ନୂଆଦିଲ୍ଲୀ : ଗ୍ୟାଙ୍ଗଷ୍ଟରରୁ ରାଜନେତା ବନିଥିବା ମୁଖତାର ଅନ୍ସାରୀକୁ ଆଜି ଅପହରଣ ଓ ହତ୍ୟା ମାମଲାରେ ୧୦ ବର୍ଷ ଜେଲ୍ଦଣ୍ଡ ହୋଇଛି। ଗାଜିପୁରର ଏମ୍ପି-ଏମଏଲଏ କୋର୍ଟ ମୁଖତାରକୁ ଦଣ୍ଡିତ କରିଛନ୍ତି। ମୁଖତାରର ବଡ଼ ଭାଇ ତଥା ବିଏସ୍ପି ସାଂସଦ ଅଫଜଲ ଅନସାରୀଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରି ୪ ବର୍ଷ ଜେଲ୍ଦଣ୍ଡରେ ଦଣ୍ଡିତ କରିଛନ୍ତି ଏବଂ ୧ ଲକ୍ଷ ଜରିମାନା କରିଛନ୍ତି। ୨୦୦୭ ଗ୍ୟାଙ୍ଗଷ୍ଟର୍ସ ଆକ୍ଟ ଅଧୀନରେ ସେମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ଏବଂ ବିଚାରଣ ଚାଲିଥିଲା।
ତେବେ ମୁଖତାର ଅନସାରୀ ପ୍ରଥମ ଥର ଦୋଷୀ ସାବ୍ୟସ୍ତ ହୋଇନାହିଁ। ୨୦୨୨ ଡିସେମ୍ବରରେ ଏହି ସମାନ ଗ୍ୟାଙ୍ଗଷ୍ଟର ଆଇନ ଅଧୀନରେ ମୁଖତାରକୁ ୧୦ ବର୍ଷ କାରାଦଣ୍ଡ ହୋଇଥିଲା। ତେବେ ବିଏସ୍ପି ସାଂସଦ ଥିବା ଅଫଜଲ ଦୋଷୀ ସାବ୍ୟସ୍ତ ହୋଇ ୪ ବର୍ଷ ଜେଲ୍ ଦଣ୍ଡାଦେଶ ପାଇଛନ୍ତି। ସେ ତାଙ୍କ ସଂସଦ ସଦସ୍ୟତା ହରାଇପାରନ୍ତି। କାରଣ ଦୁଇ ବର୍ଷ କିମ୍ବା ତାଠାରୁ ଅଧିକ ଦିନ ପାଇଁ ଜେଲଦଣ୍ଡ ମିଳିଲେ ସାଂସଦ/ବିଧାୟକ ପଦ ଯିବା ନିଶ୍ଚିତ।