ହାଇଦ୍ରାବାଦ: ଦିଲ୍ଲୀର ଶ୍ରଦ୍ଧା ୱାକର ହତ୍ୟାକାଣ୍ଡ ପରି ଆଉ ଏକ ହୃଦୟବିଦାରକ ଘଟଣା ଘଟିଛି ହାଇଦ୍ରାବାଦରେ। ଏଠାରେ ଜଣେ ବ୍ୟକ୍ତି ନିଜର ଲିଭ୍-ଇନ୍ ପାର୍ଟନରକୁ ହତ୍ୟା କରି ତା’ର ଶରୀରକୁ ପଥରକଟା ଯନ୍ତ୍ରରେ ଟିକିଟିକି କରି କାଟି ଫ୍ରିଜରେ ରଖି ପରେ ଖଣ୍ଡଗୁଡ଼ିକୁ ଅଲଗା ଅଲଗା ଜାଗାରେ ଫିଙ୍ଗିଥିଲା। ଦୁର୍ଗନ୍ଧ କାରଣରୁ କେହି ଯେପରି ସନ୍ଦେହ ନ କରିବ, ସେଥିପାଇଁ ପୂରା ଘରେ ଅତର ପକାଇଥିଲା। ହାଇଦ୍ରାବାଦ ପୁଲିସ ମେ ୧୭ ତାରିଖରେ ସହରର ମୁସୀ ନଦୀ ପାଖରୁ ଏକ କଟାମୁଣ୍ଡ ପାଇବା ପରେ ହତ୍ୟାକାଣ୍ଡର ପର୍ଦ୍ଦାଫାସ ହୋଇଥିଲା। ଖୋଳତାଡ଼ କରି ଶେଷରେ ଏକ ସପ୍ତାହ ପରେ ପୁଲିସ ହତ୍ୟାକାରୀ ପାଖରେ ପହଞ୍ଚିଥିଲା। ଘଟଣାଟି ପୂରା ଶ୍ରଦ୍ଧା ୱାକର ହତ୍ୟାକାଣ୍ଡ ଅନୁରୂପ।
ଦକ୍ଷିଣପୂର୍ବ ଜୋନର ଡିସିପି ରୂପେଶ ଚେନ୍ନୁରୀଙ୍କ କହିବା ଅନୁସାରେ, ପୁଲିସ ଏହି ମାମଲାରେ ଅଭିଯୁକ୍ତ ବି ଚନ୍ଦ୍ର ମୋହନକୁ ଗିରଫ କରିଛି। ସେ ସେୟାର ବଜାରରେ ଅନଲାଇନ ଟ୍ରେଡିଂ କରିଥାଏ। ତା’ର ବୟସ ୫୫ ବର୍ଷ। ସେ ହତ୍ୟା କରିଥିବା ଲିଭ୍-ଇନ୍ ସଙ୍ଗିନୀଙ୍କ ନାଁ ଅନୁରାଧ ରେଡ୍ଡୀ ଓ ତା’ଙ୍କ ବୟସ ୪୮ ବର୍ଷ ଥିଲା। ଗତ ୧୫ ବର୍ଷ ହେଲା ସେମାନେ ସ୍ବାମୀ-ସ୍ତ୍ରୀ ପରି ଏକାଠି ରହୁଥିଲେ। ମହିଳା ଜଣକ ନିଜ ସ୍ବାମୀଠାରୁ ଅଲଗା ହୋଇ ଅଭିଯୁକ୍ତ ସହ ସମ୍ପର୍କ ଯୋଡ଼ିଥିଲେ ଓ ତା’ର ଚୈତନ୍ୟପୁରୀ କଲୋନିସ୍ଥିତ ଘରେ ରହୁଥିଲେ। ମହିଳା ଜଣକ ୨୦୧୮ରୁ ସୁଧକୁ ଟଙ୍କା ଦେବା କାରବାର କରୁଥିଲେ। ଅଭିଯୁକ୍ତ ମୋହନ ତାଙ୍କଠାରୁ ଅନଲାଇନ ବେପାର ପାଇଁ ୭ ଲକ୍ଷ ଟଙ୍କା ଧାର ନେଇଥିଲା। କିନ୍ତୁ ଟଙ୍କା ଶୁଝିବାର ନାଁ ଧରୁ ନ ଥିଲା। ମହିଳା ଜଣକ ଟଙ୍କା ଫେରାଇବାକୁ ଚାପ ପ୍ରୟୋଗ କରିବା ପରେ ସେ ତାଙ୍କୁ ଜୀବନରୁ ମାରିଦେବାକୁ ଯୋଜନା କଲା।
ମେ ୧୨ ତାରିଖରେ ଅଭିଯୁକ୍ତ ଅନୁରାଧାଙ୍କୁ ଛୁରି ଭୁସି ହତ୍ୟା କରିବା ପରେ ଶବକୁ ପଥରକଟା ମେସିନରେ କାଟି ଖଣ୍ଡ ଖଣ୍ଡ କରି ଫ୍ରିଜ ଭିତରେ ରଖିଲା। ମୁଣ୍ଡକୁ ବାହାରେ ଫୋପାଡ଼ିବା ପାଇଁ ଏକ ସୁଟକେସ ଭିତରେ ରଖିଲା। ମେ ୧୫ ତାରିଖରେ ଏକ ଅଟୋରିକ୍ସାରେ ମୁସୀ ନଦୀ ପାଖରେ ପହଞ୍ଚି ସେଠାରେ ଅନୁରାଧାଙ୍କ କଟାମୁଣ୍ଡକୁ ଫୋପାଡ଼ି ଚାଲିଆସିଲା। ମେ ୧୭ ତାରିଖରେ ସଫାଇ କର୍ମଚାରୀମାନେ ମୁସୀ ନଦୀ ପାଖରେ ଅନୁରାଧାଙ୍କ କଟାମୁଣ୍ଡ ପାଇ ପୁଲିସକୁ ଖବର ଦେଲେ। ପୁଲିସ ସିସିଟିଭି ଫୁଟେଜ ଓ ଅନ୍ୟ ବୈଷୟିକ ଉପକରଣ ବ୍ୟବହାର କରି ପୁଲିସ ଅଭିଯୁକ୍ତର ପରିଚୟ ପାଇଲା। ଜେରା ବେଳେ ଅଭିଯୁକ୍ତ ନିଜର ଅପରାଧ ସ୍ବୀକାର କରିଥିବା ଜଣାପଡ଼ିଛି। ତା’ ଫ୍ରିଜରେ ରଖାଯାଇଥିବା ଅବଶିଷ୍ଟ ଅଙ୍ଗକୁ ପୁଲିସ ଜବତ କରିଛି।