ନୂଆଦିଲ୍ଲୀ: ଦିଲ୍ଲୀରେ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)କୁ ଶକ୍ତ ଝଟ୍‌କା ଦେଇ ୧୩ ଜଣ କାଉନସିଲର ଆଜି ଦଳରୁ ଇସ୍ତଫା ଦେଇଛନ୍ତି।  ସେମାନେ ମଧ୍ୟ ଏକ ନୂଆ ଦଳ ଘୋଷଣା କରିଛନ୍ତି।  ଦଳ ଛାଡ଼ିଥିବା ଏହି ବିଦ୍ରୋହୀ ନେତାଙ୍କ ମଧ୍ୟରେ ଏମ୍‌ସିଡିରେ ଆପ୍‌ର ବିରୋଧୀ ଦଳ ନେତା ମୁକେଶ ଗୋଏଲ ମଧ୍ୟ ଅଛନ୍ତି। ଶନିବାର  ଗୋଏଲଙ୍କ ନେତୃତ୍ବରେ କାଉନ୍‌ସିଲରମାନେ ଏକ ନୂଆ ଦଳ ‘ଇନ୍ଦ୍ରପ୍ରସ୍ଥ ବିକାଶ ପାର୍ଟି’ ଘୋଷଣା କରିଛନ୍ତି।  ଚଳିତ ବର୍ଷ ହୋଇଥିବା ଦିଲ୍ଲୀ ବିଧାନସଭା ନିର୍ବାଚନରେ ଗୋଏଲ ଆଦର୍ଶ ନଗରରୁ ଆପ୍‌ ଟିକେଟ୍‌ରେ ନିର୍ବାଚନ ଲଢ଼ିଥିଲେ। କିନ୍ତୁ ସେ ହାରି ଯାଇଥିଲେ।  

Advertisment

ଶେଷ ପୌର ନିର୍ବାଚନ ପୂର୍ବରୁ ଏହି ନେତାମାନେ କଂଗ୍ରେସ ଛାଡ଼ି ଆପ୍‌ରେ ଯୋଗ ଦେଇଥିଲେ। ଦୀର୍ଘ ୨୫ ବର୍ଷ ଧରି ମୁନସିପାଲ୍‌ କାଉନସିଲର ଥିବା ଗୋଏଲ ୨୦୨୧ରେ କଂଗ୍ରେସ ଛାଡ଼ି ଆପ୍‌ରେ ଯୋଗ ଦେଇଥିଲେ।  ଉଲ୍ଲେଖଯୋଗ୍ୟ,  ବିଜେପି ନିୟନ୍ତ୍ରଣକୁ ଏମ୍‌ସିଡି ଚାଲିଯିବାପରେ ଆପ୍‌ ନେତାମାନେ ବିଦ୍ରୋହ କରିଛନ୍ତି।  ବିଧାନସଭା ନିର୍ବାଚନ ପରେ ଆପ୍‌ରେ ଏଭଳି ବିଦ୍ରୋହ ଦଳ ସୁପ୍ରିମୋଙ୍କ ଚିନ୍ତା ବଢ଼ାଇ ଦେଇଛି।