ନୂଆଦିଲ୍ଲୀ : ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ଗୁରୁବାର ଦିନ ୩୦ରୁ ଅଧିକ ଓଡ଼ିଆ ଛାତ୍ରଛାତ୍ରୀ ଫେରିଛନ୍ତି। ସ୍ବତନ୍ତ୍ର ବିମାନ ଯୋଗେ ଦିଲ୍ଲୀସ୍ଥିତ ଇନ୍ଦିରାଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦର ଓ ଗାଜିଆବାଦର ହିଣ୍ଡନ ଏୟାରବେସରେ ପହଞ୍ଚିବା ପରେ ଏହିସବୁ ଛାତ୍ରଛାତ୍ରୀଙ୍କୁ ସ୍ବାଗତ କରାଯାଇଥିଲା। ସେଠାରୁ ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଶା ନିବାସ ଅଣାଯାଇଥିଲା।

Advertisment

ଗୁରୁବାର ଦିନ ଦିଲ୍ଲୀ ଫେରିଥିବା ଛାତ୍ରଛାତ୍ରୀମାନେ ହେଲେ ଆଲୋକ ବାଗର, ଅସିକ ଚକ୍ରବର୍ତ୍ତୀ, ପ୍ରେରଣା ପଟ୍ଟନାୟକ, ଅନମୋଲ ପ୍ରଧାନ, ଅମୟ କୁମାର ସାହୁ, ଦୀପାଳି ସେଠି, ହିତେଷ କୁମାର ବିଶ୍ବାଳ, ଶ୍ବେତପଦ୍ମା ପ୍ରଧାନ, ଆଶିଷ କୁମାର ମେହେର, ଆଲୋକ ମହାପାତ୍ର, ଶୁଭସ୍ମିତା ଜେନା, ସୁବ୍ରତ କୁମାର ଦାସ, ପ୍ରତୀକ ସେଠୀ, ସୋନାଲି ଦେବସ୍ମିତା, କୁମାରୀ ସାଲୁ ପ୍ରସାଦ, ଗୋପବନ୍ଧୁ ରାଉତ, ଗୁରୁପ୍ରସାଦ ବେବର୍ତା, ପ୍ରେମାନନ୍ଦ ସେନାପତି, ପୀୟୂଷ ଦାଶ, ଲିପି ମହାପାତ୍ର, ଶାନ୍ତା ସିଂହ ମିଶ୍ର, ଆଶିଷ ସାହୁ, ଏଏ ବେହେରା ଏବଂ ଉପାଗ୍ନା ତ୍ରିପାଠୀ। ସମସ୍ତ ବାଧା ଓ ପ୍ରତିବନ୍ଧକ ସତ୍ତ୍ବେ ସେମାନେ ନିଜ ଦେଶକୁ ଫେରି ଆସିଥିବାରୁ ଏହିସବୁ ଛାତ୍ରଛାତ୍ରୀ ଆଶ୍ବସ୍ତ ହୋଇଛନ୍ତି। ଏଥି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରୟାସକୁ ପ୍ରଶଂସା କରିଛନ୍ତି। ଆବାସିକ କମିସନରଙ୍କ କାର୍ଯ୍ୟାଳୟର ପ୍ରୋଟୋକଲ ଅଧିକାରୀମାନେ ବିମାନ ବନ୍ଦରରୁ ଛାତ୍ରଛାତ୍ରୀମାନଙ୍କୁ ସ୍ବାଗତ କରି ଆଣିବା ସହିତ ସେମାନଙ୍କୁ ଓଡ଼ିଶା ପ୍ରତ୍ୟାବର୍ତ୍ତନ ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ କରିଥିଲେ। ଅଧିକାଂଶ ଛାତ୍ରଛାତ୍ରୀ ଆଜି ବିମାନ ଯୋଗେ ଭୁବନେଶ୍ବର ଅଭିମୁଖେ ଯାତ୍ରା କରିଛନ୍ତି। ଆଜି ରାତିରେ ଆଉ କିଛି ଓଡ଼ିଆ ଛାତ୍ରଛାତ୍ରୀ ସ୍ବତନ୍ତ୍ର ବିମାନ ଯୋଗେ ଦିଲ୍ଲୀରେ ପହଞ୍ଚିବେ ବୋଲି ଆବାସିକ କମିସନରଙ୍କ କାର୍ଯ୍ୟାଳୟରେ ନିୟୋଜିତ ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଛାତ୍ରଛାତ୍ରୀମାନଙ୍କ ରହଣି ପାଇଁ ଓଡ଼ିଶା ନିବାସର ସମସ୍ତ ପ୍ରକୋଷ୍ଠକୁ ସଂରକ୍ଷିତ ରଖାଯାଇଛି।