ଭୁବନେଶ୍ବର: ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଶୁକ୍ରବାର ଦିନ ଗୁଲମାର୍ଗରେ ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡାର ତୃତୀୟ ସଂସ୍କରଣର ଘୋଷଣା କରିଛନ୍ତି। ଜାମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଏଥିରେ ଯୋଗ ଦେଇଥିଲେ। ଆଥଲେଟମାନଙ୍କୁ ଉତ୍ସାହିତ କରିବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏକ ସ୍ୱତନ୍ତ୍ର ବାର୍ତ୍ତା ପଠାଇଥିଲେ । ଉଦଘାଟନୀ ସମାରୋହରେ ଶାନ୍ତିର ବାର୍ତ୍ତା ଆଣି ଆକାଶରେ ଧଳା କପୋତଗୁଡ଼ିକୁ ମୁକ୍ତ କରାଯାଇଥିଲା। ପାରମ୍ପରିକ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା।
ଶ୍ରୀ ଠାକୁର ଏହି ଅବସରରେ କହିଲେ, ଉଦଘାଟନୀ ସମାରୋହରେ ଥିଲାବେଳେ ମୁଁ ଜାମ୍ମୁ କାଶ୍ମୀରରେ ୪୦ ଟି ଖେଲୋ ଇଣ୍ଡିଆ ସେଣ୍ଟର ଉନ୍ମୋଚନ ଘୋଷଣା କରିବା ସମୟରେ ଉପସ୍ଥିତ ଲୋକଙ୍କଠାରୁ ବଡ଼ କରତାଳି ପାଇଥିଲି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଦ୍ୱାରା ଦିଆଯାଇଥିବା ବାର୍ତ୍ତା "ଖେଲୋଗେ ତୋ ଖିଲୋଗେ” କୁ ଜାମ୍ମୁ ଏବଂ କାଶ୍ମୀରରେ ବିପୁଳ ସମର୍ଥନ କରାଯାଇଛି ଏବଂ ଗତ ୩ ବର୍ଷ ମଧ୍ୟରେ ଏହି ଅଞ୍ଚଳର ଅବଦାନ ପ୍ରଶଂସନୀୟ। ଜାମ୍ମୁ ଏବଂ କାଶ୍ମୀରର କ୍ରୀଡା ପରିବେଶ ଗଠନ ପାଇଁ ଏହିପରି ଅଧିକ ପଦକ୍ଷେପ ସକାଶେ ପ୍ରତିଶ୍ରୁତି ପ୍ରଦାନ କରି ଶ୍ରୀ ଠାକୁର ଆହୁରି କହିଛନ୍ତି ଯେ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ ଜାମ୍ମୁ-କଶ୍ମୀରକୁ ଆର୍ଥିକ ଦୃଷ୍ଟିରୁ ସାହାଯ୍ୟ କରିବ, ସର୍ବୋତ୍ତମ କୋଚ୍ ପ୍ରଦାନ କରିବ । ମୁଁ ଆପଣଙ୍କୁ ଜଣାଇ ଖୁସି ଯେ ଶୀତକାଳୀନ କ୍ରୀଡା ପାଇଁ ସେଣ୍ଟର ଅଫ୍ ଏକ୍ସଲେନ୍ସ ଖୁବ ଶୀଘ୍ର ଖୋଲିବ।
ଫେବ୍ରୁଆରୀ ୧୪ ପର୍ଯ୍ୟନ୍ତ ଗୁଲମର୍ଗରେ ଶୀତକାଳୀନ ଖେଳ ଅନୁଷ୍ଠିତ ହେବ ଏବଂ ଏଥିରେ ୨୯ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୧୫୦୦ ରୁ ଅଧିକ ଆଥଲେଟ୍ ଅଂଶଗ୍ରହଣ କରୁଛନ୍ତି । ମୋଟ କ୍ରୀଡା ଶୃଙ୍ଖଳା ୧୧ଟି ରହିଛି। ଶ୍ରୀ ସିହ୍ନା ଏହି ଅବସରରେ କହିଲେ, ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡାର ୩ୟ ସଂସ୍କରଣ ପାଇଁ ସମଗ୍ର ଦେଶ ଏକାଠି ହୋଇଛି। ଖେଳଗୁଡ଼ିକ ଅନୁଷ୍ଠିତ ସମୟରେ ଏହା ସମଗ୍ର ଦେଶକୁ ଆତିଥ୍ୟ, ଖେଳ ଏବଂ ଉପତ୍ୟକାର ଅବିଶ୍ୱସନୀୟ ଦୃଶ୍ୟ ଉପଭୋଗ କରିବାର ସୁଯୋଗ ଦେଇଥାଏ । ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ, ଭାରତୀୟ କ୍ରୀଡ଼ା ପ୍ରାଧିକରଣ, ଜାମ୍ମୁ ଏବଂ କାଶ୍ମୀରର କ୍ରୀଡା ପରିଷଦ ଏବଂ ଅନ୍ୟ ସମସ୍ତ ହିତାଧିକାରୀଙ୍କୁ ଗୁଲମର୍ଗରେ ଏହି ଖେଳଗୁଡ଼ିକ ଆୟୋଜନ କରିବାରେ ସାହାଯ୍ୟ କରିଥିବାରୁ ମୁଁ ସେମାନଙ୍କୁ ଧନ୍ୟବାଦ ଜଣାଉଛି ।