ଚଣ୍ଡୀଗଡ଼: ହରିୟାଣା ପୁଲିସରେ ଆଜି ଆଉ ଏକ ଆତ୍ମହତ୍ୟା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଏହି ଘଟଣା ସମ୍ପ୍ରତି ଆଇପିଏସ୍ ଅଧିକାରୀ ୱାଇ. ପୁରନ୍ କୁମାରଙ୍କ ଆତ୍ମହତ୍ୟା ମାମଲାକୁ ନୂଆ ମୋଡ଼ ଦେଇଛି। ରୋହତକ ସାଇବର ସେଲ୍ରେ ନିୟୋଜିତ ଥିବା ସହକାରୀ ସବ-ଇନ୍ସପେକ୍ଟର (ଏଏସ୍ଆଇ) ସନ୍ଦୀପ କୁମାର ଆଜି ନିଜ ସର୍ଭିସ୍ ରିଭଲଭରରୁ ନିଜକୁ ଗୁଳି କରିଛନ୍ତି। ତାଙ୍କ ଶବ ରୋହତକ-ପାନିପଥ ରାସ୍ତାର ଏକ ଟ୍ୟୁବ୍ୱେଲ୍ ପାଖରୁ ମିଳିଛି।
ସନ୍ଦୀପଙ୍କ ନିକଟରୁ ତିନି ପୃଷ୍ଠାର ଏକ ଆତ୍ମହତ୍ୟା ନୋଟ୍ ଏବଂ ଏକ ଭିଡିଓ ମେସେଜ୍ ମିଳିଛି। ନୋଟ୍ରେ ସେ ମୃତ ଆଇପିଏସ ଅଧିକାରୀ ପୁରନ୍ କୁମାରଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି ଚିତ୍ରଣ କରିଛନ୍ତି। ସେ ଲେଖିଛନ୍ତି ‘ପୁରନ କୁମାର ଦୁର୍ନୀତିଗ୍ରସ୍ତ ଥିଲେ ଏବଂ ବିଭିନ୍ନ ଦୁର୍ନୀତି ମାମଲାରେ ତାଙ୍କ ବିରୋଧରେ ପ୍ରଚୁର ପ୍ରମାଣ ରହିଛି। ଜାତିଆଣ ରାଜନୀତି କରି ସେ ପୂରା ବ୍ୟବସ୍ଥାକୁ ଶୋଷଣ କରିବାକୁ ପ୍ରୟାସ କରିଥିଲେ। ସତ୍ୟ ପ୍ରକାଶ ପାଇଁ ମୁଁ ନିଜ ଜୀବନ ବଳିଦାନ କରୁଛି।’ ପୁରନ୍ କୁମାର ମହିଳା ଅଧିକାରୀଙ୍କୁ ଧମକାଇ ଟଙ୍କା ଆଦାୟ କରୁଥିଲେ ଓ ଯୌନ ଶୋଷଣ କରିବା ଅଭିଯୋଗ ମଧ୍ୟ ତାଙ୍କ ବିରୋଧରେ ରହିଛି ବୋଲି ଏହି ନୋଟ୍ରେ ଉଲ୍ଲେଖ ରହିଛି। ସୂଚନାଯୋଗ୍ୟ, ସନ୍ଦୀପ କୁମାର କିଛି ମାସ ତଳେ ପୁରନ୍ କୁମାରଙ୍କ ଦୁର୍ନୀତି ମାମଲାରେ ଯାଞ୍ଚ କରୁଥିବା ଟିମ୍ର ସଦସ୍ୟ ଥିଲେ।
ଆଜିର ଆତ୍ମହତ୍ୟା ଘଟଣା, ୭ ଅକ୍ଟୋବରରେ ପୂରନ କୁମାରଙ୍କ ଆତ୍ମହତ୍ୟା ମାମଲାର ତଦନ୍ତକୁ ଭିନ୍ନ ମୋଡ଼ ଦେବ ବୋଲି କୁହାଯାଉଛି । ୨୦୦୧ ବ୍ୟାଚ୍ର ଆଇପିଏସ୍ କୁମାର ରୋହତକ ପୁଲିସ୍ ଟ୍ରେନିଂ ସେଣ୍ଟରରେ ଆଇଜି ଥିଲେ ଏବଂ ଚଣ୍ଡୀଗଡ଼ର ସେକ୍ଟର-୧୧ରେ ନିଜ ସରକାରୀ ବାସଭବନରେ ନିଜକୁ ଗୁଳିକରି ଆତ୍ମହତ୍ୟା କରିଥିଲେ। ତାଙ୍କ ନିକଟରୁ ୯ ପୃଷ୍ଠାର ଏକ ଆତ୍ମହତ୍ୟା ନୋଟ୍ ମିଳିଥିଲା, ଯେଉଁଥିରେ ସେ ୧୨-୧୩ ଜଣ ବରିଷ୍ଠ ଆଇପିଏସ ଓ ଆଇଏସ୍ ଅଧିକାରୀଙ୍କୁ ଜାତିଭେଦ, ମାନସିକ ଯନ୍ତ୍ରଣା ଓ ବୃତ୍ତିଗତ ଶୋଷଣ ପାଇଁ ଦାୟୀ କରିଥିଲେ।
ଏହି ଘଟଣା ହରିୟାଣା ପୁଲିସରେ ଜାତିବାଦ, ଦୁର୍ନୀତି ଓ ମାନସିକ ଯନ୍ତ୍ରଣାର ବିଭିନ୍ନ ସମସ୍ୟାକୁ ସାମ୍ନାକୁ ଆଣିଛି। ମୁଖ୍ୟମନ୍ତ୍ରୀ ନାଏବ ସିଂହ ସାଇନୀ ଏହି ଘଟଣାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/15/untitled-2-2025-10-15-06-35-35.jpg)