ଜୟପୁର : ରାଜସ୍ଥାନର କୋଟାରେ ପୁଣି ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି। ସପ୍ତାହକ ମଧ୍ୟରେ କୋଟାରେ ଏହା ତୃତୀୟ ଛାତ୍ର ଆତ୍ମହତ୍ୟା ମାମଲା। ଆତ୍ମହତ୍ୟା କରିଥିବା ଛାତ୍ରଙ୍କ ନାଁ ମନୀଷ ପ୍ରଜାପତି। ବୟସ ୧୭। ସେ ଉତ୍ତରପ୍ରଦେଶର ଆଜମଗଡ଼ ବାସିନ୍ଦା। ଗତ ୬ ମାସ ଧରି ସେ କୋଟାର ଏକ ଘରୋଇ କୋଚିଂ ଇନଷ୍ଟିଚ୍ୟୁଟରେ ଜେଇଇ ପାଇଁ ପ୍ରସ୍ତୁତ ହେଉଥିଲେ। ତେବେ ଗତକାଲି ସେ ଆତ୍ମହତ୍ୟା କରିଦେଇଛନ୍ତି।
ଘଟଣାସ୍ଥଳରୁ ପୁଲିସକୁ କୌଣସି ସୁଇସାଇଡ୍ ନୋଟ୍ ମିଳିନି ଏବଂ ଅଧିକ ତଦନ୍ତ ଜାରି ରଖିଛି। ଏହା କୋଟାରେ ଚଳିତ ବର୍ଷର ୨୧ ତମ ଆତ୍ମହତ୍ୟା ମାମଲା। ଗତ କିଛି ଦିନ ଧରି କୋଟାରେ ଆତ୍ମହତ୍ୟା ବଢ଼ୁଛି। କୋଟାରେ ଛାତ୍ର ଆତ୍ମହତ୍ୟା ବଢ଼ିବା ଅତ୍ୟନ୍ତ ଉଦ୍ବେଗଜନକ। ଗତ କିଛି ବର୍ଷ ଧରି କୋଟାକୁ କିଛି ଛାତ୍ର ଅନେକ ସ୍ବପ୍ନ ନେଇ ଆସୁଛନ୍ତି। କିନ୍ତୁ ସ୍ବପ୍ନ ପୂରଣ କରିବା ତ ଦୂରର କଥା ସେମାନେ କୋଟାରୁ ଫେରି ପାରୁନାହାନ୍ତି। ପାଠପଢ଼ାର ଚାପରେ ସେମାନେ ଆତ୍ମହତ୍ୟାର ବାଟ ବାଛି ନେଉଛନ୍ତି।