ମୁଁ ବାକ୍‌ ସ୍ୱାଧୀନତାରେ ବିଶ୍ୱାସ କରେ: ପ୍ରଧାନ ବିଚାରପତି

ଓଡ଼ିଶା ଫୋରମର ବାର୍ଷିକ ଉତ୍ସବ

ନୂଆଦିଲ୍ଲୀ : ମୁଁ ପୁସ୍ତକ ଏବଂ ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ଲଗାଇବାକୁ ବିରୋଧ କରେ ଏବଂ ବାକ୍‌ ସ୍ୱାଧୀନତାରେ ବିଶ୍ୱାସ କରେ ବୋଲି ଆଜି ନୂଆଦିଲ୍ଲୀରେ ଓଡ଼ିଶା ଫୋରମର ବାର୍ଷିକ ଉତ୍ସବରେ ଯୋଗ ଦେଇ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଦୀପକ ମିଶ୍ର ଏହି ବକ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି, ଯେତେବେଳେ ତାଙ୍କ ପାଖକୁ ପଦ୍ମବତୀ ଚଳଚ୍ଚିତ୍ର ଶୁଣାଣି ପାଇଁ ଆସିଥିଲା ସେ ଏହା ଉପରେ ପ୍ରତିବନ୍ଧକ ଲଗାଇବା ବିରୋଧରେ ଥିଲେ। ସଂଗଠନର ବାର୍ଷିକ ଉତ୍ସବରେ ବିଶିଷ୍ଟ ସାହିତ୍ୟିକ ସୀତାକାନ୍ତ ମହାପାତ୍ର ତାଙ୍କ ଭାଷଣରେ ଓଡ଼ିଶା ଭାଷା ସାହିତ୍ୟ ତଥା ସଂସ୍କୃତି ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଜଷ୍ଟିସ୍‌ ମିଶ୍ର ୬ ଜଣ ଓଡ଼ିଆଙ୍କୁ ପ୍ରବାସୀ ଓଡ଼ିଆ ସମ୍ମାନ ପ୍ରଦାନ କରିଥିଲେ। ସମ୍ମାନିତ ବ୍ୟକ୍ତିମାନେ ହେଲେ କେନିଆ ସଂସଦର ସଦସ୍ୟ ଡ.ସ୍ୱରୂପ ରଞ୍ଜନ ମିଶ୍ର, ଡିଜାଇନର ଡ.ସୁସ୍ମ୍ମିତା ମହାନ୍ତି, ଆମେରିକାରେ ରହୁଥିବା ବୈଜ୍ଞାନିକ ଡ.ପିନାକୀ ପାଣିଗ୍ରାହୀ, ଓଡ଼ିଶୀ ନୃତ୍ୟାଙ୍ଗନା ସାରନ ଲଏନ, ଚଳଚ୍ଚିତ୍ର ପଯୋଜକ ନନ୍ଦିତା ଦାଶ ଓ କୃଷି ବୈଜ୍ଞାନିକ ଡ଼.ତ୍ରିଲୋଚନ ମହାପାତ୍ର। ଏହି ଅବସରରେ ଓଡିଆ କଣ୍ଠଶିଳ୍ପୀ ସୁଶ୍ମିତା ଦାସ ରସଗୋଲା ଉପରେ ସଙ୍ଗୀତ ପରିବେଷଣ କରିଥିଲେ। ଫୋରମର ଅଧ୍ୟକ୍ଷ ଗୋକୁଳ ପଟ୍ଟନାୟକ ଅନୁଷ୍ଠାନ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ସୂଚନା ଦେଇଥିବା ବେଳେ ଉପ ସଭାପତି ଅମରେନ୍ଦ୍ର ଖଟୁଆ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର