ଆସିପାରେ ଆଉ ଏକ ମହାମାରୀ, କାରଣ ସାଜିବ ଶିକାର ଏବଂ ବେଆଇନ କାରବାର

ନୂଆଦିଲ୍ଲୀ: ବିଶ୍ବ ମହାମାରୀ କରୋନା ଭାଇରସ୍‌ କେଉଁଠୁ ଉତ୍ପତ୍ତି ହୋଇଛି ତାହା ଏଯାବତ୍‌ ଏକ ପ୍ରଶ୍ନ ହୋଇ ରହିଯାଇଛି। ବାଦୁଡ଼ିରୁ କ‌ରୋନା ଭାଇରସ୍‌ ସୃଷ୍ଟି ହୋଇଛି ବୋଲି କୁହାଯାଉଛି। କିନ୍ତୁ ଏହା ମଧ୍ୟ ପ୍ରମାଣ ହୋଇପାରିନାହିଁ। ଏଭଳି ଏକ ସ୍ଥିତିରେ ମଣିଷ କିଭଳି ଜୀବଜନ୍ତୁଙ୍କଠାରୁ ଭାଇରସ୍‌ ସଂକ୍ରମିତ ହେଉଛି ସେ ବିଷୟରେ ଭଲଭାବେ ଅବଗତ ହେବାର ବେଳ ଆସିଛି। ଶିକାର ଏବଂ ବେଆଇନ ବାଣିଜ୍ୟ ପରବର୍ତ୍ତୀ ମହାମାରୀର ଏକ ବଳିଷ୍ଠ କାରଣ ‌ହେବ ବୋଲି କୁହାଯାଉଛି। ୨୦୦୪ରେ ଆଭିଆନ୍‌ ଇନ୍‌ଫ୍ଲୁଏଞ୍ଜା‌ ତଥା‌ ଫୁସ୍‌ଫୁସ୍‌ ସଂକ୍ରମଣ ରୋଗ ଓ ବାର୍ଡ‌୍ ଫ୍ଲୁ ଦକ୍ଷିଣପୂର୍ବ ଏବଂ ଦକ୍ଷିଣ ଏସିଆରେ ଆତଙ୍କ ଖେଳାଇ ଦେଇଥିଲା। ଏହି ସମୟରେ ମୃତ୍ୟୁହାର ୬୦ ପ୍ରତିଶତ ଥିଲା। ତେଣୁ ଥାଇଲାଣ୍ଡ୍‌ ଏହି ସମୟରେ ଜୀବନ୍ତ କୁକୁଡ଼ା ରପ୍ତାନି ବନ୍ଦ କରିବାପାଇଁ ନିଷ୍ପତ୍ତି ନେଇଥିଲା। କାରଣ ଏଚ୍‌୫ଏନ୍‌ୱାନ୍‌ ଭାଇରସ୍‌ ପକ୍ଷୀମାନଙ୍କଠାରୁ ବ୍ୟାପୁଥିବାରୁ ଏହି ବାଣିଜ୍ୟ ବନ୍ଦ କରିବା ଦ୍ବାରା ଭାଇରସ୍‌କୁ ରୋକିହେବ ବୋଲି କୁହାଯାଇଥିଲା। କିନ୍ତୁ ବାଣିଜ୍ୟ ବନ୍ଦ କରାଯିବାପରେ ହଠାତ୍‌ ବେଆଇନ ବାଣିଜ୍ୟ ବଢ଼ିଯାଇଥିଲା ଏବଂ ସଂକ୍ରମଣ ମଧ୍ୟ ହଠାତ୍‌ ବଢ଼ିଗଲା। ତେବେ ପଶୁପକ୍ଷୀଙ୍କଠାରୁ ମଣିଷଙ୍କୁ ଯେଉଁ ରୋଗ ବ୍ୟ‌ାପୁଛି ସେନେଇ ଡବ୍ଲ୍ୟୁଡବ୍ଲ୍ୟୁଏଫ୍‌ (ୱାର୍ଲ୍ଡ ୱାଇଲ୍ଡ ଲାଇଫ୍‌ ଫଣ୍ଡ୍‌) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ କରି କୁହାଯାଇଛି ଯେ, ଜୁନୋଟିକ୍‌ ସଂକ୍ରମଣ ବଢ଼ିବାର ଲକ୍ଷଣ ଏହା ଯେ, ମଣିଷ ଏବଂ ପ୍ରକୃତି ମଧ୍ୟରେ ଥିବା ସମ୍ପର୍କ ଚ୍ଛିନ୍ନ ହୋଇଯାଉଛି ଏବଂ ଏହା ଏବେ ଅତି ଜଟିଳ ସମୟ ଦେଇ ଗତି କରୁଛି।

ରିପୋର୍ଟ ଅନୁଯାୟୀ ଗତ ୩୦ ବର୍ଷ ମଧ୍ୟରେ ପ୍ରାୟ ୬୦-୭୦ ପ୍ରତିଶତ ସଂକ୍ରାମକ ରୋଗ ଜୀବଜନ୍ତୁଙ୍କଠାରୁ ବ୍ୟାପୁଛି। ପ୍ରତି ବର୍ଷ ପ୍ରାୟ ୩ରୁ ୪ଟି ନୂଆ ସଂକ୍ରାମକ ରୋଗ ପଶୁଙ୍କଠାରୁ ମଣିଷଙ୍କୁ ବ୍ୟାପୁଛି। ଭାରତରେ ମଧ୍ୟ ଏହା ୧୫ ପ୍ରତିଶତ ରହିଛି ବୋଲି ଏହି ରିପୋର୍ଟରେ କୁହାଯାଇଛି। ୨ଟି କାରଣ ପାଇଁ ପଶୁପକ୍ଷୀଙ୍କଠାରୁ ମଣିଷଙ୍କୁ ସଂକ୍ରାମକ ରୋଗ ବ୍ୟାପିବା ବଢ଼ୁଛି। ପ୍ରଥମଟି ହେଉଛି ବେଆଇନ ବାଣିଜ୍ୟ ଏବଂ ଦ୍ବିତୀୟଟି ହେଉଛି ବନ୍ୟଜନ୍ତୁଙ୍କୁ ଖାଦ୍ୟ ଭାବେ ବ୍ୟବହାର କରିବା । ଅସୁରକ୍ଷିତ ଖାଦ୍ୟ ପ୍ରକ୍ରିୟା ପାଇଁ ବିଶ୍ବବ୍ୟାପୀ ସଂକ୍ରମଣ ବଢ଼ିଯାଉଛି। ଏବେ ବିଭିନ୍ନ ଦେଶରେ ଶିକାର ବଢ଼ିଯାଇଛି। କରୋନା ଲକ୍‌ଡାଉନ୍‌ ଯୋଗୁଁ ସହରରେ ରହୁଥିବା ଅନେକ ଲୋକ ଗାଁ ମୁହାଁ ହୋଇଛନ୍ତି। ଅନେକ ଲୋକ ପ୍ରାକୃତିକ ସମ୍ପଦ ଉପରେ ନିର୍ଭରଶୀଳ ହୋଇଛନ୍ତି। ରିପୋର୍ଟରେ କୁହାଯାଇଛି ଯେ, ଅଧିକାଂଶ ଲୋକ କରୋନା ମହାମାରୀ ସମୟରେ ଜୀବିକା ହରାଇ ଦେଇଛନ୍ତି। ତେଣୁ ସେମାନେ ଖାଦ୍ୟ ପାଇଁ ପ୍ରାକୃତିକ ବ୍ୟବସ୍ଥା ଉପରେ ନିର୍ଭରଶୀଳ ହେଉଛନ୍ତି। ଲକ୍‌ଡାଉନ୍‌ ସମୟରେ ମଧ୍ୟ ଶିକାର ମାମଲା ୧୫୧ ପ୍ରତିଶତ ବୃଦ୍ଧି ପାଇଛି। କେବଳ ୪୪ ପ୍ରତିଶତ ଜୀବଜନ୍ତୁଙ୍କୁ ସେମାନଙ୍କ ମାଂସ ପାଇଁ ଶିକାର କରାଯାଇଛି। କେବଳ ଖାଦ୍ୟ ପାଇଁ ଏମାନଙ୍କୁ ଶିକାର କରାଯାଇଥିବା ଜଣାପଡ଼ିଛି। ତେବେ ଏହାଦ୍ବାରା ଜୁନୋଟିକ୍‌ ରୋଗ ଅଧିକ ବଢ଼ିଯିବ ବୋଲି କୁହାଯାଉଛି। କରୋନା ମହାମାରୀ ସମୟ‌ରେ ଅଧିକ ସଚେତନ ହେବାକୁ ପଡ଼ିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର