ଜୟପୁର: ରାଜସ୍ଥାନର କୋଟାରେ ପୁଣି ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି। ଏହା ଚଳିତ ମାସର ଚତୁର୍ଥ ଘଟଣା ଏବଂ ଚଳିତ ବର୍ଷର ଏହା ୨୨ତମ ମାମଲା। ବିହାରର ଗୟା ଜିଲ୍ଲାର ୧୮ ବର୍ଷୀୟ ବାଲ୍ମିକୀ ଜଙ୍ଗିଦ କୋଟାରେ ରହି ଜେଇଇ ମେନ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ। ସେ କୋଟାର ମହାବୀର ନଗରରେ ବର୍ଷେ ହେବ ରହୁଥିଲେ ଏବଂ ସେଠାରେ ଏକ କୋଚିଂ ସେଣ୍ଟରରେ କୋଚିଂ ନେଉଥିଲେ। ମଙ୍ଗଳବାର ରାତିରେ ସେ ଆତ୍ମହତ୍ୟା କରିଦେଇଛନ୍ତି। ଅତ୍ୟଧିକ ପାଠ ଚାପରେ ସେ ଆତ୍ମହତ୍ୟା କରିଛନ୍ତି ବୋଲି କୁହାଯାଉଛି। ଉକ୍ତ ଘଟଣାରେ ଅଧିକ ତଦନ୍ତ ଜାରି ରହିଛି।
ଉଲ୍ଲେଖଯୋଗ୍ୟ, କୋଟାରେ ଲଗାତାର ଛାତ୍ର ଆତ୍ମହତ୍ୟା ବୃଦ୍ଧି ପାଇବା ଚିନ୍ତାର କାରଣ ପାଲଟିଛି। ଗତ କିଛି ବର୍ଷ ହେବ କୋଟାରେ ଛାତ୍ର ଆତ୍ମହତ୍ୟା ମାମଲା ଉଦ୍ବେଗଜନକ ଭାବେ ବଢ଼ିଛି। ଏହା ଫଳରେ ଛାତ୍ରଙ୍କ ମାନସିକ ସ୍ବାସ୍ଥ୍ୟକୁ ନେଇ ଚିନ୍ତା ବଢ଼ିଛି। ରାଜ୍ୟ ସରକାର ମଧ୍ୟ କୋଟାରେ ରହି କୋଚିଂ ନେଉଥିବା ଛାତ୍ରମାନଙ୍କ ପାଇଁ ଏକ ହେଲ୍ପଲାଇନ୍ ନମ୍ବର ଜାରି କରିଛନ୍ତି। ପ୍ରତିବର୍ଷ ଲକ୍ଷ ଲକ୍ଷ ଛାତ୍ର ବଡ଼ ସ୍ବପ୍ନ ନେଇ କୋଟାକୁ ଆସୁଛନ୍ତି। କିନ୍ତୁ ଅନେକ ମାନସିକ ଚାପ ସହିନପାରି ଆତ୍ମହତ୍ୟା କରିଦେଉଛନ୍ତି।