କୋଲକାତା: ଆର୍‌ଜି କର ମେଡିକାଲ କଲେଜ ଓ ହସ୍ପିଟାଲ ଦୁଷ୍କର୍ମ ଘଟଣା ମନରୁ ଲିଭି ନଥିବାବେଳେ କୋଲକାତାର ଏକ ଲ’ କଲେଜରେ ଜଣେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଛି। ଏହି ଘଟଣାରେ ଗିରଫ ୩ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଶାସକ ତୃଣମୂଳ କଂଗ୍ରେସର ଛାତ୍ର ସଂଗଠନ ନେତା। ଅଭିଯୁକ୍ତମାନଙ୍କୁ ଗୁରୁବାର କୋର୍ଟରେ ହାଜର କରାଯିବା ପରେ ସେମାନଙ୍କୁ ୫ଦିନିଆ ପୁଲିସ ହେପାଜତକୁ ପଠାଇ ଦିଆଯାଇଛି। ଅଭିଯୋଗ ଅନୁଯାୟୀ, ବୁଧବାର ସନ୍ଧ୍ୟା ସାଢ଼େ ୭ଟାରୁ ୧୦ଟା ୫୦ ମଧ୍ୟରେ ସାଉଥ୍ କୋଲକାତା ଲ’ କଲେଜ ପରିସରରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା। ଅଭିଯୋଗ ପରେ ୨ ଜଣ ଛାତ୍ର ଓ ଜଣେ କର୍ମଚାରୀଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଥିଲା। କର୍ମଚାରୀଜଣକ କଲେଜର ଜଣେ ପୂର୍ବତନ ଛାତ୍ର ଓ ତୃଣମୂଳ କଂଗ୍ରେସର ଛାତ୍ର ଶାଖା ନେତା।

Advertisment

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୨୪ ବର୍ଷୀୟା ଯୁବତୀ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ପରୀକ୍ଷା ପାଇଁ ଫର୍ମ ପୂରଣ କରିବାକୁ କଲେଜରେ ପହଞ୍ଚିଥିଲେ। ସେ ପ୍ରଥମେ କଲେଜ ୟୁନିୟନ୍‌ ରୁମ୍ ଭିତରେ ବସିଥିଲେ। ପରେ ମୁଖ୍ୟ ଅଭିଯୁକ୍ତ ମୁଖ୍ୟ ଗେଟ୍‌ରେ ତାଲା ପକାଇ ଅନ୍ୟ ଦୁଇ ଛାତ୍ରଙ୍କ ସହ ମିଶି କ୍ୟାମ୍ପସ୍‌ରେ ଥିବା ସିକ୍ୟୁରିଟି ଗାର୍ଡ ରୁମ୍ ଭିତରେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏତଲା ଅନୁଯାୟୀ ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି କଲେଜର ପୂର୍ବତନ ଛାତ୍ର ତଥା ତୃଣମୂଳ କଂଗ୍ରେସ ଛାତ୍ର ପରିଷଦ (ଟିଏମ୍‌ସିପି)ର ଦକ୍ଷିଣ କୋଲକାତା ଜିଲ୍ଲାର ବର୍ତ୍ତମାନର ସାଧାରଣ ସମ୍ପାଦକ ୩୧ ବର୍ଷୀୟ ମନୋଜିତ ମିଶ୍ର।  ଅନ୍ୟ ଦୁଇ ଅଭିଯୁକ୍ତ ହେଲେ ପ୍ରଥମ ବର୍ଷର ଛାତ୍ର ୧୯ ବର୍ଷୀୟ ଜାଇବ ଅହମ୍ମଦ ଓ ଅନ୍ୟ ଜଣେ ଛାତ୍ର ୨୦ ବର୍ଷୀୟ ପ୍ରମିତ ମୁଖାର୍ଜୀ।

ତୃଣମୂଳ ନେତା ଓ ୨ ଛାତ୍ର ଗିରଫ, ରିପୋର୍ଟ ମାଗିଲେ ଜାତୀୟ ମହିଳା କମିସନ୍‌

ଛାତ୍ରୀ ଜଣକ ଅଭିଯୋଗ କରିଛନ୍ତି ଯେ ମୁଖ୍ୟ ଅଭିଯୁକ୍ତ ମିଶ୍ର ତାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ତାଙ୍କର ଅନ୍ୟ ପ୍ରେମିକ ଥିବା କହି ସେ ଏହାକୁ ପ୍ରତ୍ୟାଖ୍ୟାନ କରିବାରୁ ସେ ରାଗି ଯାଇଥିଲେ। ଏହାପରେ ଅଭିଯୁକ୍ତମାନେ ତାଙ୍କୁ ଜୋରଜବରଦସ୍ତ କୋଠରି ଭିତରେ ବନ୍ଦ କରି ଦେଇଥିଲେ ଏବଂ ତାଙ୍କୁ ଓ ତାଙ୍କ ପ୍ରେମିକଙ୍କୁ ହତ୍ୟା କରିବା ସହ ତାଙ୍କ ପିତାମାତାଙ୍କୁ ଗିରଫ କରାଇବାକୁ ଧମକ ଦେଇଥିଲେ। ଅଭିଯୁକ୍ତମାନେ ଏହି କାର୍ଯ୍ୟର ଭିଡିଓ ରେକର୍ଡିଂ ମଧ୍ୟ କରିଥିଲେ ଏବଂ ସହଯୋଗ ନ କଲେ ସେଗୁଡ଼ିକୁ ଭାଇରାଲ କରିଦେବେ ବୋଲି ଧମକ ଦେଇଥିଲେ। ପୀଡ଼ିତାଙ୍କ କହିବାନୁସାରେ, ସେ ଲଢ଼େଇ କରି ଖସିଯିବାକୁ ଚେଷ୍ଟା କରିଥିଲେ; କିନ୍ତୁ ଅଭିଯୁକ୍ତମାନେ ତାଙ୍କୁ ହକି ଷ୍ଟିକ୍‌ରେ ଆକ୍ରମଣ କରି ଆହତ କରିଥିଲେ।

ଗୁରୁବାର ସନ୍ଧ୍ୟାରେ ଦକ୍ଷିଣ କୋଲକାତାର କସବାସ୍ଥିତ ଏକ ସିଗ୍‌ନାଲ୍‌ କ୍ରସିଂରୁ ଦୁଇ ଅଭିଯୁକ୍ତ ମନୋଜିତ ମିଶ୍ର ଓ ଜାଇବ ଅହମ୍ମଦକୁ ଗିରଫ କରାଯାଇଛି। ତୃତୀୟ ଅଭିଯୁକ୍ତ ପ୍ରମିତ ମୁଖାର୍ଜୀକୁ ଗୁରୁବାର ରାତି ପ୍ରାୟ ସାଢ଼େ ୧୨ଟା ବେଳେ ତାଙ୍କ ବାସଭବନରୁ ଗିରଫ କରାଯାଇଛି। ଏହି ଘଟଣାକୁ ନେଇ ରାଜନୈତିକ ହଟଚମଟ ସୃଷ୍ଟି ହୋଇଛି। ତୃଣମୂଳ କଂଗ୍ରେସ ଏହି ଘଟଣାକୁ ନିନ୍ଦା କରିବା ସହ ନ୍ୟାୟ ପାଇଁ ପ୍ରତିଶ୍ରୁତି ଦେଇଛି। ସେପଟେ ସାଂସଦ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ସମେତ ଏକାଧିକ ତୃଣମୂଳ ନେତାଙ୍କ ସହ ମୁଖ୍ୟ ଅଭିଯୁକ୍ତ ମନୋଜିତ ମିଶ୍ରଙ୍କ ଫଟୋ ସେୟାର କରି ବିଜେପି ଜବାବ ମାଗିଛି। ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଏହି ଘଟଣା ପାଇଁ ପୁଲିସକୁ ସମ୍ପୂର୍ଣ୍ଣ ଭାବେ ଦାୟୀ କରି ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସମଗ୍ର କୋଲକାତା ପୁଲିସକୁ ଦୀଘା (ରଥଯାତ୍ରା ପାଇଁ) ନିଆଯାଇଛି। ସେଠାରେ କ’ଣ କରୁଛି କୋଲକାତା ପୁଲିସ? ମୁଖ୍ୟମନ୍ତ୍ରୀ ତାଙ୍କ ପଦରେ ରହିବାର ନୈତିକତା ହରାଇଛନ୍ତି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଜାତୀୟ ମହିଳା ଆୟୋଗ (ଏନ୍‌ସିଡବ୍ଲ୍ୟୁ) କୋଲକାତା ପୁଲିସ କମିସନରଙ୍କୁ ଚିଠି ଲେଖି କାର୍ଯ୍ୟାନୁଷ୍ଠାନର ରିପୋର୍ଟ ମାଗିଛନ୍ତି।