ନୂଆଦିଲ୍ଲୀ: ଆମେରିକାର ହିଣ୍ଡେନବର୍ଗ ରିସର୍ଚ୍ଚ ଆଣିଥିବା ଅଭିଯୋଗ ମନରୁ ଲିଭିନଥିବା ବେଳେ ଆଉ ଏକ ସଂସ୍ଥା ଶିଳ୍ପପତି ଗୌତମ ଆଦାନିଙ୍କ ଆଦାନି ଗ୍ରୁପ୍‌ ବି‌ରୋଧରେ ସାଂଘାତିକ ଅଭିଯୋଗ ଆଣିଛି। ବିବାଦୀୟ ନିବେଶକ ଜର୍ଜ ସୋରୋସଙ୍କ ସମର୍ଥିତ ସଂସ୍ଥା ‘ଅର୍ଗାନାଇଜଡ୍ କ୍ରାଇମ୍‌ ଆଣ୍ଡ୍‌ କରପ୍ସନ ରିପୋର୍ଟିଂ ପ୍ରୋଜେକ୍ଟ (ଓସିସିଆର୍‌ପି) ପକ୍ଷରୁ ଅଭିଯୋଗ କରାଯାଇଛି ଯେ ଆଦାନି ଗ୍ରୁପ୍ ସେୟାର ବଜାରରେ ହେରଫେର କରିଛି। ଆଦାନି ଗ୍ରୁପ୍‌ର ନିବେଶକମାନେ ଲୁଚାଛପାରେ ନିଜ ସେୟାରକୁ କିଣି ବଜାରରେ ଲକ୍ଷ ଲକ୍ଷ ଡଲାର ନିବେଶ କରିଛନ୍ତି। ରିପୋର୍ଟରେ ଦାବି କରାଯାଇଛି ଯେ ଆଦାନି ଗ୍ରୁପ୍‌ର କଂପାନିଗୁଡ଼ିକ ମରିସସ୍‌ର ଅଜଣା ନିବେଶ ପାଣ୍ଠି ଜରିଆରେ ଗ୍ରୁପ୍‌ର ସେୟାରରେ କୋଟି କୋଟି ଟଙ୍କା ନିବେଶ କରିଛନ୍ତି। ଓସିସିଆର୍‌ପି ପକ୍ଷରୁ କୁହାଯାଇଛି ଯେ ଟିକସ ଠକେଇର ସ୍ବର୍ଗ କୁହାଯାଉଥିବା ସ୍ଥାନଗୁଡ଼ିକର ମିଳିଥିବା ଫାଇଲ୍‌ ଓ ଆଦାନି ଗ୍ରୁପ୍‌ର ଭିତିରିଆ ଇ-ମେଲ୍‌କୁ ଅନୁଶୀଳନ କରି ଏହି ରିପୋର୍ଟ ତିଆରି କରାଯାଇଛି। ସେଥିରୁ ଦୁଇଟି ମାମଲାରେ ରହସ୍ୟମୟ ନିବେଶକ ବିଦେଶରୁ ପାଣ୍ଠି ପଠାଇ ଆଦାନି ସେୟାର କିଣିଥିବା ଜଣାପଡ଼ିଛି। ଓସିସିଆର୍‌ପି ଏହା ମଧ୍ୟ ଅଭିଯୋଗ କରିଛି ଯେ ନିବୋକ ନାସିର ଅଲ୍ଲୀ ସବାନ ଅହ୍‌ଲି ଓ ଚେଙ୍ଗ ଚୁଙ୍ଗ୍‌-ଲିଙ୍ଗ୍‌ଙ୍କ ସହିତ ଆଦାନିଙ୍କ ପରିବାରର ଦୀର୍ଘଦିନ ଧରି ସମ୍ପର୍କ ରହିଛି। ସେମାନେ ‌ଗୌତମ ଆଦାନିଙ୍କ ବଡ଼ ଭାଇ ବିନୋଦ ଆଦାନିଙ୍କ ଗ୍ରୁପ୍‌ ଅଧୀନରେ ଥିବା କଂପାନିଗୁଡ଼ିକର ନିର୍ଦ୍ଦେଶକ ଓ ଅଂଶଧନକାରୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି।

Advertisment

ତେବେ ଏହି ଅଭିଯୋଗକୁ ଆଦାନି ଗ୍ରୁପ୍ ପକ୍ଷରୁ ଖଣ୍ଡନ କରାଯାଇଛି। ଆମକୁ ବଦନାମ କରିବା ଓ ଲାଭ ହାସଲ କରିବା ଲାଗି ଏହା ଏକ ଉଦ୍ୟମ ବୋଲି କଂପାନି କହିଛି। କଂପାନି ପକ୍ଷରୁ କୁହାଯାଇଛି ଯେ ଏହା ହେଉଛି ରିସାଇକଲ୍‌ଡ ଅଭିଯୋଗ। ତର୍କହୀନ ହିଣ୍ଡେନବର୍ଗ ରିପୋର୍ଟକୁ ପୁଣି ଥରେ ତାଜା କରିବା ଲାଗି ଏହି ପ୍ରୟାସ କରାଯାଇଛି। ଓସିସିଆର୍‌ପି ଯେଉଁ ଅଭିଯୋଗ କରିଛି, ସେହି ମାମଲାଗୁଡ଼ିକୁ ୧୦ ବର୍ଷ ପୂର୍ବରୁ ବନ୍ଦ ହୋଇଯାଇଗଲାଣି।

ସେହି ସମୟରେ ରାଜସ୍ବ ନିର୍ଦ୍ଦେଶାଳୟ (ଡିଆର୍‌ଆଇ) ପକ୍ଷରୁ ଇନଭଏସ୍‌ ମୂଲ୍ୟ ବଢ଼ାଇଚଢ଼ାଇ ପ୍ରଦର୍ଶନ କରିବା, ବିଦେଶକୁ ପାଣ୍ଠି ହସ୍ତାନ୍ତର, ସମ୍ପର୍କିତ ପକ୍ଷ କାରବାର ଏବଂ ଏଫ୍‌ପିଆଇ ଜରିଆରେ ନିବେଶ କରାଯାଇଥିବା ଅଭିଯୋଗର ତଦନ୍ତ କରାଯାଇଥିଲା। ୨୦୨୩ରେ ସୁପ୍ରିମ୍‌କୋର୍ଟ କଂପାନି ସପକ୍ଷରେ ରାୟ ଶୁଣାଇଥିଲେ ଓ ମାମଲାକୁ ବନ୍ଦ କରିଦେଇଥିଲେ ବୋଲି ଆଦାନି ଗ୍ରୁପ୍ ପକ୍ଷରୁ କୁହାଯାଇଛି। ଏଭଳି ରିପୋର୍ଟ ଜରିଆରେ ସେୟାର ମୂଲ୍ୟ ହ୍ରାସ କରି ଲାଭ ହାସଲ କରିବା ପାଇଁ ଉଦ୍ୟମ କରିବା ଦୁର୍ଭାଗ୍ୟଜନକ। ଏହି ରିପୋର୍ଟକୁ ଯେଉଁ ସମୟରେ ଜାରି କରାଯାଇଛି ତାହା ସହେନ୍ଦଜନକ ବୋଲି କଂପାନି ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଆଦାନି ଗ୍ରୁପ୍ ବିରୋଧରେ ଆସିଥିବା ନୂଆ ଅଭିଯୋଗର ଯୁଗ୍ମ ସଂସଦୀୟ କମିଟି (ଜେପିସି) ତଦନ୍ତ କରିବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧି ଦାବି କରିଛନ୍ତି। ଏହି ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୁପ୍ ରହିବା ନେଇ ରାହୁଲ ପ୍ରଶ୍ନ କରିଥିବା ବେଳେ ତାଙ୍କ ସରକାରଙ୍କ ଉପରେ ଏହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ସେ କହିଛନ୍ତି।

ଉଡ଼ିଗଲା ୩୫,୬୦୦ କୋଟି
ମୁମ୍ବାଇ: ଆଦାନି ଗ୍ରୁପ୍ ବିରୋଧରେ ଜର୍ଜ ସୋରସଙ୍କ ସଂସ୍ଥା ଓସିସିଆର୍‌ପି ଆଣିଥିବା ଗମ୍ଭୀର ଅଭିଯୋଗ ପ୍ରଭାବରେ ଶିଳ୍ପପତି ଗୌତମ ଆଦାନିଙ୍କ ବିଭିନ୍ନ ସଂସ୍ଥାର ସେୟାର ମୂଲ୍ୟରେ ହ୍ରାସ ଘଟିଛି। ଆଦି ଆଦାନି ଏଣ୍ଟରପ୍ରାଇଜେସ୍‌, ଆଦାନି ଗ୍ରିନ୍ ଏନର୍ଜି, ଆଦାନି ପୋର୍ଟସ୍‌ ଆଣ୍ଡ୍‌ ଏସ୍‌ଇଜେଡ୍ ଓ ଆଦାନି ପାୱାରର ସେୟାର ମୂଲ୍ୟରେ ହ୍ରାସ ଘଟିଛି। ଫଳରେ ଆଦାନି ଗ୍ରୁପ୍‌ର ‌ବଜାର ପୁଞ୍ଜିରେ ୩୫,୬୦୦ କୋଟି ଟଙ୍କାର ହ୍ରାସ ପାଇ ୧୦,୪୯,୦୪୪.୭୨ କୋଟି ଟଙ୍କାରେ ପହଞ୍ଚିଛି। ଆଦାନି ଏଣ୍ଟରପ୍ରାଇଜେସ୍‌ର ବଜାର ପୁଞ୍ଜି ୯,୫୭୦.୩୧ କୋଟଇ ଟଙ୍କା, ଆଦାନି ଗ୍ରିନ୍ ଏନର୍ଜିର ୬୨୦୦ କୋଟି ଟଙ୍କା, ଆଦାନି ପୋର୍ଟସ୍‌ ଆଣ୍ଡ୍ ଏସ୍‌ଇଜେଡ୍‌ର ୫,୩୦୦ କୋଟି ଟଙ୍କା, ଆଦାନି ଏନର୍ଜି ସଲ୍ୟୁସନ୍ସର ୩୦୦୦ କୋଟି ଟଙ୍କା ଓ ଅମ୍ବୁଜା ସିମେଣ୍ଟ୍‌ସର ବଜାର ପୁଞ୍ଜି ୨,୬୮୦ କୋଟି ଟଙ୍କା ହ୍ରାସ ପାଇଛି। ଷ୍ଟକ ବଜାରରେ ତାଲିକାଭୁକ୍ତ ଥିବା ଆଦାନି ଗ୍ରୁପ୍‌ର ୧୦ଟି ସଂସ୍ଥା ମଧ୍ୟରୁ ୯ଟି ସଂସ୍ଥାର ସେୟାର ମୂଲ୍ୟରେ ଆଜି ହ୍ରାସ ଘଟିଛି।