ନୂଆଦିଲ୍ଲୀ: ସଂସଦର ସୁରକ୍ଷା ଭଙ୍ଗ ଏବଂ ଏହି ମାମଲାରେ ଗୃହ ମନ୍ତ୍ରୀଙ୍କ ବିବୃତି ଦାବିରେ ଉଭୟ େଲାକସଭା ଏବଂ ରାଜ୍ୟସଭାରେ ବିରୋଧୀ ଦଳଙ୍କ ହଟ୍ଟଗୋଳ ଜାରି ରହିଛି। କିନ୍ତୁ ଏହି ଦାବି ମାନିବାକୁ ସରକାର ନାରାଜ। ଅନ୍ୟପକ୍ଷରେ ହଟ୍ଟଗୋଳ କରୁଥିବା ସାଂସଦଙ୍କୁ ନିଲମ୍ବନ କରାଯାଉଛି। ଆଜି ଅଭୂତପୂର୍ବ ଘଟଣାକ୍ରମରେ ୭୮ ଜଣ ସାଂସଦଙ୍କୁ ସସ୍ପେଣ୍ଡ କରାଯାଇଛି। ଗୋଟିଏ ଦିନରେ ଏତେ ସଂଖ୍ୟକ ସାଂସଦଙ୍କୁ ଏହାପୂର୍ବରୁ କେବେ ସସ୍ପେଣ୍ଡ କରଯାଇ ନାହିଁ। ଗତ ସପ୍ତାହ ଏହି ପ୍ରସଙ୍ଗରେ ୧୪ ସାଂସଦଙ୍କୁ ସସ୍ପେଣ୍ଡ କରାଯାଇଥିବା ବେଳେ ଆଜି ଆଉ ୭୮ ଜଣ ସାଂସଦଙ୍କୁ ସସ୍ପେଣ୍ଡ କରାଯାଇଛି। ଏହି ପ୍ରସଙ୍ଗରେ ଉଭୟ ଗୃହର ନିଲମ୍ବିତ ସାଂସଦଙ୍କ ସଂଖ୍ୟା ୯୨ରେ ପହଞ୍ଚିଛି। ଏହାକୁ ନେଇ ବିରୋଧୀ ଦଳ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ ସଂସଦରେ ବିରୋଧୀଙ୍କ କଣ୍ଠରୋଧ କରିବା ଲାଗି ସରକାର ନୂଆ ଅସ୍ତ୍ର ପ୍ରୟୋଗ କରୁଛନ୍ତି। ଲୋକସଭାରେ ଆଜି ୩୩ ସାଂସଦଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ରାଜ୍ୟସଭାରେ ୪୫ ସାଂସଦଙ୍କୁ ନିଲମ୍ବିତ କରାଯାଇଛି। ଲୋକସଭାରେ ୩୦ ସାଂସଦ ଚଳିତ ଅଧିବେଶନର ଅବଶିଷ୍ଟ ସମୟ ପର୍ଯ୍ୟନ୍ତ ନିଲମ୍ବିତ ହୋଇଛନ୍ତି। ସ୍ବାଧିକାର କମିଟି ସେମାନଙ୍କ ଆଚରଣ ସଂପର୍କରେ ରିପୋର୍ଟ ଦେବା ପର୍ଯ୍ୟନ୍ତ ଅନ୍ୟ ୩ ଜଣ ନିଲମ୍ବିତ ରହିବେ।
ସେହିପରି ରାଜ୍ୟସଭାର ୩୫ ସାଂସଦଙ୍କୁ ଚଳିତ ଅଧିବେଶନର ଶେଷ ପର୍ଯ୍ୟନ୍ତ ନିଲମ୍ବିତ କରାଯାଇଛି। ସ୍ବାଧିକାର କମିଟିର ରିପୋର୍ଟ ଆସିବା ପର୍ଯ୍ୟନ୍ତ
ଅନ୍ୟ ୧୦ ଜଣ ସାଂସଦ ନିଲମ୍ବିତ ରହିବେ।
ଲୋକସଭାରୁ ନିଲମ୍ବିତ ହୋଇଥିବା ସାଂସଦଙ୍କ ମଧ୍ୟରେ କଂଗ୍ରେସର ଲୋକସଭା ନେତା ଅଧୀର ରଂଜନ ଚୌଧୁରୀ, ଉପନେତା ଗୌରବ ଗୋଗୋଇ, ଟିଏମ୍ସି ସାଂସଦ କଲ୍ୟାଣ ବାନାର୍ଜୀ, କାକଳି ଘୋଷ ଦସ୍ତିଦାର, ସୌଗତ ରାୟ ଓ ଶତାବ୍ଦୀ ରୟ; ଡିଏମ୍କେ ସାଂସଦ ଏ ରାଜା ଓ ଦୟାନିଧି ମାରନ ପ୍ରମୁଖ ଅଛନ୍ତି। ସେହିଭଳି ରାଜ୍ୟସଭାରୁ ନିଲମ୍ବିତ ସାଂସଦଙ୍କ ମଧ୍ୟରେ ଜୟରାମ ରମେଶ, ରଣଦୀପ ସିଂହ ସୂର୍ଯ୍ୟେୱାଲା, ଡିଏମ୍କେର କାନିମୋଝି ଏବଂ ଆର୍ଜେଡିର ମନୋଜ କୁମାର ଝା ପ୍ରମୁଖ ଅଛନ୍ତି।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କଂଗ୍ରେସ ସାଂସଦ ଶ୍ରୀ ଚୌଧୁରୀ କହିଛନ୍ତି, ସରକାର ଏକଛତ୍ରବାଦର ଶୀର୍ଷରେ ପହଞ୍ଚିଛନ୍ତି। କ୍ଷମତାର ବାଡ଼ିକୁ ବ୍ୟବହାର କରୁଛନ୍ତି। ସଂସଦକୁ ଏକ ଦଳ କାର୍ଯ୍ୟାଳୟ ଭଳି ଚଳାଇବାକୁ ଚାହୁଛନ୍ତି। କିନ୍ତୁ ତାହା ହୋଇପାରିବ ନାହିଁ ବୋଲି। ସେହିଭଳି ଶ୍ରୀ ଗୋଗୋଇ କହିଛନ୍ତି, ସରକାର ବିରୋଧୀଙ୍କ ଉପରେ ବୁଲଡୋଜର ଚଳାଉଛନ୍ତି। ସଂସଦର ସୁରକ୍ଷା ଭଙ୍ଗ ପ୍ରସଙ୍ଗରେ ଦାୟିତ୍ବ ନେବାକୁ ଗୃହମନ୍ତ୍ରୀ ଭୟ କରୁଛନ୍ତି। ଲୋକସଭା ବାହାରେ ସେମାନଙ୍କ ପ୍ରତିବାଦ ଜାରି ରହିବ ବୋଲି ସେ କହିଛନ୍ତି।
କଂଗ୍ରେସର ରାଜ୍ୟସଭା ନେତା ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, ପ୍ରଥମେ ଅନୁପ୍ରବେଶକାରୀମାନେ ସଂସଦ ଉପରେ ଆକ୍ରମଣ କଲେ। ଏହାପରେ ମୋଦୀ ସରକାର ସଂସଦ ଓ ଗଣତନ୍ତ୍ର ଉପରେ ଆକ୍ରମଣ କରୁଛନ୍ତି। ଏକଛତ୍ରବାଦୀ ମୋଦୀ ସରକାରଙ୍କ ଦ୍ବାରା ସମସ୍ତ ପ୍ରକାର ଗାଣତାନ୍ତ୍ରିକ ନୀତିକୁ ଅଳିଆ ଗଦାକୁ ଫିଙ୍ଗି ଦିଆଯାଇଛି। ସରକାରଙ୍କ ନିକଟରେ ସେ ଦୁଇଟି ଦାବି ରଖିଛନ୍ତି। ଗୋଟିଏ ହେଲା ସଂସଦର ଉଭୟ ଗୃହରେ ଗୃହମନ୍ତ୍ରୀ ସଂସଦର ସୁରକ୍ଷା ଭଙ୍ଗ ପ୍ରସଙ୍ଗରେ ମତ ରଖନ୍ତୁ। ଦ୍ବିତୀୟଟି ହେଲା ଏହା ଉପରେ ବିସ୍ତୃତ ଆଲୋଚନା ହେଉ। ସେହିଭଳି କଂଗ୍ରେସ ସାଂସଦ ଜୟରାମ ରମେଶ କହିଛନ୍ତି, ସୁରକ୍ଷା ଭଙ୍ଗ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ସମ୍ବାଦପତ୍ରକୁ ସାକ୍ଷାତକାର ଦେଉଛନ୍ତି। ଗୃହମନ୍ତ୍ରୀ ଟିଭି ଚ୍ୟାନେଲରେ ବିବୃତି ଦେଉଛନ୍ତି। ସଂସଦର ଅଧିବେଶନ ଚାଲିଛି। ବିରୋଧୀ ଇଣ୍ଡିଆ ମେଣ୍ଟ ପକ୍ଷରୁ ଗୃହମନ୍ତ୍ରୀଙ୍କ ବିବୃତି ଉଭୟ ଗୃହରେ ଦାବି କରାଯାଉଛି। ଏହା ଏକ ବୈଧ ଦାବି। ବିବୃତି ରଖିବା ଗୃହମନ୍ତ୍ରୀଙ୍କ ଦାୟିତ୍ବ ଏବଂ କର୍ତ୍ତବ୍ୟ ହୋଇଥିବା ବେଳେ ସେ ପଳାୟନ ନୀତି ଆପଣାଇଛନ୍ତି।