ବିଧାୟକଙ୍କ ପରେ ଉଦ୍ଧବଙ୍କୁ ଝଟକା ଦେଇପାରନ୍ତି ସାଂସଦ, ହାତ ଛାଡ଼ି ପାରନ୍ତି ୭ସାଂସଦ

ମୁମ୍ବାଇ: ନିକଟରେ ମହାରାଷ୍ଟ୍ରରେ କ୍ଷମତା ହରାଇଥିବା ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ସୋମବାର ଆଉ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିଜ ବାସଭବନ ମାତୋଶ୍ରୀରେ ଶିବସେନା ସାଂସଦଙ୍କ ବୈଠକ ଡାକିଥିଲେ। ହେଲେ ଏହି ବୈଠକରେ ମାତ୍ର ୧୨ ଜଣ ସାଂସଦ ପହଞ୍ଚିଥିବା ବେଳେ ଆଉ ୭ଜଣ ସାଂସଦ ବୈଠକରେ ପହଞ୍ଚି ନଥିଲେ। ଶିବସେନାରେ ଲୋକସଭାରେ ମୋଟ ୧୯ସାଂସଦ ଅଛନ୍ତି। ଏମଧ୍ୟରେ ୭ଜଣ ବୈଠକରେ ନପହଞ୍ଚିବାରୁ ସେମାନେ ଉଦ୍ଧବଙ୍କ ସାଥ୍ ଛାଡ଼ିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି।

ଏହାପୂର୍ବରୁ ମଧ୍ୟ କିଛି ସାଂସଦ ଉଦ୍ଧବ ଠାକରେଙ୍କୁ ଏକନାଥ ସିନ୍ଦେଙ୍କ ସହ ମେଣ୍ଟ କରିବାକୁ ପରାମର୍ଶ ଦେଇଥିଲେ। କୁହାଯାଉଛି ଯେ ଗଜାନନ କୀର୍ତ୍ତିକର, ଅରବିନ୍ଦ ସାୱନ୍ତ, ବିନାୟକ ରାଉତ, ହେମନ୍ତ ଗୋଡସେ, ଧୗର୍ଯ ମାନେ, ଓମ୍ରାଜେ ନିମ୍ବାଲକର, ରାଜେନ୍ଦ୍ର ଗାବିତ, ରାଜନ ବିଚାରେ ଏବଂ ରାହୁଲ ଶେୱାଲଙ୍କ ସମେତ ୧୨ଜଣ ସାଂସଦ ଉଦ୍ଧବଙ୍କ ଦ୍ୱାରା ଡକାଯାଇଥିବା ବୈଠକରେ ପହଞ୍ଚିଥିଲେ। ଶିବସେନାର ୩ରାଜ୍ୟସଭା ସାଂସଦ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ।

ଉଦ୍ଧବ ଠାକରେଙ୍କ ବୈଠକରେ ଯୋଗ ଦେଇ ନଥିବା ସାଂସଦମାନଙ୍କ ମଧ୍ୟରେ ଏକାନାଥ ସିନ୍ଦେଙ୍କ ପୁଅ ଶ୍ରୀକାନ୍ତ ସିନ୍ଦେ ଏବଂ ଭବନା ଗୱାଲି ଅଛନ୍ତି। ନିକଟରେ ଭବନା ଗୱାଲିଙ୍କୁ ମୁଖ୍ୟ ହ୍ବିପ୍ ପଦରୁ ହଟାଇଥିଲେ ଉଦ୍ଧବ ଠାକରେ। ତାଙ୍କ ସ୍ଥାନରେ ରାଜନ ବିଚାରେଙ୍କୁ ଦାୟିତ୍ବ ଦିଆଯାଇଥିଲା।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ଏହି ବୈଠକ ଡକାଯାଇଥିଲା। ଶିବସେନାର ଅଧିକାଂଶ ଲୋକସଭା ସଦସ୍ୟ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ପରାମର୍ଶ ଦେଇଥିଲେ।

ସମ୍ବନ୍ଧିତ ଖବର