କୋଟା : ଆଇଆଇଟି ପ୍ରବେଶିକା ପରୀକ୍ଷା ପ୍ରସ୍ତୁତି ପାଇଁ ଉଚ୍ଚତର କୋଚିଂ ନେବାକୁ ରାଜସ୍ଥାନର କୋଟାକୁ ଆସି ସପ୍ତାହେ ତଳେ ଏକ କୋଚିଂ ସେଣ୍ଟରରେ ନାମ ଲେଖାଇଥିବା ଜଣେ ୧୭ ବର୍ଷୀୟ ଛାତ୍ର ରବିବାର ହଷ୍ଟେଲ ରୁମ୍ରେ ଆତ୍ମହତ୍ୟା କରିଛନ୍ତି। ତେବେ ଛାତ୍ର ଜଣକ କାହିଁକି ଆତ୍ମହତ୍ୟା କଲେ ତାହା ଜଣାପଡ଼ି ନାହିଁ।
ଛାତ୍ରଜଣକ ପୁଷ୍ପେନ୍ଦ୍ର ସିଂହ ବୋଲି ଚିହ୍ନଟ କରାଯାଇଛି, ଯିଏ ରାଜସ୍ଥାନର ଗ୍ରାନାଇଟ ସହର ଜାଲୋରରୁ ଆଇଆଇଟି କୋଚିଂ ନେବା ପାଇଁ ଅଳ୍ପଦିନ ତଳେ କୋଟା ଆସିଥିଲେ। ତାଙ୍କର ଅକାଳ ମୃତ୍ୟୁରେ ପୁଷ୍ପେନ୍ଦ୍ରଙ୍କ ପରିବାର ଭାଙ୍ଗିପଡ଼ିଛନ୍ତି। ତାଙ୍କ କକା ଇନ୍ଦ୍ର ସିଂହଙ୍କ କହିବା ଅନୁସାରେ ପୁଷ୍ପେନ୍ଦ୍ର ଜଣେ ମେଧାବୀ ଛାତ୍ର, ଯିଏ ୧୦ମ ଶ୍ରେଣୀ ପରୀକ୍ଷାରେ ୮୫ ପ୍ରତିଶତ ମାର୍କ ରଖିଥିଲେ। ଘଟଣାର ବିଧିବଦ୍ଧ ତଦନ୍ତ କରିବା ପାଇଁ ତାଙ୍କ ପରିବାର ପକ୍ଷରୁ ଦାବି କରାଯାଇଛି।
ପୁଷ୍ପେନ୍ଦ୍ରଙ୍କ ଆତ୍ମହତ୍ୟାକୁ ମିଶାଇ କୋଟାରେ ଗତ ଜାନୁଆରିରୁ ଏପର୍ଯ୍ୟନ୍ତ ମୋଟ ୧୮ ଜଣ ଛାତ୍ର ଆତ୍ମହତ୍ୟା କଲେଣି। ତେବେ ନିଜର କୋଚିଂ ସେଣ୍ଟରଗୁଡ଼ିକ ପାଇଁ ବିଖ୍ୟାତ ରାଜସ୍ଥାନର କୋଟା ଛାତ୍ର ଆତ୍ମହତ୍ୟା ପାଇଁ କାହିଁକି କୁଖ୍ୟାତି ଅର୍ଜନ କରିଛି? କ’ଣ କାରଣ ରହିଛି ଏତେ ସଂଖ୍ୟାରେ ଛାତ୍ର ଆତ୍ମହତ୍ୟା ପଛରେ?
ଅନୁଧ୍ୟାନରୁ ଜଣାପଡ଼ିଛି ଯେ କୋଟାର କୋଚିଂ ହଷ୍ଟେଲଗୁଡ଼ିକ ୫-ତାରକା ହୋଟେଲଠାରୁ କମ୍ ନୁହେଁ। ଏଗୁଡ଼ିକର ବିରାଟ ଅଭ୍ୟର୍ଥନା କକ୍ଷ, ଛାତରୁ ଝୁଲୁଥିବା ଆଲୋକମାଳା ଓ ବିଳାସପୂର୍ଣ୍ଣ ଆସବାବପତ୍ର ଦେଖିଲେ ଯେ କେହି ଆକୃଷ୍ଟ ହୋଇପଡ଼ିବ। ସବୁଆଡ଼େ ସିସିଟିଭି କ୍ୟାମେରା ଲାଗିଛି, ବାୟୋମେଟ୍ରିକ୍ ବ୍ୟବସ୍ଥା ଅଛି ଏବଂ କୋଠାର ସବୁ କୋଣ-ଅନୁକୋଣରେ ନେଟ୍ ବ୍ୟବସ୍ଥା କରାଯାଇଛି। ଡାକ୍ତର ଓ ଇଂଜିନିୟର ହେବାକୁ ଚାହୁଥିବା ଛାତ୍ରମାନଙ୍କର ସ୍ବପ୍ନର ସହର ହେଉଛି କୋଟା। କୋଟାର କୋଚିଂ ଅନୁଷ୍ଠାନଗୁଡ଼ିକ ଏହି ସ୍ବପ୍ନ ପୂରଣର ପ୍ରତିଶ୍ରୁତି ଦେଇଥାନ୍ତି। ଆଶାୟୀ ଛାତ୍ରମାନଙ୍କୁ ନେଇ କୋଟାର କୋଚିଂ ଅନୁଷ୍ଠାନଗୁଡ଼ିକ ବୃଦ୍ଧି ପାଇଚାଲିଛନ୍ତି।
ଜଣେ ୧୫-୧୬ ବର୍ଷର ଛାତ୍ରକୁ ଏହି କୋଚିଂ ଅନୁଷ୍ଠାନଗୁଡ଼ିକ ଏକ ଜୀବନ୍ତ ମେସିନରେ ପରିଣତ କରିଦିଅନ୍ତି। ମେସିନ ଅଚଳ ହେବା ପର୍ଯ୍ୟନ୍ତ ସବୁକିଛି ଠିକ୍ଠାକ୍ ଚାଲେ। ଗତ ମାସକ ଭିତରେ ଏଠାରେ ୫ ଜଣ ଛାତ୍ର ଆତ୍ମହତ୍ୟା କଲେଣି। ଏହି ଛାତ୍ରଙ୍କ ମୃତ୍ୟୁ ପରେ କିଛିଦିନ ରୁମ୍ ବନ୍ଦ ରହେ। ତା’ପରେ ତାକୁ ଧୁଆଧୁଇ କରି ଅନ୍ୟ ଛାତ୍ରଙ୍କୁ ଦିଆଯାଏ। ଜଣେ ବରିଷ୍ଠ ପୁଲିସ ଅଧିକାରୀ
ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ କୋଟା ବାରୁଦଗଦା ଉପରେ ଅବସ୍ଥିତ। ବିସ୍ଫୋରିତ ହେଲେ ସବୁକିଛି ପାଉଁଶ ହୋଇଯିବ। ମୃତ ଶୈଶବ ଉପରେ ଠିଆ ହୋଇଛି ସହର। ଆପଣ କୋଟା ଯାଆନ୍ତୁ, ରେଳ ଷ୍ଟେସନରୁ ବାହାରିବା ମାତ୍ରେ ଅଟୋ ଚାଳକମାନେ ଆପଣଙ୍କୁ ଘେରିଯିବେ। କିଏ କହିବ ଆପଣଙ୍କ ପିଲା ପାଇଁ ଭଲ ହଷ୍ଟେଲ ଯୋଗାଇଦେବ, କିଏ କହିବ ଶସ୍ତାରେ ସବୁଠାରୁ ଭଲ କୋଚିଂ ସେଣ୍ଟରରେ ନାଁ ଲେଖାଇ ଦେବ। ରେଳ ଷ୍ଟେସନରୁ ହିଁ କୋଚିଂ ସେଣ୍ଟରଗୁଡ଼ିକ ପାଇଁ ମାର୍କେଟିଂ ଆରମ୍ଭ ହୋଇଯାଏ।
୮୦ ଦଶକରୁ ଛାତ୍ରଙ୍କୁ ଏଠି ଜୀବନ୍ତ ମେସିନ ବନେଇବାର ପ୍ରକ୍ରିୟା ଆରମ୍ଭ ହୋଇଛି। ଏଠାରେ ଗୋଟିଏ କୋଚିଂ ସେଣ୍ଟରର ଛାତ୍ର ଆଇଆଇଟି ପାଇବା ପରେ ତାହା ରାତାରାତି ବିଖ୍ୟାତ ହୋଇଗଲା। ତା’ପରେ ଛତୁ ଫୁଟିଲା ପରି କୋଟାରେ ଅନ୍ୟ କୋଚିଂ ସେଣ୍ଟରଗୁଡ଼ିକ ଗଢ଼ିଉଠିଲେ। ଛାତ୍ରସଂଖ୍ୟା ବଢ଼ିଲା ଏବଂ ଛାତ୍ରଙ୍କ ପାଇଁ ହଷ୍ଟେଲ ସଂଖ୍ୟା ମଧ୍ୟ ବଢ଼ିଲା। ଅନେକ କ୍ୟାଣ୍ଟିନ ବି ଖୋଲିଲା। ଚା-ଜଳଖିଆ ଦୋକାନ ଓ ଅଟୋରିକ୍ସା ଆଦି ଛାତ୍ରଙ୍କ ସେବା ପାଇଁ ଗଢ଼ିଉଠିଲେ। ସମସ୍ତଙ୍କ ଟାର୍ଗେଟରେ ରହିଲେ ୧୫-୧୬ ବର୍ଷର ଛାତ୍ରଛାତ୍ରୀ।
ଚଳିତବର୍ଷ ପ୍ରାୟ ୩ ଲକ୍ଷ ଛାତ୍ରଛାତ୍ରୀ ଏଣ୍ଟ୍ରାନ୍ସ ପରୀକ୍ଷା ପ୍ରସ୍ତୁତି ପାଇଁ କୋଟା ଆସିଛନ୍ତି। ରବିବାର ବି ଏଠି ପିଲାଙ୍କ ପାଇଁ ଛୁଟି ନାହିଁ। କେଉଁଠି ପିଲା ପରୀକ୍ଷା ଦେବାକୁ କୋଚିଂ ସେଣ୍ଟର ଯାଇଥାଏ ଆଉ କେଉଁଠି ରାତି ଅନିଦ୍ରା ମେଣ୍ଟାଇବା ପାଇଁ ବିଶ୍ରାମ ନେଉଥାଏ। ପିଲାମାନେ ନିଜର ଲୁଗାପଟା ବି ସଫା କରନ୍ତିନି। ତାହା ହଷ୍ଟେଲ କର୍ମଚାରୀ କରନ୍ତି। କୋଚିଂ କ୍ଲାସ୍ ସକାଳ ସାଢ଼େ ୬ଟାରୁ ଆରମ୍ଭ ହୁଏ ଏବଂ ପିଲାମାନେ ରାତି ୨ଟା ଯାଏ ପାଠ ପଢ଼ନ୍ତି। ସେମାନଙ୍କ ରୁଟିନ ଏତେ ଟାଇଟ୍ ଯେ ନିଃଶ୍ବାସ ନେବାକୁ ସମୟ ନ ଥାଏ। ତେବେ କଠିନ ପରିଶ୍ରମ ସତ୍ତ୍ବେ ସବୁ ପିଲା ଆଇଆଇଟି ବା ମେଡିକାଲ ପାଆନ୍ତିନି। କେତେକ ପିଲା ଭଗ୍ନ ସ୍ବପ୍ନ ନେଇ ଘରକୁ ଫେରନ୍ତି ଓ ଆଉ କେତେକ ଫେରନ୍ତିନି।
ଜଣେ ଛାତ୍ରଙ୍କ କହିବା ଅନୁସାରେ ସେ ଲେଖକ ହେବାକୁ ଚାହୁଥିଲେ। ସେ କିଛି ଗପ ଲେଖିଥିଲେ ଯାହାକୁ ତାଙ୍କ ବାପା ଚିରିଦେଲେ। ତାଙ୍କ ମାଆ ତାଙ୍କ ସହ କଥାବାର୍ତ୍ତା କରିବା ବନ୍ଦ କରିଦେଲେ। ଏବେ ସେ କୋଟାରେ ରହି ଡାକ୍ତର ହେବା ପାଇଁ ପ୍ରସ୍ତୁତ ହେଉଛନ୍ତି। ପିଲାମାନଙ୍କୁ ନିଜର ସ୍ବପ୍ନକୁ ଚୂରମାର କରି ବାପାମାଆଙ୍କ ସ୍ବପ୍ନ ପୂରଣ କରିବାକୁ ବାଧ୍ୟ କରାଯାଉଛି। ଶେଷରେ ମାନସିକ ଚାପ, ହତାଶା ଓ ଅବସାଦରେ ଅନେକ ଛାତ୍ର ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି।