ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଶନିବାର ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି। ଭାରତର ଆଦିତ୍ୟ-ଏଲ୍୧ ଉପଗ୍ରହରେ ଥିବା ଆଦିତ୍ୟ ସୋଲାର ୱିଣ୍ଡ ପାର୍ଟିକଲ୍ ଏକ୍ସପେରିମେଣ୍ଟ (ଏଏସ୍ପିଇଏକ୍ସ) ପେଲୋଡ୍ ଏହାର କାର୍ଯ୍ୟ ଆରମ୍ଭ କରିଛି। ଇସ୍ରୋ ଅନୁଯାୟୀ, ଏଏସ୍ପିଇଏକ୍ସରେ ଦୁଇଟି ଉପକରଣ ରହିଛି- ସୋଲାର ୱିଣ୍ଡ ଆୟନ ସ୍ପେକ୍ଟ୍ରୋମିଟର (ସ୍ୱିସ୍) ଏବଂ ସୁପରଥର୍ମାଲ ଆଣ୍ଡ୍ ଏନର୍ଜେଟିଭ ପାର୍ଟିକଲ ସ୍ପେକ୍ଟ୍ରୋମିଟର (ଷ୍ଟେପ୍ସ), ଯାହା ଏବେ ସକ୍ରିୟ ଭାବେ କାର୍ଯ୍ୟ ଆରମ୍ଭ କରିଛି।
ସେପ୍ଟେମ୍ବର ୧୦, ୨୦୨୩ରେ ଷ୍ଟେପ୍ସ ଯନ୍ତ୍ର କାର୍ଯ୍ୟକ୍ଷମ ହୋଇଥିବା ବେଳେ ୨୦୨୩ ନଭେମ୍ବର ୨ରେ ସ୍ୱିସ୍ ଯନ୍ତ୍ର ସକ୍ରିୟ ହୋଇଥିଲା ଏବଂ ଏହା ସର୍ବୋତ୍ତମ ପ୍ରଦର୍ଶନ କରୁଛି। ସ୍ୱିସ୍ ୩୬୦ ଡିଗ୍ରି ଦୃଶ୍ୟ କ୍ଷେତ୍ର ବିଶିଷ୍ଟ ଦୁଇଟି ସେନ୍ସର ୟୁନିଟ୍ ବ୍ୟବହାର କରି ପରସ୍ପର ପ୍ରତି ଲମ୍ବ ସମତଳରେ କାର୍ଯ୍ୟ କରିଥାଏ। ଇସ୍ରୋ ଅନୁଯାୟୀ, ଏହି ଉପକରଣ ସୌର ପବନର ଆୟନ, ମୁଖ୍ୟତଃ ପ୍ରୋଟନ୍ ଓ ଆଲ୍ଫା କଣିକାକୁ ସଫଳତାର ସହ ମାପିଛି। ନଭେମ୍ବର ୨୦୨୩ରେ ଦୁଇଦିନ ମଧ୍ୟରେ ଗୋଟିଏ ସେନ୍ସରରୁ ପ୍ରାପ୍ତ ଏକ ନମୁନା ଏନର୍ଜି ହିଷ୍ଟୋଗ୍ରାମ ପ୍ରୋଟନ୍ (H+) ଏବଂ ଆଲ୍ଫା କଣିକା (ଦ୍ୱିଗୁଣିତ ଆୟନୀକୃତ ହିଲିୟମ, He2+)ର ସଂଖ୍ୟାରେ ଭିନ୍ନତା ଦର୍ଶାଇଛି।
ସ୍ୱିସ୍ର ଡାଇରେକ୍ସନାଲ କ୍ଷମତା ସୌର ପବନର ପ୍ରୋଟନ୍ ଏବଂ ଆଲଫାର ସଠିକ୍ ମାପ କରିବାରେ ସକ୍ଷମ କରେ, ଯାହା ସୌର ପବନର ଗୁଣ, ଅନ୍ତର୍ନିହିତ ପ୍ରକ୍ରିୟା ଏବଂ ପୃଥିବୀ ଉପରେ ଏହାର ପ୍ରଭାବ ବିଷୟରେ ଦୀର୍ଘଦିନର ପ୍ରଶ୍ନଗୁଡ଼ିକର ସମାଧାନ କରିବାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥାଏ।
ସୂଚନାଯୋଗ୍ୟ, ଭାରତର ପ୍ରଥମ ସୌର ଅଭିଯାନ ଆଦିତ୍ୟ-ଏଲ୍୧କୁ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାବନ ମହାକାଶ କେନ୍ଦ୍ରରୁ ସେପ୍ଟେମ୍ବର ୨ ତାରିଖରେ ମହାକାଶକୁ ଉତ୍କ୍ଷେପଣ କରାଯାଇଥିଲା। ଗତ ସପ୍ତାହରେ ଇସ୍ରୋ ମୁଖ୍ୟ ଏସ୍ ସୋମନାଥ କହିଥିଲେ ଯେ ଆଦିତ୍ୟ ଏଲ୍-୧ ମହାକାଶଯାନ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ୨୦୨୪ ଜାନୁଆରି ୭ ସୁଦ୍ଧା ଏହା ଏଲ୍-୧ ପଏଣ୍ଟରେ ପ୍ରବେଶ କରିବ।