ମମତାଙ୍କୁ କେନ୍ଦ୍ରର ପୁଣି ଚିଠି, ତିନି ଆଇପିଏସ୍‌ଙ୍କୁ ତୁରନ୍ତ ପଠାଅ

ରାଜ୍ୟ କହିଲା ଛାଡ଼ିବୁ ନାହିଁ

ନୂଆଦିଲ୍ଲୀ : କେନ୍ଦ୍ର ଆଜି ପୁନର୍ବାର ପଶ୍ଚିମ ବଙ୍ଗ ସରକାରଙ୍କୁ ଚିଠି ଦେଇଛି। ବଦଳି ହୋଇଥିବା ତିନି ଆଇପିଏସ୍‌ ଅଫିସରଙ୍କୁ ତୁରନ୍ତ ରିଲିଭ୍‌ କରନ୍ତୁ। ସେମାନେ ସେଣ୍ଟ୍ରାଲ ଡେପୁଟେସନ୍‌ରେ ଯୋଗ ଦେବେ। କାରଣ ସେମାନଙ୍କ ନୂତନ ଦାୟିତ୍ବ ସମ୍ପର୍କରେ ଅବଗତ କରାଯାଇ ସାରିଲାଣି। ନୂଆ ଆଦେଶ ଅନୁଯାୟୀ ଭୋଳାନାଥ ପାଣ୍ଡେ ଏସ୍‌ ବ୍ୟୁରୋ ଅଫ୍ ପୁଲିସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ (ବିପିଆର୍‌ଡି), ପ୍ରବୀଣ ତ୍ରିପାଠୀ ଡିଆଇଜି ସଶସ୍ତ୍ର ସୀମା ବଳ (ଏସ୍‌ଏସ୍‌ବି) ଏବଂ ରାଜୀବ ମିଶ୍ର ଆଇଜି ଇଣ୍ଡୋ-ତିବ୍ବତାନ ବର୍ଡର ପୁଲିସ (ଆଇଟିବିପି) ଭାବେ ବଦଳି କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ପଠା ଯାଇଥିବା ଏହି ଚିଠିକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ‌କେନ୍ଦ୍ରର ଏହି ଆଦେଶ ଅସାମ୍ବିଧାନିକ।

କେନ୍ଦ୍ର ସରକାର ଆଇପିଏସ୍‌ କ୍ୟାଡର ନିୟମାବଳୀ ୧୯୫୪ର କିଛି ଧାରାର ଅପବ୍ୟବହାର କରିଛନ୍ତି। ତେଣୁ ଏହାକୁ ସ୍ବୀକାର କରିବୁ ନାହିଁ। ଏହି ତିନି ଆଇପିଏସ୍‌ ଅଫିସରଙ୍କୁ ରାଜ୍ୟ ସରକାର ରିଲିଭ୍‌ କରିବେ ନାହିଁ। କେନ୍ଦ୍ର ସରକାର ପଶ୍ଚିମବଙ୍ଗରେ ରା‌ଷ୍ଟ୍ରପତି ଶାସନ ଜାରି କରିବେ ତ? ସେଥିପ୍ରତି ଆମର ଭୟ ନାହିଁ। ଆମେ ଏହାକୁ ସ୍ବାଗତ କରୁଛୁ। ଯଦି କେନ୍ଦ୍ର ସରକାରଙ୍କର ସତ୍‌ସାହସ ଅଛି, ତେବେ ଏହା କରି ଦେଖାନ୍ତୁ ବୋଲି ମମତା କହିଛନ୍ତି। ଗତ ୧୦ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ପଶ୍ଚିମବଙ୍ଗ ଗସ୍ତବେଳେ ଡାଇମଣ୍ଡ ହାର୍‌ବର ନିକଟରେ ତାଙ୍କ ଗାଡ଼ି ଉପରେ ଆକ୍ରମଣ ହୋଇଥିଲା। ଏଥିରେ ଅନେକ ନେତା ଆହତ ହୋଇଥିଲେ। ନଡ୍ଡାଙ୍କ ଗସ୍ତବେଳେ ତ୍ରୁଟିପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ନିଆଯାଇଥିବାରୁ ଦାୟିତ୍ବରେ ଥିବା ଏହି ତିନି ଆଇପିଏସ୍‌ ଅଫିସରଙ୍କୁ ବଦଳି ନିର୍ଦ୍ଦେଶ ଦେଇଥିଲା ଗୃହ ମନ୍ତ୍ରାଳୟ।

ସମ୍ବନ୍ଧିତ ଖବର