ପୁଣି ଜଣେ ଯବାନ ନିମ୍ନ ମାନର ଖାଦ୍ୟ ନେଇ ଆଣିଲେ ଅଭିଯୋଗ, ସୋସିଆଲ୍‌ ମିଡିଆରେ ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ସୀମାନ୍ତରେ ଥିବା ଯବାନମାନଙ୍କୁ ନିମ୍ନ ଧରଣର ଖାଦ୍ୟ ପ୍ରଦାନ କରାଯାଉଛି ବୋଲି ପୂର୍ବରୁ ବିଏସ୍‌ଏଫ୍‌ ଯବାନ ତେଜ୍‌ ବାହାଦୁର ଯାଦବ ଏକ ଭିଡିଓ ଜରିଆରେ ସୋସିଆଲ୍‌ ମିଡିଆରେ ଅପ୍‌ଲୋଡ କରି କହିବା ଘଟଣା ବେଶ୍‌  ହୋ ହଲ୍ଲା ହୋଇଥିଲା। ଏପରିକି ଏହି ଭଳି ଏକ ଭିଡିଓ ଅପ୍‌ଲୋଡ କରିଥିବାରୁ ତାଙ୍କ ଚାକିରି ମଧ୍ୟ ଚାଲି ଯାଇଥିଲା। ସେହି ଘଟଣା ପରେ ଯବାନମାନଙ୍କୁ ଉଚ୍ଚମାନର ଖାଦ୍ୟ ଯୋଗାଯିବ ବୋଲି ବିଏସ୍‌ଏଫ୍‌ ଘୋଷଣା କରିଥିଲା।

ଏବେ ସେହିପରି ଆଉ ଏକ ନୂଆ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ଭିଡିଓଟି ଏବେ ଉଚ୍ଚମାନର  ଖାଦ୍ୟ ଯୋଗାଇବାକୁ କରାଯାଇଥିବା ନିଷ୍ପତ୍ତିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଭିଡିଓଟିରେ ଦେଖିବାକୁ ମିଳୁଛି ଯେ ଜଣେ ବିଏସ୍‌ଏଫ୍‌ ଯବାନ ଗ୍ଵାଲିୟର୍‌ର ଟେକାନପୁର କ୍ୟାମ୍ପରେ ରହି ବିଏସ୍‌ଏଫରେ ନିମ୍ନମାନର ଖାଦ୍ୟ ସଂପର୍କରେ କହିବାରେ ଲାଗିଛନ୍ତି। ଭିଡିଓଟିରେ ଦୃଶ୍ୟମାନ ହେଉଥିବା ବ୍ୟକ୍ତି ନିଜକୁ ମହାରାଷ୍ଟ୍ରର ଜଲଗାଁଓ ଜିଲ୍ଲାର ବୋଲି କହୁଛନ୍ତି। ସେ କହୁଛନ୍ତି ଯେ ଦୀର୍ଘ ୨୮ ବର୍ଷ ହେବ ସେ ବିଏସ୍‌ଏଫ୍‌ରେ ଅଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସେ ନିଜେ ବି ଜାଣନ୍ତି ନାହିଁ ସେ ବିଏସ୍‌ଏଫ୍‌ର ନିମ୍ନମାନର ଖାଦ୍ୟ ବିଷୟରେ କହୁଥିବା ବେଳେ ତାଙ୍କର ଭିଡିଓ କିଏ ସୁଟ୍ କରିିଛି।

ସମ୍ବନ୍ଧିତ ଖବର