ଅଚଳ କଲା ଆନ୍ନାଡିଏମ୍‌କେ

ଆଗତ ହୋଇପାରିଲାନି ଅନାସ୍ଥା ପ୍ରସ୍ତାବ ଆଲୋଚନା ନ କରିବାକୁ ବିଜେପିର ଚାଲ୍‌

ନୂଆଦିଲ୍ଲୀ: ସଂସଦର ଉଭୟ ଗୃହରେ ଜାରି ରହିଥିବା ହଟ୍ଟଗୋଳ ଯୋଗୁଁ ଆଜି ବି ଗୃହକାର୍ଯ୍ୟ ଚାଲିପାରିନାହିଁ। କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ନୋଟିସ ଦେଇଥିବା ଟିଡିପି ଏବଂ ଓ୍ଵାଏସ୍‌ଆର୍‌ କଂଗ୍ରେସ ଏହି ହୋହଲ୍ଲା ଯୋଗୁଁ ଆଜି ଗୃହରେ ପ୍ରସ୍ତାବ ଆଗତ କରିପାରିନାହାନ୍ତି। ସେପଟେ ତାମିଲନାଡୁର ଏଆଇଏଡିଏମ୍‌କେ ଏବଂ ଟିଆର୍‌ଏସ୍‌ ଜାଣିଶୁଣି ଗୃହରେ ଆଲୋଚନା ନହେବା ପାଇଁ ଏଭଳି ହଟ୍ଟଗୋଳ ଜାରି ରଖିଥିଲେ ବୋଲି ସମାଜବାଦୀ ପାର୍ଟି ଅଭିଯୋଗ କରିଛି। ଅପରପକ୍ଷେ, ବିଜେପିର ଏହା ଚାଲ୍‌ ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

ବିରୋଧୀ ଦଳଙ୍କ ସ୍ଳୋଗାନ ଓ ପ୍ଲାକାର୍ଡ ପ୍ରଦର୍ଶନ ଯୋଗୁଁ ଲୋକସଭାରେ କାର୍ଯ୍ୟ ଆରମ୍ଭ ହେବାର କିଛି ସମୟ ପରେ ମଧ୍ୟାହ୍ଣ ୧୨ଟା ଯାଏ ଗୃହକୁ ମୁଲତବୀ କରାଯାଇଥିଲା। ତେବେ ପ୍ରଶ୍ନକାଳ ପରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇ ଆଲୋଚନା କରାଯିବା ନେଇ ସମସ୍ତେ ଆଶା ପୋଷଣ କରିଥିଲେ। ମାତ୍ର କାବେରୀ ଜଳବଣ୍ଟନ ପ୍ରସଙ୍ଗ ଉଠାଇ ଏଆଇଏଡିଏମ୍‌କେ ଏବଂ ତେଲେଙ୍ଗାନାର ଟିଆର୍‌ଏସ୍‌ ସାଂସଦମାନେ ଗୃହ ମଧ୍ୟଭାଗକୁ ଆସି ହୋହଲ୍ଲା କରିଥିଲେ। ଫଳରେ ବାଚସ୍ପତି ସୁମିତ୍ରା ମହାଜନ ପୁନର୍ବାର ଗୃହକୁ ମଙ୍ଗଳବାର ଯାଏ ମୁଲତବୀ ଘୋଷଣା କରିଥିଲେ। ଅନାସ୍ଥା ନୋଟିସ୍‌ ଆସିବା ପରେ ଏନେଇ ଆଲୋଚନା କରିବାକୁ ଅନୁମତି ଦେବା ପାଇଁ ପ୍ରସ୍ତୁତ ଥିଲେ ବି ଗୃହରେ ଲାଗି ରହିଥିବା ଅପ୍ରୀତିକର ପରିସ୍ଥିତି ଯୋଗୁଁ ଏହା ସମ୍ଭବ ହୋଇପାରୁ ନାହିଁ ବୋଲି ବାଚସ୍ପତି କହିଥିଲେ। ଅପରପକ୍ଷେ, ଏହାର ପ୍ରତିବାଦରେ ଟିଡିପି ସାଂସଦମାନେ ସଂସଦ ପରିସର ସ୍ଥିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ଧାରଣା ଦେଇଥିଲେ।

ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ରାଜିଥିବା କହିବା ସତ୍ତ୍ୱେ ମଧ୍ୟ ବିରୋଧୀ ଦଳ ଅନାସ୍ଥା ପ୍ରସ୍ତାବ ଆଗତ କରିବାର ସୁଯୋଗ ଦେଇନଥିଲେ। ସେହିପରି ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର ମଧ୍ୟ ଏହି ପ୍ରସଙ୍ଗରେ ମତବ୍ୟକ୍ତ କରି କହିଥିଲେ ଯେ, ଅନାସ୍ଥା ପ୍ରସ୍ତାବକୁ ସାମ୍ନା କରିବା ପାଇଁ ଏନ୍‌ଡିଏ ପ୍ରସ୍ତୁତ ରହିଛି। ଲୋକସଭାର ୫୪୩ ଜଣ ସଦସ୍ୟଙ୍କ ମଧ୍ୟରୁ ତାଙ୍କ ପାଖରେ ୩୧୫ଜଣଙ୍କର ସମର୍ଥନ ରହିଛି। ସେପଟେ କଂଗ୍ରେସ, ସିପିଆଇଏମ୍‌, ସମାଜବାଦୀ ପାର୍ଟି, ତୃଣମୂଳ କଂଗ୍ରେସ ଓ ଏଆଇଏମ୍‌ଆଇଏମ୍‌ ଆଦି ଦଳ ଅନାସ୍ଥା ପ୍ରସ୍ତାବରେ ଟିଡିପି ଏବଂ ଓ୍ଵାଏସ୍‌ଆର୍‌କୁ ସମର୍ଥନ କରୁଥିବା ବେଳେ ଏଆଇଏଡିଏମ୍‌କେ, ଶିବସେନା ଓ ବିଜେଡି ସେମାନଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିନାହାନ୍ତି।

ସେହିପରି ରାଜ୍ୟସଭରେ ମଧ୍ୟ ଗୃହକାର୍ଯ୍ୟ ଆରମ୍ଭ ହେବାର କିଛି ସମୟ ମଧ୍ୟରେ ଟିଡିପି ସାଂସଦମାନେ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ପାହ୍ୟା ଦାବି ଓ ଏଆଇଏଡିଏମ୍‌କେ ସାଂସଦମାନେ କାବେରୀ ଜଳ ବଣ୍ଟନ ପ୍ରସଙ୍ଗ ନେଇ ହଟ୍ଟଗୋଳ କରିଥିଲେ। ଫଳରେ ଗୃହକୁ ଆସନ୍ତାକାଲି ଯାଏ ଅନୁରୂପ ଭାବେ ମୁଲତବୀ ଘୋଷଣା କରାଯାଇଥିଲା। ଗୃହରେ ଏଭଳି ଅଚଳାବସ୍ଥା ଜାରି ରହିବା ଦେଶର ସ୍ୱାର୍ଥ ସପକ୍ଷରେ ନୁହେଁ ବୋଲି ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ କହିଥିଲେ। ଗତ ୫ ତାରିଖରୁ ଆରମ୍ଭ ହୋଇଥିବା ଏହି ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ପିଏନ୍‌ବି ଦୁର୍ନୀତି, ଆନ୍ଧ୍ରକୁ ସ୍ୱତନ୍ତ୍ର ପାହ୍ୟା ଦାବି ଓ କାବେରୀ ଜଳ ବିବାଦ ଆଦି ପ୍ରସଙ୍ଗରେ ହୋହଲ୍ଲା ଯୋଗୁଁ ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଛି।

ସମ୍ବନ୍ଧିତ ଖବର