ନୂଆଦିଲ୍ଲୀ: ବିମାନକୁ ବୋମା ଧମକ ଥମିବାର ନାଁ ନେଉନାହିଁ। ଆଜି ଆଉ ୫୦ ବିମାନକୁ ଏହି ଧମକ ମିଳିଛି। ଫଳରେ ଗତ ୧୪ ଦିନ ମଧ୍ୟରେ ଦେଶରେ ୩୫୦ରୁ ଅଧିକ ବିମାନକୁ ମିଛ ବୋମା ଧମକ ମିଳିଲାଣି। ଏଥିରୁ ଅଧିକାଂଶ ଧମକ ସୋସିଆଲ ମିଡିଆ ଜରିଆରେ ଆସିଛି। ରବିବାର ଆକାଶ ଏୟାରର ୧୫ଟି ବିମାନକୁ ଏହି ଧମକ ମିଳିଛି। କିନ୍ତୁ ବିମାନଗୁଡ଼ିକୁ ଭଲଭାବେ ଯାଞ୍ଚ କରାଯିବା ପରେ ସେଗୁଡ଼ିକୁ ଉଡ଼ାଣ ପାଇଁ ଅନୁମତି ଦିଆଯାଇଛି। ସେହିଭଳି ଇଣ୍ଡିଗୋର ୧୮ଟି ଏବଂ ଭିସ୍ତାରାର ୧୭ଟି ବିମାନକୁ ବୋମା ଧମକ ମିଳିଛି। ବୋମା ଧମକ ମିଳିବା ପରେ ପୁଣେରୁ ଯୋଧପୁରକୁ ଯାଉଥିବା ଇଣ୍ଡିଗୋ ବିମାନକୁ ଅହମଦାବାଦକୁ ଏବଂ କୋଝିକୋଡ଼ରୁ ଦମମକୁ ଯାଉଥିବା ବିମାନକୁ ମୁମ୍ବାଇ ପଠାଇ ଦିଆଯାଇଛି। ବିମାନ ପରେ ଏବେ ହୋଟେଲ୍କୁ ବୋମା ଧମକ ମଳିଛି।
ଗତକାଲି ଗୁଜରାଟ ରାଜକୋଟର ୧୦, ପଶ୍ଚିମବଙ୍ଗ କୋଲକାତାର ୧୦ ଏବଂ ଆନ୍ଧ୍ରପ୍ରଦେଶ ତିରୁପତିର ୩ ହୋଟେଲକୁ ବୋମା ଧମକ ମିଳିବା ପରେ ଆଜି ଲକ୍ଷ୍ନୌର ୧୦ଟି ବଡ଼ ହୋଟେଲ୍କୁ ଧମକ ଦିଆଯାଇଛି। ୫୫ହଜାର ଡଲାର ବଟି ନଦେଲେ ବିସ୍ଫୋରଣରେ ଉଡ଼ାଇ ଦିଆଯିବ ବୋଲି ଚେତାବନୀ ଦିଆଯାଇଛି। ଲକ୍ଷ୍ନୌର ମାରିଅଟ୍, ସାରାକା, ପିକାଡିଲି, କଂଫର୍ଟ ଭିସ୍ତା, ଫର୍ଚ୍ୟୁନ, ଲେମନ ଟ୍ରି, କ୍ଲାର୍କ ଅୱଧ, କାସା, ଦୟାଲ୍ ଗେଟ୍ୱେ, ସିଲଭେଟକୁ ଧମକ ମିଳିଛି। ଧମକ ସୂଚନା ପାଇ ପୁଲିସ ଓ ବୋମା ନିଷ୍କ୍ରିୟକାରୀ ଦଳ ହୋଟେଲ୍ରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଥିଲେ। ତେବେ ଯାଞ୍ଚରେ କୌଣସି ବିସ୍ଫୋରକ ସାମଗ୍ରୀ ମିଳିନଥିବା ଜଣାଯାଇଛି।