ନୀତୀଶଙ୍କ ଆଉ ଏକ ଇନିଂସ୍: ଲଗାତାର ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ

ତାରକିଶୋର ପ୍ରସାଦ, ରେଣୁଦେବୀ ଉପମୁଖ୍ୟମନ୍ତ୍ରୀ

ପାଟନା: ଲଗାତାର ଚତୁର୍ଥ ଥର ପାଇଁ ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ଆଜି ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜଭବନରେ ଅନୁଷ୍ଠିତ ସମାରୋହରେ ରାଜ୍ୟପାଳ ଫାଗୁ ଚୌହାନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ମୁଖ୍ୟମନ୍ତ୍ରୀ ଭାବେ ଏହା ଏହା ଥିଲା ନୀତୀଶଙ୍କ ସପ୍ତମ ଶପଥ ଗ୍ରହଣ। ଆଜି ନୀତୀଶଙ୍କ ସହିତ ବିଜେପି ନେତା ତାରକିଶୋର ପ୍ରସାଦ ଏବଂ ରେଣୁ ଦେବୀ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ମୋଟ ୧୪ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି।

ଜେଡିୟୁ କୋଟାରୁ ଅଶୋକ ଚୌଧାରୀ, ବିଜୟ ଚୌଧାରୀ, ମେୱାଲାଲ ଚୌଧାରୀ, ବିଜୟେନ୍ଦ୍ର ପ୍ରସାଦ ଏବଂ ଶୀଲା ମଣ୍ଡଳ ମନ୍ତ୍ରୀ ପଦର ଶପଥ ଗ୍ରହଣ କରିଥିବା ବେଳେ ବିଜେପିରୁ ମଙ୍ଗଳ ପାଣ୍ଡେ, ଜୀବେଶ ମିଶ୍ରା, ରାମପ୍ରୀତ ପାଶୱାନ, ଅମରେନ୍ଦ୍ର ପ୍ରସାଦ ସିଂହ ଏବଂ ରାମସୁରତ ରାୟ ଶପଥ ଗ୍ରହଣ କରିଛନ୍ତି। ଏହା ବ୍ୟତୀତ ‘ହମ୍‌’ ଦଳରୁ ସନ୍ତୋଷ ମାଂଝୀ ଏବଂ ଭିଆଇପିରୁ ମୁକେଶ ଶାହଣି ଶପଥ ନେଇଛନ୍ତି। ସନ୍ତୋଷ ମାଂଝି ବିହାରର ପୂର୍ବ ମୁଖ୍ୟମନ୍ତ୍ରୀ ଜୀତନରାମ ମାଝିଂଙ୍କ ପୁଅ। ଜୀତନରାମ ଏଥର ‘ହମ୍‌’ ଟିକଟରେ ନିର୍ବାଚନ ଜିତିଥିଲେ। ଶପଥ ଗ୍ରହଣ ଉତ୍ସବରେ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, ମହାରାଷ୍ଟ୍ରର ପୂର୍ବ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ସମେତ ଦଳର ଶୀର୍ଷ ନେତାମାନେ ଉପସ୍ଥିତ ଥିଲେ। ଏଥର ବିହାର ବିଧାନସଭା ନିର୍ବାଚନରେ କ୍ଷମତାସୀନ ଏନ୍‌ଡିଏ ମେଣ୍ଟ ୧୨୫ ଆସନ ପାଇ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଅନ୍ୟପକ୍ଷରେ ଆର୍‌ଜେଡି ନେତା ତେଜସ୍ବୀ ଯାଦବଙ୍କ ନେତୃତ୍ବରେ ମହାମେଣ୍ଟକୁ ୧୧୦ ଆସନ ମିଳିଛି।

ସମ୍ବନ୍ଧିତ ଖବର