ଜଗା-ବଳିଆଙ୍କ ଆଉ ଏକ ସର୍ଜରି ୫ ବର୍ଷ ପରେ

ନୂଆଦିଲ୍ଲୀ : ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିବା କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍, ମିଲିପଡ଼ା ଗାଁର ଜଗା-ବଳିଆଙ୍କ କ୍ରାନିଓପ୍ଲାଷ୍ଟି ସର୍ଜରି ୫ ବର୍ଷ ପରେ ହେବ। ଏ ନେଇ ଦିଲ୍ଲୀ ଏମ୍ସ୍‌‌ରେ ଦୁଇ ଶିଶୁଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଦଳ ଦ୍ବାରା ବିଚାରବିମର୍ଶ କରାଯାଇଥିବା ଜଣାପଡିଛି। କ୍ରାନିଓପ୍ଲାଷ୍ଟି ସର୍ଜରି ଅନ୍ତର୍ଗତ ଖପୁରିରେ ତ୍ରୁଟି ଥିବା ଅଂଶ ଗୁଡ଼ିକର ସାଜସଜା କରାଯାଇ ମସ୍ତିଷ୍କ ସୁରକ୍ଷାକୁ ସୁନିଶ୍ଚିତ କରାଯିବ।

ମଡର୍ନ ନ୍ୟୁରୋ ସର୍ଜରି ଅନ୍ତର୍ଗତ ମସ୍ତିଷ୍କରେ ରକ୍ତ ସଂଚାଳନ, ବ୍ରେନ ଏନର୍ଜିରେ ଉନ୍ନତି ତଥା ବ୍ରେନ୍ ଟିସ୍ୟୁଗୁଡ଼ିକ ଏହି ସର୍ଜରି ଦ୍ବାରା ମଜବୁତ କରାଯିବ। ଜଗା-ବଳିଆଙ୍କୁ ୧୦ ବର୍ଷ ହେବା ବେଳକୁ ଏହି ସର୍ଜରି କରାଯିବ। କାରଣ ୧୦ ବର୍ଷ ଭିତରେ ସେମାନଙ୍କ ସୁସ୍ଥ ତ୍ବଚାର ଉନ୍ନତି ଘଟିବ ବୋଲି ଡାକ୍ତରୀ ଦଳ ବିଚାର କରୁଛନ୍ତି। ସୂଚନାଯୋଗ୍ୟ ଯୋଡ଼ା ମୁଣ୍ଡରୁ ଅଲଗା ହେବା ପରେ ଜଗା-ବଳିଆ ବର୍ତ୍ତମାନ ଏମ୍ସ ପ୍ରାଇଭେଟ୍ ଵାର୍ଡରେ ଚିକିତ୍ସିତ ହେଉଛନ୍ତି। ଆସନ୍ତା ମାସରେ ସେମାନଙ୍କୁ ଦିଲ୍ଲୀ ଏମ୍ସରୁ ଡିସଚାର୍ଜ କରାଯିବାର ଯୋଜନା ରହିଛି। ଶନିବାର ଦିନ ଏମ୍ସ କର୍ତ୍ତୃପକ୍ଷ ଓ ରାଜ୍ୟର ସ୍ବାସ୍ଥ୍ୟ ସଚିବଙ୍କ ମଧ୍ୟରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଡିସଚାର୍ଜ ହେବା ପରେ ଦୁଇ ଶିଶୁଙ୍କୁ କିଛି ମାସ ଧରି ଓଡ଼ିଶାର କୌଣସି ଏକ ହସ୍ପିଟାଲରେ ରଖାଯିବା। ଯାହାଦ୍ବାରା ସେମାନେ ସେଠାରେ ନର୍ସିଂ କେୟାର ପାଇପାରିବେ। ତେବେ ସେମାନଙ୍କୁ କେଉଁ ହସ୍ପିଟାଲ୍‌ରେ ରଖାଯିବ ଏବଂ ସେମାନଙ୍କ ପାଇଁ କେଉଁ ସବୁ ସୁବିଧା‌ ପ୍ରଦାନ କରାଯିବ ସେନେଇ ଶନିବାର ଦିନ ଏମ୍ସ କର୍ତ୍ତୃପକ୍ଷ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବୈଠକ କରାଯାଇ ଚୂଡ଼ାନ୍ତ ନିଷ୍ପତି ନିଆଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର