କାବୁଲ୍‌ରୁ ଫେରିଲେ ଆଉ ୪୦୦ ଭାରତୀୟ: ଆହୁରି ହଜା‌ରେ ଭାରତୀୟ ଫସିଛନ୍ତି

କାବୁଲ: ଆଫଗାନିସ୍ତାରେ କ୍ଷମତା ଦଖଲ କରିଥିବା ତାଲିବାନୀଙ୍କ ଆତଙ୍କରାଜ ଭିତରେ ଭାରତ ଏବେ ଯୁଦ୍ଧସ୍ତରରେ ନିଜ ନାଗରିକଙ୍କୁ ଖାଲି ପ୍ରକ୍ରିୟା ଜାରି ରଖିଛି। କାବୁଲ ବିମାନବନ୍ଦରରେ ଦିନକୁ ଦିନ ସ୍ଥିତି ଅତ୍ୟନ୍ତ ଜଟିଳ ହେଉଥିବା ବେଳେ ଭାରତ ଏହାର ୩୨୯ ନାଗରିକଙ୍କ ସମେତ ମୋଟ୍‌ ୪୦୦ ଜଣଙ୍କୁ ଆଜି କାବୁଲ ବିମାନବନ୍ଦରରୁ ଖ‌ାଲି କରିଛି। ସରକାର ଆଫଗାନିସ୍ତାନରୁ ସମସ୍ତ ନାଗରିକଙ୍କୁ ଖାଲି କରିବାପାଇଁ ପ୍ରକ୍ରିୟା ଜାରି ରଖିଛନ୍ତି। ଆଜି ସକାଳେ ପ୍ରଥମେ ୮୭ ଭାରତୀୟ ଏବଂ ୨ ନେପାଳୀ ନାଗରିକଙ୍କୁ ଧରି ଏକ ବିମାନ ଆସି ଦିଲ୍ଲୀ ପହଞ୍ଚିଥିଲା। ଏହାପରେ ଅନ୍ୟ ଏକ ବିମାନରେ ୧୦୭ ଭାରତୀୟଙ୍କ ସମେତ ମୋଟ୍‌ ୧୬୮ ଜଣ ଆସି ଦିଲ୍ଲୀ ପହଞ୍ଚିଛନ୍ତି। ସେମାନଙ୍କ ମଧ୍ୟରେ ୨ ଜଣ ଆଫଗାନ୍‌ ସିନେଟର୍‌ଙ୍କ ସମେତ ୨୪ ଜଣ ଶିଖ୍‌ ଅଛନ୍ତି। ସେହିପରି ଅନ୍ୟ ଏକ ସ୍ବତନ୍ତ୍ର ବିମାନରେ ୧୩୫ ଜଣ ଦୋହା‌ରୁ ଆସି ଦିଲ୍ଲୀ ପହଞ୍ଚିଛନ୍ତି।

କାବୁଲ ବିମାନବନ୍ଦରରେ ଅତି ବିପଜ୍ଜନକ ସ୍ଥିତି ଉପୁଜିଛି। ତାଲିବାନ ଆତଙ୍କବାଦୀ ଅତର୍କିତ ଭାବେ ବିମାନ ବନ୍ଦର ଅଂଚଳରେ ଗୁଳିମାଡ଼ କରୁଛନ୍ତି। ବିମାନ ବନ୍ଦର ପରିସର ଅଂଚଳରେ ସ୍ଥିତି ଅତି ସାଂଘାତିକ ହୋଇଯାଇଥିବାରୁ ଭାରତୀୟ ନାଗରିକଙ୍କ ସୁରକ୍ଷା ପାଇଁ କୂଟନୈତିକ ସ୍ତରରେ କେତେକ ଜରୁରୀ ପଦକ୍ଷେପ ନିଆଯାଇଛି। ତାଲିବାନ ଆତଙ୍କବାଦୀମାନେ ଗତକାଲି ୧୫୦ ଭାରତୀୟଙ୍କୁ ଅଚାନକ ବିମାନ ବନ୍ଦରୁ ନେଇଯାଇ ଏକ ପରିତ୍ୟକ୍ତ ଥାନାରେ ରଖି ଜେରା କରିଥିଲେ ଏବଂ ଦସ୍ତାବିଜ ଦେଖିବା ପରେ ଛାଡ଼ିଥିଲେ। ଏହି ଘଟଣା ପରଠାରୁ ଭାରତୀୟମାନେ ଅଧିକ ଭୟଭୀତ ହୋଇପଡ଼ିଛନ୍ତି। ଇତିମଧ୍ୟରେ ଆମେରିକା ଓ ୟୁରୋପୀୟ ରାଷ୍ଟ୍ରମାନେ ନିଜ ନାଗରିକଙ୍କୁ ସର୍ବାଧିକ ସତର୍କ ରହିବା ପାଇଁ କହିଛନ୍ତି।

କାବୁଲ ବିମାନବନ୍ଦର ଗେଟ୍‌ ନିକଟରୁ ଦୂରେଇ ରହିବାପାଇଁ ଆମେରିକା ଏହାର ନାଗରିକଙ୍କୁ କହିଛି। ଗେଟ୍‌ ଭିତରକୁ ପ୍ରବେଶ ସମୟରେ ଆତଙ୍କବାଦୀମାନେ ଦୂରରୁ ଗୁଳିମାଡ଼ କରୁଛନ୍ତି। ବିଭିନ୍ନ ସହରରୁ ଲୋକ ବିମାନବନ୍ଦରରେ ପହଞ୍ଚିବା ଏବେ ସବୁଠୁ ବଡ଼ ସମସ୍ୟା ହୋଇଛି। ଆଜି ଭାରତୀୟମାନେ ଆଫଗାନିସ୍ତାନରୁ ଆସି ଦିଲ୍ଲୀ ପହଞ୍ଚିବାପରେ ‘ଭାରତ ମାତା କି ଜୟ’ ସ୍ଲୋଗାନ୍‌ ଦେଇଥିଲେ। ବିଦେଶ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗ୍‌ଚି ଉଦ୍ଧାର ପ୍ରକ୍ରିୟାର କିଛି ଫଟୋ ଏବଂ ଭିଡିଓ ଟ୍ବିଟ୍‌ କରିଛନ୍ତି। ଉଲ୍ଳେଖଯୋଗ୍ୟ , ଭାରତ ଏହାର ସମସ୍ତ ଦୂତାବାସ କର୍ମଚାରୀଙ୍କୁ ଖାଲି କରି ସାରିଛି। ଭାରତର ପ୍ରାୟ ୧୦୦୦ ନାଗରିକ ଏବେ ବି ବିଭିନ୍ନ ଆଫଗାନ୍‌ ସହରରେ ଫସି ରହିଛନ୍ତି।

ସମ୍ବନ୍ଧିତ ଖବର