ନୂଆଦିଲ୍ଲୀ: ନିର୍ବାଚନ କମିସନ ଆଜି ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ମହାରାଷ୍ଟ୍ରରେ ଗୋଟିଏ ପର୍ଯ୍ୟାୟରେ ନଭେମ୍ବର ୨୦ରେ ଭୋଟଗ୍ରହଣ ହେବ ଏବଂ ଝାଡ଼ଖଣ୍ଡରେ ୨ଟି ପର୍ଯ୍ୟାୟରେ ନଭେମ୍ବର ୧୩ ଏବଂ ୨୦ ତାରିଖରେ ଭୋଟଗ୍ରହଣ ହେବ। ଉଭୟ ରାଜ୍ୟରେ ନଭେମ୍ବର ୨୩ ତାରିଖରେ ନିର୍ବାଚନ ଫଳ ଘୋଷଣା ହେବ। ସେହିପରି ୪୭ ବିଧାନସଭା ଆସନ ଏବଂ ୱାୟନାଡ଼ ଲୋକସଭା ଆସନରେ ନଭେମ୍ବର ୧୩ରେ ଉପନିର୍ବାଚନ ହେବ ବୋଲି ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ଘୋଷଣା‌ କରିଛନ୍ତି। ଉତ୍ତରାଖଣ୍ଡର କେଦାରନାଥ ବିଧାନସଭା ଆସନ ଏବଂ ମହାରାଷ୍ଟ୍ରର ନାନ୍ଦେଡ଼ ଲୋକସଭା ଆସନରେ ନଭେମ୍ବର ୨୦ ତାରିଖରେ ଭୋଟଗ୍ରହଣ ହେବ।

Advertisment

ଝାଡ଼ଖଣ୍ଡରେ ୨ଟି ପର୍ଯ୍ୟାୟରେ ଭୋଟ
 ନଭେମ୍ବର ୧୩ ଓ ୨୦ରେ ମତଦାନ
୨୩ରେ ନିର୍ବାଚନ ଫଳାଫଳ ଘୋଷଣା

ମହାରାଷ୍ଟ୍ରରେ ଏକନାଥ ସିନ୍ଦେଙ୍କ ଶିବସେନା, ବିଜେପି ଏବଂ ଅଜିତ ପାୱାରଙ୍କ ନେତୃତ୍ବାଧୀନ ଏନ୍‌ସିପିକୁ ନେଇ ଗଠିତ ଶାସକ ମହାୟୁତି ମେଣ୍ଟ ବିରୋଧୀ କଂଗ୍ରେସ, ଶିବସେନା (ୟୁବିଟି) ଏବଂ ଶରଦ ପାୱାରଙ୍କ ନେତୃତ୍ବାଧୀନ ଏନ୍‌ସିପିକୁ ନେଇ ଗଠିତ ଏମ୍‌ଭିଏ (ମହା ବିକାଶ ଅଘାଡ଼ି) ମେଣ୍ଟ ମଧ୍ୟରେ ଲଢ଼େଇ ହେବ। ୨୦୧୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ମହାରାଷ୍ଟ୍ରରେ ୨୮୮ ବିଧାନସଭା ଆସନରୁ ୧୦୫ଟି ଆସନ‌ରେ ଜିତି ଏକକ ବୃହତ୍ତମ ଦଳ ହୋଇଥିଲା। ଏହାର ମେଣ୍ଟ ସହଯୋଗୀ ଶିବସେନା ୫୬ ଆସନରେ ଜିତିଥିଲା। ବିଜେପି-ଶିବସେନା ମେଣ୍ଟ ଏକାଠି ସରକାର ଗଠନ କରିବାପାଇଁ ଆବଶ୍ୟକୀୟ ସଂଖ୍ୟାଗରିଷ୍ଠତା ଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀ ପଦକୁ ନେଇ କ୍ଷମତା କନ୍ଦଳ ଯୋଗୁଁ ବିଜେପି ଓ ଶିବସେନା ମଧ୍ୟରେ ଫାଟ ସୃଷ୍ଟି ହେଲା। ପରିଶେଷରେ ଶିବସେନା ଏନ୍‌ସିପି ଓ କଂଗ୍ରେସ ସହ ମେଣ୍ଟ କରି ସରକାର ଗଠନ କଲା। ଶିବସେନା ନେତା ଉଦ୍ଧବ ଠାକ୍‌ରେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେଲେ। କିନ୍ତୁ ଏମ୍‌ଭିଏ ସରକାର ସମ୍ପୂର୍ଣ୍ଣ କାର୍ଯ୍ୟକାଳ ଶେଷ କରିପାରିଲାନି ଏବଂ ବରିଷ୍ଠ ନେତା ଏକନେତା ସିନ୍ଦେଙ୍କ ବ‌ିଦ୍ରୋହ ଯୋଗୁଁ ଶିବସେନାରେ ବିଦ୍ରୋହ ହୋଇ ୨୦୨୨ ଜୁନ୍‌ରେ ସରକାର ଭାଙ୍ଗିଗଲା। ଏହାପରେ ସିନ୍ଦେ ବିଜେପି ସମର୍ଥନରେ ସରକାର ଗଠନ କଲେ।

ଅନ୍ୟପକ୍ଷେ ଝାଡ଼ଖଣ୍ଡରେ ଜେଏମଏମ୍‌ (ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା) ନେତୃତ୍ବାଧୀନ ସରକାରକୁ ପୁନଃ ବିଜୟ ଦେବାପାଇଁ ରାଜ୍ୟରେ ଇଣ୍ଡି ମେଣ୍ଟ ବିଜେପି ବିରୋଧରେ ଏକଜୁଟ୍‌ ହୋଇଛି। ୨୦୧୯ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ କଂଗ୍ରେସ ଏବଂ ଆରଜେଡି (ରାଷ୍ଟ୍ରୀୟ ଜନତା ଦଳ) ସହ ମେଣ୍ଟ କରି ଜେଏମ୍‌ଏମ୍‌ ବିଜୟ ହାସଲ କରିଥିଲା। ୮୧ ଆସନ ବିଶିଷ୍ଟ ବିଧାନସଭାରେ ଜେଏମଏମ୍‌ ନେତୃତ୍ବାଧୀନ ମେଣ୍ଟ ୪୭ ଆସନରେ ଜିତିଥିଲା। ଜେଏମ୍‌ଏମ୍‌ ୩୦ ଆସନରେ ଜିତିଥିବା ବେଳେ କଂଗ୍ରେସ ୧୬ ଏବଂ ଆରଜେଡି ଗୋଟିଏ ଆସନରେ ଜିତିଥିଲା। କଂଗ୍ରେସ ପାଇଁ ଉଭୟ ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ନିର୍ବାଚନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ନିକଟରେ ହରିୟାଣା ନିର୍ବାଚନରେ ଦଳର ପରାଜୟ ସହ ଜମ୍ମୁ କାଶ୍ମୀରରେ ମଧ୍ୟ ଏହାର ପ୍ରଦର୍ଶନ ଅତ୍ୟନ୍ତ ଦୁର୍ବଳ ରହିଛି। ଉକ୍ତ ୨ଟି ରାଜ୍ୟରେ ନିର୍ବାଚନ ଜିତିବା ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଥିବା ବେଳେ ଇଣ୍ଡି ମେଣ୍ଟକୁ ଏକଜୁଟ ରଖିବା ପାଇଁ କଂଗ୍ରେସର କସରତ ‌ଆରମ୍ଭ ହୋଇଯାଇଛି।