ନୂଆଦିଲ୍ଲୀ : ପୂର୍ବ ଲଦାଖ୍ର ପାଙ୍ଗଙ୍ଗ୍ ସୋ’ରେ ଚୀନ୍ ଏକ ବ୍ରିଜ୍ ନିର୍ମାଣ କରୁଥିବା ନେଇ ଭାରତ ପାଖରେ ଖବର ରହିଛି। କିନ୍ତୁ ଏହା ନୂଆ ବ୍ରିଜ୍ କି ପୂର୍ବରୁ ଥିବା ବ୍ରିଜ୍ର ସମ୍ପ୍ରସାରଣ ସେନେଇ ଭାରତ ଯାଞ୍ଚ କରୁଛି ବୋଲି ବିଦେଶ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗ୍ଚି କହିଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ବାଗ୍ଚି କହିଛନ୍ତି, ଆମେ ଏହି ବ୍ରିଜ୍ର ରିପୋର୍ଟ ଦେଖିଛୁ ଏବଂ ଏହାକୁ ଭଲଭାବେ ଯାଞ୍ଚ କରୁଛୁ। ଏନେଇ ଚୀନ୍ ସହ କଥାବାର୍ତ୍ତା ଜାରି ରହିଛି ବୋଲି ବାଗ୍ଚି କହିଛନ୍ତି। ଉଲ୍ଲେଖଯୋଗ୍ୟ, ପାଙ୍ଗଙ୍ଗ୍ ହ୍ରଦରେ ଚୀନ୍ ଆଉ ଏକ ବ୍ରିଜ୍ ନିର୍ମାଣ କରୁଥିବା ନେଇ ଖବର ପ୍ରସାର ହେଉଥିବା ବେଳେ ବାଗ୍ଚି ଏହି ଟିପ୍ପଣୀ ଦେଇଛନ୍ତି। ପ୍ରଥମ ବ୍ରିଜ୍ ସହ ସମାନ୍ତରାଳ ଭାବେ ଦ୍ବିତୀୟ ବ୍ରିଜ୍ ନିର୍ମାଣ ହୋଇଛି ଏବଂ ଚଳିତ ବର୍ଷ ଏପ୍ରିଲରେ ଏହି କାର୍ଯ୍ୟ ଶେଷ ହୋଇଛି ବୋଲି କୁହାଯାଉଛି।