ଚୀନ୍‌ରେ ଆଉ ଏକ ବଡ଼ ସଂସ୍ଥା ନିଷିଦ୍ଧ

ନୂଆଦିଲ୍ଲୀ: ଉଦ୍ୟୋଗ ଜଗତର ବିଶିଷ୍ଟ ବ୍ୟକ୍ତିମାନଙ୍କ ସ୍ବର ଦବାଇବା ଲାଗି ଚୀନ୍‌ ସରକାର ଉଦ୍ୟମ କରୁଥିବା ଅଭିଯୋଗ ହେଉଥିବା ଭଳି ଏକ ସମୟରେ ଆଉ ଏକ ବଡ଼ କଂପାନି ବିରୋଧରେ ସେଠାକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଉବର୍‌ ଓ ଓଲା ଭଳି ସେବା ଯୋଗାଇ ଦେଉଥିବା ଚୀନ୍‌ର ସବୁଠୁ ବଡ଼ ସଂସ୍ଥା ଦିଦିକୁ ନିଷିଦ୍ଧ ଘୋଷଣା କରାଯାଇଛି। ବେଆଇନ ଉପାୟରେ ଗ୍ରାହକଙ୍କ ତଥ୍ୟ ସଂଗ୍ରହ କରୁଥିବା କଂପାନି ବିରୋଧରେ ଏଭଳି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହାର ଆପ୍‌କୁ ଆପ୍‌ ଷ୍ଟୋର୍‌ରୁ ହଟାଇବା ଲାଗି ନିର୍ଦେଶ ଜାରି କରାଯାଇଛି। ତଥ୍ୟର ସୁରକ୍ଷା ନେଇ ଚୀନ୍‌ ସରକାର ଯେଉଁ ନୀତି ଜାରି କରିଛନ୍ତି ତାହାକୁ ପାଳନ କରିବା ଲାଗି ଡିଡିକୁ ନିର୍ଦେଶ ଦିଆଯାଇଛି। ଏହି ଘଟଣା ଉପରେ ମତ ରଖି ଦିଦି ପକ୍ଷରୁ କୁହାଯାଇଛି ଯେ ନୂଆ ବ୍ୟବହାରକାରୀଙ୍କ ପଞ୍ଜୀକରଣ ବନ୍ଦ କରାଯାଇଥିବା ବେଳେ ଆପ୍‌ ଷ୍ଟୋର୍‌ରୁ ଦିଦି ଆପ୍‌କୁ ହଟାଇ ଦିଆଯାଇଛି। ନିୟମ ପାଳନ କରିବା ଉପରେ କଂପାନି କାର୍ଯ୍ୟ କରୁଛି।

କିଛି ମାସ ହେଲାଣି ଚୀନ୍ ସରକାର ବଡ଼ ପ୍ରଯୁକ୍ତି ଓ ଇଣ୍ଟର‌ନେଟ୍ କଂପାନିଗୁଡ଼ିକ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଆଲିବାବାର ମୁଖ୍ୟ ଜ୍ୟାକ୍‌ ମା’ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କ ସ୍ବରକୁ ଦବାଇ ଦିଆଯାଇଛି। ତାଙ୍କୁ ଆଉ ସର୍ବସାଧାରଣରେ ଦେଖିବାକୁ ମିଳୁନି। ଜ୍ୟାକ୍‌ ମା’ଙ୍କ କଂପାନି ଆଣ୍ଟ୍‌ ଗ୍ରୁପ୍‌ ପରେ ଦିଦି ହେଉଛି ଦ୍ବିତୀୟ ବଡ଼ ସଂସ୍ଥା ଯାହା ବିରୋଧରେ ଚୀନ୍‌ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ନ୍ୟୁୟର୍କ ଷ୍ଟକ୍ ଏକ୍ସଚେଞ୍ଜ୍‌ରେ ଦିଦି ତାଲିକାଭୁକ୍ତ ହେବାର ଦୁଇ ଦିନ ପରେ ଚୀନ୍ ସରକାର କଂପାନି ବିରୋଧରେ ତଦନ୍ତ ନିର୍ଦେଶ ଦେଇଥିଲେ। ଜାତୀୟ ସୁରକ୍ଷା ପ୍ରତି ବିପଦ ଦର୍ଶାଇ ଏହି ନିର୍ଦେଶ ଜାରି କରାଯାଇଛି। ଚୀନ୍ ବ୍ୟତୀତ ଅନ୍ୟ ୧୫ଟି ଦେଶରେ ଦିଦି ଏହାର ସେବା ପ୍ରଦାନ କରୁଛି।

ସମ୍ବନ୍ଧିତ ଖବର