ନୂଆଦିଲ୍ଲୀ: ଜେଲେନସ୍କିଙ୍କୁ ହତ୍ୟା କରିବା ପାଇଁ ରୁଷ ସେନା କରିଥିବା ଦ୍ବିତୀୟ ଉଦ୍ୟମ ବିଫଳ। ମିଳିଥିବା ସୂଚନା ମୁତାବକ, ୟୁକ୍ରେନର ରାଷ୍ଟ୍ରପତି ଭୋଲଦିମିର ‌ ଜେଲେନସ୍କିଙ୍କୁ ହତ୍ୟା କରିବା ପାଇଁ ରୁଷ ଦ୍ବିତୀୟ ଥର ଉଦ୍ୟମ କରିଥିଲା। ହେଲେ ସଠିକ ସମୟରେ ଜେଲେନସ୍କିଙ୍କୁ ହତ୍ୟା କରିବା ପାଇଁ ଆସିଥିବା ସୈନ୍ୟଙ୍କୁ କାବୁ କରିନେଇଥିଲେ ୟୁକ୍ରେନୀୟ ସେନା।

Advertisment

କିବ୍ ପୋଷ୍ଟର ରିପୋର୍ଟ ଅନୁଯାୟୀ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ରୁଷର ସ୍ୱତନ୍ତ୍ର ସେବା ଦ୍ୱାରା କରାଯାଇଥିବା ଅନ୍ୟ ଏକ ହତ୍ୟା ଉଦ୍ୟମରୁ ବଞ୍ଚିଯାଇଛନ୍ତି।

ରୁଷର ସ୍ୱତନ୍ତ୍ର ସେବା ଦ୍ୱାରା ପରିଚାଳିତ ୨୫ ଜଣିଆ ଏକ ସାମରିକ ଗୋଷ୍ଠୀକୁ ସ୍ଲୋଭାକିଆ-ହଙ୍ଗେରୀ ସୀମା ନିକଟରେ ୟୁକ୍ରେନ କାବୁ କରିଛି। କାବୁ କରାଯିବା ପରେ ଜେଲେନସ୍କିଙ୍କୁ ହତ୍ୟା କରିବା ସେମାନଙ୍କର ମୂଳ ଲକ୍ଷ୍ୟ ଥିଲା ବୋଲି ଜଣାପଡ଼ିଛି। ତେବେ ଗତ ମାସ ଫେବ୍ରୁଆରି ୨୪ରେ ରୁଷ ୟୁକ୍ରେନ ଉପରେ ଆକ୍ରମଣ କରିବା ପରଠାରୁ ରାଷ୍ଟ୍ରପତି ଜେଲେନସ୍କି ଦାବି କରିଛନ୍ତି ଯେ, ସେ ହେଉଛନ୍ତି ରୁଷର ଟାର୍ଗେଟ ନମ୍ବର ୱାନ ।

‌ତେବେ ଯୁଦ୍ଧକୁ ୩୩ଦିନ ବିତିଥିଲେ ବି ରୁଷ ପଛକୁ ହଟିନାହିଁ। ଏଭଳି ସ୍ଥିତିରେ ପାଶ୍ଚାତ୍ୟ ଦେଶ ୟୁକ୍ରେନକୁ ସାହାଯ୍ୟ କରୁନଥିବାରୁ ଜେଲେନସ୍କି ଗତକାଲି କହିଥିଲେ, ମୁଁ ଆଜି ମାରିୟୁପୋଲରେ ରହି ଲଢ଼ୁଥିବା ରକ୍ଷକଙ୍କ ସହ କଥା ହୋଇଛି। ମୁଁ ସେମାନଙ୍କ ସହିତ ନିରନ୍ତର ଯୋଗାଯୋଗରେ ଅଛି। ସେମାନଙ୍କର ନିଷ୍ଠା, ବୀରତ୍ୱ ଏବଂ ଦୃଢ଼ତା ଆଶ୍ଚର୍ଯ୍ୟଜନକ। ସେମାନେ ୩୨ଦିନ ଧରି ରୁଷ ସେନାର କ୍ରୁରତା ସହି ଆକ୍ରମଣର ସାମ୍ନା କରୁଛନ୍ତି। ପ୍ରତିଟି ସେକେଣ୍ଡ ସେମାନଙ୍କ ପାଇଁ ଗୁରୁତ୍ବ ରଖୁଛି। ଏତେ ସବୁ ହେବା ଦେଖିବା‌ ପରେ ବି ପାଶ୍ଚାତ୍ୟ ରାଷ୍ଟ୍ର ୟୁକ୍ରେନକୁ ସାହାଯ୍ୟ କରୁନାହିଁ। ୟୁକ୍ରେନକୁ ପାଶ୍ଚାତ୍ୟ ରାଷ୍ଟ୍ର କିଭଳି ଯୁଦ୍ଧ ବିମାନ ଓ ଟ୍ୟାଙ୍କ ଦେବ ବୋଲି ଚିନ୍ତା କରୁଛି। ଏଭଳି ସ୍ଥିତିରେ ୟୁକ୍ରେନକୁ ସାହାଯ୍ୟ କରିବା ପାଇଁ ପାଶ୍ଚାତ୍ୟ ରାଷ୍ଟ୍ରକୁ ଆହୁରି ଅଧିକ ସାହସ ଆବଶ୍ୟକ।