ପୁଣି ହନିଟ୍ରାପରେ ଭାରତୀୟ ସେନା ଅଧିକାରୀ, ଲେଫ୍ଟନାଣ୍ଟ କର୍ଣ୍ଣେଲ ଅଟକ

ନୂଆଦିଲ୍ଲୀ: ଭାରତୀୟ ସେନାର ଅଧିକରୁ ଅଧିକ ଅଫିସର ହନିଟ୍ରାପ୍‌ରେ ଫଶିବା ସରକାର ଓ ସେନା ପାଇଁ ଚିନ୍ତାର ବିଷୟ ହୋଇଛି । କିଛିଦିନ ତଳେ ବାୟୁସେନାର ଜଣେ ଅଫିସର ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍‌ଏଆଇର ହନିଟ୍ରାପରେ ଫସିବା ପରେ ଆଉ ଏକ ଅଫିସରଙ୍କ ବିରୋଧରେ ଅଭିଯୋଗ ଆସିଛି । ଲେଫ୍ଟନାଣ୍ଟ କର୍ଣ୍ଣେଲ ର‍୍ୟାଙ୍କର ଏହି ଅଧିକାରୀଙ୍କୁ ମିଲିଟାରୀ ଇଣ୍ଟେଲିଜେନ୍ସ ବା ସେନା ଗୁଇନ୍ଦା ପକ୍ଷରୁ ମଧ୍ୟପ୍ରଦେଶର ଜବଲପୁରଠାରେ ଅଟକ ରଖି ପଚରାଉଚୁରା କରାଯାଉଛି । ଆଇଏସଆଇର ହନିଟ୍ରାପରେ ସେ ପ୍ରଭାବିତ ହୋଇଥିବା ସେନା ସଂଦେହ କରୁଛି । ଏଥିଲାଗି ତାଙ୍କ ଉପରେ ଗତ କିଛି ଦିନ ଧରି ନଜର ରଖାଯାଇଥିଲା । ଏବେ ସେ ଆର୍ମି ବେସ ଓ୍ଵାର୍କସପ୍‌ରେ କାର୍ଯ୍ୟରତ ଅଛନ୍ତି । ତାଙ୍କ ଅଫିସରେ ମଧ୍ୟ ଚଢାଉ କରାଯାଇ ଯାଞ୍ଚ କରାଇଛି ।

ଗତସପ୍ତାହରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ପାଇଁ ଗୁପ୍ତଚର କାର୍ଯ୍ୟ କରିବା ଏବଂ ଭାରତୀୟ ସେନାର ଗୁପ୍ତ ତଥ୍ୟ ପ୍ରଘଟ କରିଥିବା ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଗ୍ରୁପ୍ କ୍ୟାପଟେନ    ଅରୁଣ ମାରଓ୍ଵାହ(୫୧)ଙ୍କୁ ଗିରଫ କରାଯାଇଥିଲା । ପାକିସ୍ତାନ ହନିଟ୍ରାପରେ ଏହି ଅଧିକାରୀଙ୍କୁ ଫସାଇ ଅନେକ ଗୋପନୀୟ ତଥ୍ୟ ହାସଲ କରିନେଇଥିବା ଜଣାପଡ଼ିଥିଲା । କ୍ୟାପ୍ଟେନ୍ ଅରୁଣଙ୍କୁ ଆଇଏସ୍ଆଇର ଦୁଇ ଜଣ ଏଜେଣ୍ଟ୍ ଫେସବୁକ  ମାଧ୍ୟମରେ ସୁନ୍ଦରୀ ଯୁବତୀ ନାଁରେ ଆକାଉଣ୍ଟ ଖୋଲି ସଂପର୍କ ସ୍ଥାପନ କରିବା ପରେ ଭାରତୀୟ ବାୟୁସେନାର ଅତି ସମ୍ବେଦନଶୀଳ ତଥ୍ୟ ତାଙ୍କଠାରୁ ହ୍ଵାଟ୍ସ ଆପ୍ ଯୋଗେ ନେଇଥିବା ଜଣାପଡ଼ିଥିଲା । କ୍ୟାପ୍ଟେନ୍ ଏହି ସୁନ୍ଦରୀଙ୍କ ଜାଲରେ ସଂପୂର୍ଣ୍ଣ ପଡ଼ିବା ପରେ ସେମାନେ ମାଗିଥିବା ଭାରତୀୟ ବାୟୁସେନାର ସମରାଭ୍ୟାସ ‘ଗଗନ ଶକ୍ତି’ ସମ୍ବନ୍ଧୀୟ ସମ୍ବେଦନଶୀଳ ତଥ୍ୟ ସେମାନଙ୍କୁ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର