ଫେସ୍‌ବୁକ୍‌ରେ ନିଖୋଜ ପୁଅର ବନ୍ଧୁକ ଧରା ଫଟୋ ଦେଖି ଚମକି ପଡ଼ିଲେ ପରିବାର ଲୋକ, ପୁଅକୁ ଫେରେଇବାକୁ କଲେ ଆକୁଳ ଅନୁରୋଧ

ଜମ୍ମୁ: ଦିନକୁ ଦିନ ବଢ଼ିବାରେ ଲାଗିଛି ଆତଙ୍କବାଦ। ଦେଶର ଯୁବକ ଆତଙ୍କବାଦୀମାନଙ୍କ ସହ ହାତ ମିଳାଇବା ଘଟଣା ଚିନ୍ତାର କାରଣ ପାଲଟିଛି। ନିକଟରେ ଜଣେ ଯୁବକ ଆତଙ୍କବାଦୀ ସଂଗଠନରେ ସାମିଲ୍‌ ହେବା ପରେ ତାଙ୍କ ମାଆ ଏକ ଟିଭି ଚ୍ୟାନେଲ୍‌ରେ ବିକଳ ହୋଇ କାନ୍ଦିଥିଲେ। ମାଆ ଆଖିର ଲୁହ ସହିନପାରି ଆତଙ୍କବାଦ ତ୍ୟାଗ କରି ଘରକୁ ଫେରିଥିଲା ପୁଅ। ଏବେ ସେହିପରି ଆଉ ଏକ ଘଟଣା ଦେଖିବାକୁ ମିଳିଛି। ନିଖୋଜ ହୋଇଥିବା ଜଣେ ଯୁବକ ହାତରେ ବନ୍ଧୁକ ଧରି ଠିଆ ହୋଇଥିବା ଏକ ଫଟୋ ଫେସ୍‌ବୁକରେ ଦେଖିବାକୁ ମିଳୁଛି। ସନ୍ଦେହ କରାଯାଉଛି ଯେ ସେ ଯୁବକ ଜଣକ ଆତଙ୍କବାଦୀମାନଙ୍କ ସହ ହାତ ମିଳାଇଛନ୍ତି । ଫଟୋଟି ଦେଖିବା ପରେ ଭାଙ୍ଗି ପଡ଼ିଛନ୍ତି ପରିବାର ଲୋକ। ନିଜ ପୁଅକୁ ଘରକୁ ଫେରେଇ ଆଣିବା ପାଇଁ ସେମାନେ ରାଜାରାସ୍ତାକୁ ଓହ୍ଲାଇ ଆକୁଳ ଅନୁରୋଧ କରିଛନ୍ତି।

ଆତଙ୍କବାଦୀଙ୍କ ସହ ସାମିଲ୍‌ ହୋଇଛନ୍ତି ବୋଲି ସନ୍ଦେହ କରାଯାଉଥିବା ଯୁବକ ଜଣକ ହେଉଛନ୍ତି ନସିର ଅହମ୍ମଦ ଦାଗି। ତାଙ୍କ ଘର ଜମ୍ମୁ-କଶ୍ମୀରର ବାରମୁଲାରେ। ଡିସେମ୍ବର ୨ ତାରିଖରେ ସେ ତାଙ୍କର ମାମଲାର ଶୁଣାଣି ପାଇଁ କୋର୍ଟ ଯାଇଥିଲେ। ସେଇଦିନଠାରୁ ସେ ନିଖୋଜ ଅଛନ୍ତି। ନିଖୋଜ ହେବା ଦିନ ବିଳମ୍ବିତ ରାତ୍ରୀରେ ତାଙ୍କର ଏକ ସନ୍ଦେହଜନକ ଫଟୋ ଫେସ୍‌ବୁକ୍‌ରେ ଘୂରିବା ଆରମ୍ଭ ହୋଇଥିଲା। ଉଲ୍ଲେଖଯୋଗ୍ୟ, ଛଅ-ସାତ ବର୍ଷ ତଳେ ନସିର୍‌ଙ୍କ ବିରୋଧରେ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ସେବେଠାରୁ ତାଙ୍କ ମାମଲା ବିଚାରାଧୀନ। ସେ ବୃତ୍ତିଗତ ଭାବେ ଜଣେ ଚିତ୍ରଶିଳ୍ପୀ। ତାଙ୍କର ହଠାତ ନିଖୋଜ ହେବା ପରେ ତାଙ୍କ ପରିବାର ଲୋକ ପୂରାପୂରି ଭାଙ୍ଗି ପଡ଼ିଛନ୍ତି। କାରଣ, ନସିର ତାଙ୍କ ବାପାଙ୍କ ମୃତ୍ୟୁ ପରେ ପରିବାର ଦାୟିତ୍ୱ ନିଜେ ସମ୍ଭାଳୁ ଥିଲେ। ସେ ନିଖୋଜ ଥିବା ଦିନଠାରୁ ଆମେ କେହି ରାତିରେ ଶୋଇ ନାହୁଁ ବୋଲି ନସିରଙ୍କ ଭଉଣୀ ସ୍ନୋବର୍‌ କହନ୍ତି।

ସମ୍ବନ୍ଧିତ ଖବର