ନୂଆଦିଲ୍ଲୀ : ଦେଶରେ ଗତ କିଛିଦିନ ହେଲା ଟମାଟୋ ଦର ଅଣାୟତ୍ତ ସ୍ଥିତିକୁ ଚାଲିଯାଇଛି। ଦରକୁ କିଭଳି ନିୟନ୍ତ୍ରଣ କରାଯିବ ସେ ନେଇ ସରକାରଙ୍କ ବୁଦ୍ଧି ପାଉନାହିଁ। ତେଣୁ ଦର ନିୟନ୍ତ୍ରଣ ପାଇଁ ସରକାର ଶୁକ୍ରବାର ଟମାଟୋ ଗ୍ରାଣ୍ଡ୍ ଚାଲେଞ୍ଜ ହାକାଥାନ ଆୟୋଜନ ଘୋଷଣା କରିଛନ୍ତି। ଗୋଟିଏ ପଟେ ଗ୍ରାହକମାନେ କିଭଳି ସୁଲଭ ମୂଲ୍ୟରେ ଟମାଟୋ କିଣିବେ ଏବଂ କୃଷକମାନେ ଉଚିତ ମୂଲ୍ୟ ପାଇବେ ତାହାକୁ ନିଶ୍ଚିତ କରିବା ନେଇ ନୂଆ ଚିନ୍ତାଧାରା ଏହି ପ୍ରତିଯୋଗିତା ମାଧ୍ୟମରେ ଆହ୍ବାନ କରାଯିବ। ଶିକ୍ଷା ମନ୍ତ୍ରାଳୟର (ଉଦ୍ଭାବନ କକ୍ଷ) ସହଯୋଗରେ ଖାଉଟି ବ୍ୟାପାର ମନ୍ତ୍ରାଳୟ ଉକ୍ତ ହାକାଥନ ଆୟୋଜନ କରିବ ବୋଲି ବିଭାଗୀୟ ସଚିବ ରୋହିତ କୁମାର ସିଂହ କହିଛନ୍ତି।
ଛାତ୍ରଛାତ୍ରୀ, ଗବେଷକ, ଅଧ୍ୟାପକ ଅଧ୍ୟାପିକା, ଶିଳ୍ପ କ୍ଷେତ୍ରର ବ୍ୟକ୍ତିବିଶେଷ, ଏମ୍ଏସ୍ଏମ୍ଇ, ଲିମିଟେଡ ଲାଏବିଲିଟି ପାର୍ଟନରସିପ୍ ଏବଂ ପେସାଦାରମାନେ ଏଥିରେ ଭାଗ ନେଇପାରିବେ। ଯୋଗ୍ୟ ପାର୍ଥୀମାନେ ସରକାରଙ୍କ ପୋର୍ଟାଲ https://doca.gov.in/gtc/index.php ଜରିଆରେ ଏଥିପାଇଁ ଆବେଦନ କରିପାରିବେ। ଜୁନ ୨୭ ତାରିଖରେ ଟମାଟୋ ମୂଲ୍ୟ ଦେଶର ପ୍ରମୁଖ ସହରରେ ୧୦୦ ଟଙ୍କା ଛୁଇଁଥିଲା। ଉଚ୍ଚ ତାପମାତ୍ରା, ପ୍ରବଳ ବର୍ଷା ଆଦି କାରଣରୁ ଦେଶରେ ଟମାଟୋ ଫସଲ ଉତ୍ପାଦନ ଓ ଅମଳ ପ୍ରଭାବିତ ହୋଇଛି। ମୂଲ୍ୟ ଉପରେ ଏହାର ବଡ଼ ଧରଣର ପ୍ରଭାବ ପଡ଼ିଛି। ତେବେ ସରକାରୀ ଅଧିକାରୀଙ୍କ କହିବାନୁଯାୟୀ, ଆସନ୍ତା ୧୫ ଦିନ ମଧ୍ୟରେ ଟମାଟୋ ଦର ହ୍ରାସ ପାଇବ ଏବଂ ମାସେ ମଧ୍ୟରେ ସ୍ବାଭାବିକ ହେବ।