାକୁ ଲାଗୁ କରିବା ପାଇଁ ମୋଦିଙ୍କୁ ସେ ପତ୍ର ଲେଖିଥିଲେ ମଧ୍ୟ ତାହାର କୌଣସି ଜବାବ ମିଳିନାହିଁ ବୋଲି ଆନ୍ନା ନିଜର ବାସସ୍ଥାନ ରାଲେଗାଁଓ ସିଦ୍ଧି ଗାଁରେ କହିଛନ୍ତି ।

ଗତ ୨୨ ବର୍ଷରେ ଦେଶର ପ୍ରାୟ ୧୨ ଲକ୍ଷ କୃଷକ ଆତ୍ମହତ୍ୟା କରିଛନ୍ତି । ଏହି ସମୟ ଭିତରେ କେତେଜଣ ଶିଳ୍ପପତି ଆତ୍ମହତ୍ୟା କରିଥିବା ଜଣାନାହିଁ ? ପ୍ରଶ୍ନ ଉଠାଇଛନ୍ତି ଆନ୍ନା। ଗତ ଅକ୍ଟୋବର ୨ରେ ଜନଲୋକପାଳ ଆଇନ ଲାଗୁ ପାଇଁ ଆନ୍ନା ଏକ ଦିନିକିଆ ଅନଶନ କରିଥିଲେ ।

କିନ୍ତୁ ମନେ ହେଉଛି ଦେଶରୁ ଦୂର୍ନୀତି ବିଲୋପ ପାଇଁ ମୋଦି ଚାହୁଁନାହାନ୍ତି ଓ ଦେଶରେ ଲୋକପାଳ ଆଇନ ଆଣିବାର ତାଙ୍କର କୌଣସି ଇଚ୍ଛା ନାହିଁ ବୋଲି ଆନ୍ନା ଅଭିଯୋଗ କରିଛନ୍ତି ।

ସମ୍ବନ୍ଧିତ ଖବର