ଅମୃତସର: ଗୁରୁବାର ବିଳମ୍ବିତ ରାତ୍ରିରେ ଅମୃତସରସ୍ଥିତ ସ୍ବର୍ଣ୍ଣ ମନ୍ଦିର ନିକଟରେ ଏକ ବିସ୍ଫୋରଣ ଶବ୍ଦ ଶୁଣାଯିବା ପରେ ପୁଲିସ ପକ୍ଷରୁ ଅନୁସନ୍ଧାନ କରି ୫ ଜଣଙ୍କୁ ଗିରଫ କରାଯାଇଛି। ଏହା ଥିଲା ସପ୍ତାହକ ଭିତରେ ତୃତୀୟ ବିସ୍ଫୋରଣ। ସୂଚନା ଅନୁଯାୟୀ, ରାତ୍ରି ୧୨ଟା ୩୦ ପାଖାପାଖି ଏହି ବିସ୍ଫୋରଣ ଘଟିଥିଲା। ସିସିଟିଭି ଫୁଟେଜ ଓ ମୋବାଇଲ ଲୋକେସନ ଆଧାରରେ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି। ନିକଟସ୍ଥ ଏକ ପାଇଖାନା ଭିତରେ ବିସ୍ଫୋରକ (ଆଇଡି) ଖଞ୍ଜାଯାଇଥିଲା। ଗତ ମେ ୬ ଓ ୮ ତାରିଖରେ ମଧ୍ୟ ସ୍ବର୍ଣ୍ଣ ମନ୍ଦିର ନିକଟରେ ଅନୁରୂପ ବିସ୍ଫୋରଣ ହୋଇଥିଲା। କିନ୍ତୁ କୌଣସି ବିସ୍ଫୋରଣରେ କେହି ମୃତାହତ ହୋଇ ନାହାନ୍ତି।