ରାଇପୁର: ଲାଲଗଡରେ ଗର୍ଜୁଛି ଯବାନଙ୍କ ଗୁଳି । ଘଞ୍ଚ ଜଙ୍ଗଲର ଛାତି ଚିରି ମାଓବାଦୀଙ୍କୁ ଯବାନ ଦେଉଛନ୍ତି ମାରି । ଗୁଳିର ଗର୍ଜନରେ ଥରୁଛି ପୂରା ଛତିଶଗଡ ଜଙ୍ଗଲ । ଆଉ ଥରି ବି ଉଠୁଛି ମାଓବାଦୀଙ୍କ ଶିବିର । ଆଜି କି କାଲି ନୁହେଁ ଲଗାତାର ୪ ଦିନ ହେବ ଛତିଶଗଡରେ ଗୁଳିବିନିମୟ ଜାରି ରହିଥିବା ବେଳେ ନିପାତ ହେଉଛନ୍ତି ଜଣେ ପରେ ଜଣେ ନକ୍ସଲ ଆଉ ଧ୍ୱଂସ ହେଉଛି ନକ୍ସଲ ଶିବିର । ଟପ ମାଓନେତାଙ୍କ ଠାରୁ ମାଓ କ୍ୟାଡର କାହାରିକୁ ବି ଛାଡୁ ନାହାନ୍ତି ସୁରକ୍ଷା କର୍ମୀ ।

Advertisment

ଖାଲି ପୁରୁଷ ମାଓବାଦୀ ନୁହେଁ ବରଂ ମହିଳା ମାଓବାଦୀଙ୍କୁ ବି ଶିକାର କରୁଛନ୍ତି ସୁରକ୍ଷା କର୍ମୀ । ଗତ ଶନିବାର ସୁକମା ଗୋଗଣ୍ଡା ପାହାଡରେ ନକ୍ସଲ ଶିବିର ଧ୍ୱଂସ କରି ୧୧ ମହିଳାଙ୍କ ସମେତ ୧୭ ମାଓବାଦୀଙ୍କୁ ହତ୍ୟା କରିବାରେ ସଫଳ ହୋଇଥିଲେ ଯବାନ । 

ଆଉ ଆଜି ଛତିଶଗଡ ଦାନ୍ତେୱାଡା-ବିଜାପୁର ସୀମାରେ କୁମ୍ବିଂ ଅପରେସନ କରି ଜଣେ ମହିଳା ମାଓବାଦୀଙ୍କୁ ଏନକାଉଣ୍ଟର କରିବା ସହ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି ଡିଆରଜି ଓ କୋବ୍ରା ବାହିନୀ । 

ତେବେ ମାଓବାଦର ମୂଳପୋଛ ପାଇଁ ଭାରତ ସରକାର ପଣ କରିଥିବା ବେଳେ ୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା ଭାରତକୁ ନକ୍ସଲ ମୁକ୍ତ କରିବାକୁ ଗୃହମନ୍ତ୍ରୀ ଅମିତ ଶାହା ଘୋଷଣା କରିଛନ୍ତି । ଆଉ ଏହି ସ୍ବପ୍ନକୁ ପୂରା କରିବାକୁ ଛତିଶଗଡରେ ଆରମ୍ଭ ହୋଇଛି ମାଓ ଦମନ ।

ଲଗାତାର ୪ ଦିନ ହେବ ଛତିଶଗଡରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ଭିତରେ ଗୁଳିବିନିମୟ ଜାରି ରହିଥିବା ବେଳେ ସୁକମା, ଦାନ୍ତେୱାଡା, ବିଜାପୁର ଆଦି ଅଞ୍ଚଳରେ ଯବାନଙ୍କୁ ମିଳୁଛି ବଡ ସଫଳତା । ଶନିବାର ୧୭ ମାଓବାଦୀ ଏବଂ ଆଜି ଜଣେ ମାଓବାଦୀଙ୍କୁ ମାରିବା ପରେ ଛାନିଆ ହୋଇଛନ୍ତି ମାଓବାଦୀ । ଭୟରେ ଗତକାଲି ପୋଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି ୫୦ ମାଓବାଦୀ ।