ରାଜୌରୀ: ଜମ୍ମୁ କାଶ୍ମୀରର ରାଜୌରୀ ଜିଲ୍ଲାରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଚାଲିଥିବା ଗୁଳିଗୋଳା ବିନିମୟରେ ବୁଧବାର ସେନାର ୪ ଜଣ ସହିଦ ହୋଇଥିବାବେଳେ ଗୁରୁବାର ଆଉ ଜଣେ ସହିଦ ହୋଇଛନ୍ତି। ଫଳରେ ସହିଦଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ବୁଧବାର ସହିଦ ହୋଇଥିବା ସେନାର ୪ ଜଣଙ୍କ ମଧ୍ୟରେ ଦୁଇଜଣ କ୍ୟାପଟେନ ଥିବାବେଳେ ଦୁଇଜଣ ଯବାନ ରହିଛନ୍ତି। ୫ଜଣ ସହିଦ ହେଲେ କ୍ୟାପଟେନ ଏମ୍‌ଭି ପ୍ରାଞ୍ଜଲ, କ୍ୟାପଟେନ ଶୁଭମ ଗୁପ୍ତା, ହାବିଲଦାର ଅବଦୁଲ ମାଜିଦ, ଲାନ୍ସ ନାୟକ ସଞ୍ଜୟ ବିଷ୍ଟ ଏବଂ ପାରାଟ୍ରୁପର ସଚିନ ଲୌର। ଏଥିସହିତ ଉକ୍ତ ଘଟଣାରେ ସେନାର ଆଉ ୩ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧମପୁରସ୍ଥିତ ସେନାର କମାଣ୍ଡ୍‌ ହସ୍ପିଟାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି।

Advertisment

ଅନ୍ୟପକ୍ଷରେ ଏହି ଘଟଣାରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଲସ୍କର ଏ ତୋଇବାର ଜଣେ କମାଣ୍ଡର ଏବଂ ତା’ର ଜଣେ ସହଯୋଗୀ ରହିଛି। ସୁରକ୍ଷା ଅଧିକାରୀଙ୍କ କହିବାନୁଯାୟୀ, ନିହତ‌ ଆତଙ୍କବାଦୀଙ୍କ ସାଂକେତିକ ନାମ କ୍ବାରି। ରାଜୌରୀ-ପୁଞ୍ଚ ଜିଲ୍ଲାରେ ସେ ଗତବର୍ଷ ଠାରୁ ସକ୍ରିୟ ଥିଲା। ଡାଙ୍ଗ୍ରି ଓ କାଣ୍ଡିଠାରେ ଆତଙ୍କବାଦୀ ଆକ୍ରମଣ ପଛରେ ଏମାନଙ୍କ ହାତ ଥିବା ସନ୍ଦେହ କରାଯାଉଛି। କ୍ବାରୀ ପାକିସ୍ତାନର ବୋଲି ଚିହ୍ନଟ ହୋଇଛି।