ଜୀବନ ହାରିଲେ ଆଉ ଜଣେ ମଡେଲ, ୨ସପ୍ତାହରେ ଗଲାଣି ୪ଜୀବନ

କୋଲକାତା: କୋଲକାତାରୁ ଗୋଟିଏ ପରେ ଗୋଟିଏ ମଡେଲଙ୍କ ଆତ୍ମହତ୍ୟା ଖବର ଆସିବାରେ ଲାଗିଛି। ଗତ ୨ସପ୍ତାହ ମଧ୍ୟରେ ଗଲାଣି ୪ ଜଣଙ୍କ ଜୀବନ। ପୂର୍ବରୁ ୩ ଜଣ ମଡେଲ ଆତ୍ମହତ୍ୟା କରିବା ଖବର ସାମ୍ନାକୁ ଆସିଥିବା‌ ବେଳେ ଏବେ ଆଉ ଜଣେ ମଡେଲ ଆତ୍ମହତ୍ୟା କରିଛନ୍ତି। ଗତ କିଛି ଦିନ ହେବ କୋଲକାତାରେ ଘଟିଥିବା ଆତ୍ମହତ୍ୟାର ଏହା ହେଉଛି ଚତୁର୍ଥ ଘଟଣା। ୧୮ ବର୍ଷ ବୟସ୍କା ମଡେଲ୍ ନିଜ ଶୋଇବା ଘରେ ଥିବା ପଙ୍ଖାରେ ଓଢ଼ଣୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମଡେଲଙ୍କ ନାଁ ସରସ୍ୱତୀ ଦାସ ବୋଲି କୁହାଯାଉଛି। ସେ ଜଣେ ମେକଅପ ଆର୍ଟିଷ୍ଟ ମଧ୍ୟ ଥିଲେ ବୋଲି ଜଣାପଡ଼ିଛି। ଏହି ଘଟଣାଟି ଘଟିଛି ସହରର କସବା ଅଞ୍ଚଳରେ ଥିବା ବେଡିଆଡଙ୍ଗାରେ।

ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଛୋଟ ଉଦ୍ୟୋଗ ପାଇଁ ମଡେଲିଂ କରୁଥିବା ସରସ୍ୱତୀ ଶନିବାର ରାତିରେ ନିଜ ଓଢ଼ଣୀ ବ୍ୟବହାର କରି ଆତ୍ମହତ୍ୟା କରିଛନ୍ତି। ସରସ୍ୱତୀଙ୍କ ଜେଜେମା ପ୍ରଥମେ ତାଙ୍କୁ ପଙ୍ଖାରେ ଝୁଲୁଥିବାର ଦେଖିଥିଲେ। ପରିବାର ଲୋକେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନେଇଥିଲେ ବି ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହା ଆତ୍ମହତ୍ୟା ଭଳି ଲାଗୁଥିଲେ ବି ଆମେ ଏହାର ତଦନ୍ତ କରିବୁ। ବର୍ତ୍ତମାନ ଆମେ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛୁ। ରିପୋର୍ଟ ଆସିଲେ ତଦନ୍ତ ଆଗକୁ ବଢ଼ିବ।

ପ୍ରଥମେ ମଡେଲ ମଞ୍ଜୁଷା ନିୟୋଗୀ, ବିଦିଶା ମଜୁମଦାର ଓ ପଲ୍ଲବୀ ଦେଙ୍କ ମୃତଦେହ ସନ୍ଦିଗ୍ଧ ଅବସ୍ଥାରେ ମଳିଥିଲା । ଏହାକୁ ଆତ୍ମହତ୍ୟା କିମ୍ବା ହତ୍ୟା ବୋଲି ଜାଣିବାକୁ ପୁଲିସ ତଦନ୍ତ ଜାରି ରଖିଥିବା ବେଳେ ଆଜି ପୁଣି ଜଣେ ମଡେଲଙ୍କ ମୃତଦେହ ଏଭଳି ସନ୍ଦିଗ୍ଧ ଅବସ୍ଥାରେ ମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ସମ୍ବନ୍ଧିତ ଖବର